ଭାରତର ୧୧ତମ ରାଷ୍ଟ୍ରପତି ଭାବେ ଦାୟିତ୍ୱ ତୁଲାଇଥିବା ଅବଦ୍ଦୁଲ କଲାମ ହେଉଛନ୍ତି ସମସ୍ତଙ୍କର ପ୍ରିୟ ରାଷ୍ଟ୍ରପତି । ଜଣେ ବିଶିଷ୍ଟ ବୈଜ୍ଞାନିକ ଭାବେ ସାରା ପୃଥିବୀରେ ରହିଛି ତାଙ୍କର ଅନେକ ଖ୍ୟାତି । ତାମିଲନାଡୁର ରାମେଶ୍ୱରମରେ ୧୫ ଅକ୍ଟୋବର ୧୯୩୧ରେ ଜନ୍ମଗ୍ରହଣ କରିଥିବା ଅବଦ୍ଦୁଲ କଲାମଙ୍କର ପୂରାନାମ ହେଉଛି ଅବୁଲ ପାକିର ଜୈନୁଲାବୁଦ୍ଦୀନ ଅବଦୁଲ କଲାମ ।
ସେ ତିରୁଚିରପଲ୍ଲୀର ସେଣ୍ଟ ଜୋସେଫ୍ କଲେଜରୁ ପଦାର୍ଥ ବିଜ୍ଞାନ ଓ ଚେନ୍ନାଇର ମାଦ୍ରାସ ଇନ୍ସଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରୁ ଅନ୍ତରୀକ୍ଷ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିଥିଲେ । ଦେଶର ରାଷ୍ଟ୍ରପତି ହେବା ପୂର୍ବରୁ ସେ ଡି.ଆର୍.ଡି.ଓ ଏବଂ ଇସ୍ରୋରେ ଅନ୍ତରୀକ୍ଷ ଇଞ୍ଜିନିୟର ଥିଲେ । ବାଲିଷ୍ଟିକ ମିଶାଇଲ୍ ଓ ଲଞ୍ଚ ଭେହିକିଲ୍ ପ୍ରଯୁକ୍ତିବିଦ୍ୟାର ଆବିଷ୍କାର ପାଇଁ କଲାମଙ୍କୁ ଭାରତର ମିସାଇଲ୍ ମ୍ୟାନର ଆଖ୍ୟା ଦିଆଯାଇଛି । ମହାକାଶ ବିଜ୍ଞାନ ଏବଂ ପ୍ରତିରକ୍ଷା ବିଜ୍ଞାନରେ ଅତୁଳନୀୟ ଅବଦାନ ପାଇଁ ତାଙ୍କୁ ୧୯୯୭ ମସିହାରେ ଭାରତର ସର୍ବୋଚ୍ଚ ବେସାମରିକ ଉପାଧି “ଭାରତ ରନି’ରେ ସମ୍ମାନିତ କରାଯାଇଥିଲା । ସେ ଭାରତର ରାଷ୍ଟ୍ରପତି ଭାବେ ୨୦୦୨ ଜୁଲାଇ ୨୫ ତାରିଖରୁ ୨୦୦୭ ଜୁଲାଇ ୨୫ ପର୍ଯ୍ୟନ୍ତ ଦାୟିତ୍ୱ ନିର୍ବାହ କରିଥିଲେ । “ଲୋକଙ୍କ ରାଷ୍ଟ୍ରପତି’ ଭାବେ ତାଙ୍କର ଏକ ଭିନ୍ନ ପରିଚୟ ରହିଥିଲା ।
ତାଙ୍କର ଓଡ଼ିଶା ସହିତ ମଧ୍ୟ ରହିଥିଲା ନିଆରା ସମ୍ପର୍କ । ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ ପୂର୍ବରୁ ଜଣେ ବୈଜ୍ଞାନିକ ଭାବେ କଲାମ ବହୁବାର ବାଲେଶ୍ୱର ଜିଲ୍ଲା ଚାନ୍ଦିପୁରସ୍ଥିତ କ୍ଷେପଣାସ୍ତ୍ର ପରୀକ୍ଷାଘାଟିକୁ ଆସିଛନ୍ତି । ପରବର୍ତ୍ତୀ ସମୟରେରାଷ୍ଟ୍ରପତି ଥିବା ସମୟରେ ସେ ଏକାଧିକବାର ଓଡ଼ିଶାରେ ଥିବା ବିଭିନ୍ନ ଶିକ୍ଷାନୁଷ୍ଠାନର ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇଥିଲେ । ଜଣେ ଲେଖକ ଭାବେ ମଧ୍ୟ ରହିଛି ତାଙ୍କର ଦକ୍ଷତା । ତାଙ୍କଦ୍ୱାରା ଲିଖିତ “ଇଗନାଇଟେଡ୍ ମାଇଣ୍ଡସ୍” (୨୦୦୨), “ଓ୍ୱିଙ୍ଗସ୍ ଅଫ୍ ଫାୟାର’ (୧୯୯୯) ଓ “ଇଣ୍ଡିଆ ୨୦୨୦- ଏ ଭିଜନ୍ ଫର୍ ଦ ନ୍ୟୁ ମିଲେନିୟମ୍’ ଦେଶର କୋଟି କୋଟି ଲୋକଙ୍କ ଲାଗି ପ୍ରେରଣାର ଉତ୍ସ ସାଜିଛି । “ଓ୍ୱିଙ୍ଗସ୍ ଅଫ୍ ଦି ଫାୟାର’ ହେଉଛି ତାଙ୍କର ଆତ୍ମଜୀବନୀ, ଅନ୍ୟ ଗୋଟିଏ ଆତ୍ମଜୀବନୀ ହେଉଛି “ଟର୍ଣ୍ଣିଂ ପଏଣ୍ଟ’ । ତେବେ ଏହି ମହାନ ବୈଜ୍ଞାନିକ ତଥା ଦେଶର ପ୍ରିୟ ରାଷ୍ଟ୍ରପତିଙ୍କର ଶିଲଂସ୍ଥିତ ବେଥନି ହସ୍ପିଟାଲରେ ୨୭ ଜୁଲାଇ ୨୦୧୫ରେ ଦେହାନ୍ତ ହୋଇଥିଲା । ଏକ ସଭାରେ ଭାଷଣ ଦେଉଥିବା ସମୟରେ ଆକସ୍ମିକ ହୃଦ୍ଘାତ କାରଣରୁ ତାଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା । ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ଯେଉଁଠ ତାଙ୍କର ଦେହାନ୍ତ ହୋଇଥିଲା । ତାଙ୍କ ଅବର୍ତ୍ତମାନରେ ଦେଶର ଅପୂରଣୀୟ କ୍ଷତି ହୋଇଛି । ଦେଶ ତାର ମିସାଇଲ୍ ମ୍ୟାନ୍ଙ୍କୁ ସବୁଦିନ ପାଇଁ ହରାଇଥିଲା ।