ପୁରୀ : ଗୁରୁବାର ଦ୍ୱିତୀୟ ଥର ପାଇଁ ଖୋଲିଛି ରତ୍ନଭଣ୍ଡାର । ନିର୍ଦ୍ଧାରିତ ସମୟ ୯ଟା ୫୧ରେ ଭିତର ରତ୍ନ ଭଣ୍ଡାର ଖୋଲାଯାଇଛି। ରତ୍ନଭଣ୍ଡାର କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥଙ୍କ ସହ ଶ୍ରୀମନ୍ଦିର ପ୍ରଶାସକ ଅରବିନ୍ଦ ପାଢୀଙ୍କ ସମେତ ୧୧ଜଣିଆ ଟିମ୍ର ଉପସ୍ଥିତିରେ ଭଣ୍ଡାର ଖୋଲାଯାଇଛି।
ପୁରୀ ଗଜପତି ମହାରାଜଙ୍କ ଉପସ୍ଥିତିରେ ରତ୍ନଭଣ୍ଡାରରେ ଥିବା ଅଳଙ୍କାର ସ୍ଥାନାନ୍ତର କରାଯାଇଛି। ତେବେ ଗଜପତି ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରରୁ ଆସିବା ପରେ ଗଣମାଧ୍ୟମକୁ କହିଛନ୍ତି, ଭିତର ରତ୍ନଭଣ୍ଡାରରେ ଯାହା ବି ଗହଣା ଓ ମୂଲ୍ୟବାନ ସାମଗ୍ରୀ ଅଛି, ତାକୁ ଖଟଶେଜ ଘରକୁ ସ୍ଥାନାନ୍ତର କରାଯିବ। ସମସ୍ତ ଅଳଙ୍କାର ସିସିଟିଭି ନଜରରେ ରହିଛି। ରତ୍ନ ଅଳଙ୍କାର ସ୍ଥାନାନ୍ତର ପରେ ଶେଜଘରେ ତାଲା ପଡିବ। ଏହାପରେ କବାଟ ସିଲ୍ କରାଯିବ। କବାଟ ସିଲ୍ ହୋଇ ମୁଖ୍ୟ ପ୍ରଶାସକ ସରକାରୀ ଟ୍ରେଜେରିରେ ଚାବି ଦାଖଲ କରିବେ। ବାହାର ଓ ଭିତର ରତ୍ନଭଣ୍ଡାର ଅଳଙ୍କାର ସ୍ଥାନାନ୍ତର ପରେ ଏହାର ସ୍କାନିଂ କରାଯିବ। ଏହାପରେ ରତ୍ନଭଣ୍ଡାରକୁ ଏଏସଆଇକୁ ହସ୍ତାନ୍ତର କରାଯିବ। ଏଏସଆଇ ଏହାପରେ ଯାଇ ରତ୍ନଭଣ୍ଡାରର ମରାମତି କରିବ। ମରାମତି ସମୟରେ ଭକ୍ତଙ୍କ ଦର୍ଶନରେ କୌଣସି ଅସୁବିଧା ହେବନି।
ରତ୍ନଭଣ୍ଡାର ମରାମତି ସମ୍ପର୍କରେ ଗଜପତି କହିଛନ୍ତି ଯେ, ରତ୍ନଭଣ୍ଡାର କେବେ ମରାମତି ହୋଇଥିଲା ତାହା ଆମେ ଜାଣିନାହୁଁ। ୧୯୭୧ ମସିହାରେ ଭାରତୀୟ ପ୍ରତ୍ନତାତ୍ତ୍ଵିକ ସର୍ବେକ୍ଷଣ ସଂସ୍ଥା (ଏଏସଆଇ) ହସ୍ତକ୍ଷେପ କରିବା ପରଠାରୁ ରତ୍ନଭଣ୍ଡାର ମରାମତି ହୋଇନାହିଁ। ବର୍ତ୍ତମାନ ସମୟରେ ରତ୍ନଭଣ୍ଡାର ମରାମତି ଜରୁରୀ ହୋଇପଡ଼ିଛି।
ସୂଚନାଯୋଗ୍ୟ, ଗତ ୧୪ ତାରିଖରେ ପ୍ରଥମେ ରତ୍ନଭଣ୍ଡାର ଖୋଲା ଯାଇଥିଲା। କମିଟି ସଦସ୍ୟମାନେ ବାହାର ରତ୍ନଭଣ୍ଡାର ତାଲା ଭାଙ୍ଗି ରତ୍ନଅଳଙ୍କାର ସ୍ଥାନାନ୍ତର ପାଇଁ ପଦକ୍ଷେପ ନେଇଥିଲେ। ପରେ ନୂଆ ତାଲା ପକାଇ ସିଲ କରିଦେଇଥିଲେ। ତେବେ ସମୟ ଅଭାବରୁ ଭିତର ରତ୍ନଭଣ୍ଡାର ଖୋଲାଯାଇ ନ ଥିଲା। କେବଳ ପୁରୁଣା ତାଲା ଭାଙ୍ଗି ନୂଆ ତାଲା ପକାଇ ବାହାରୁ ଚାଲିଆସିଥିଲେ। ରତ୍ନଅଳଙ୍କାର ସ୍ଥାନାନ୍ତର ହୋଇପାରି ନ ଥିତ୍ଲା। ତେଣୁ ଅଜି ପୁନର୍ବାର ସମାନ ଏସଓପି ଅନୁଯାୟୀ, ଭିତର ରତ୍ନଭଣ୍ଡାର ଖୋଲାଯାଇ ଗଚ୍ଛିତ ଅଳଙ୍କାର ଶ୍ରୀମନ୍ଦିର ଖଟଶେଯ ଘରେ ହୋଇଥିବା ଅସ୍ଥାୟୀ ରତ୍ନଭଣ୍ଡାରକୁ ସ୍ଥାନାନ୍ତର କରାଯାଉଛି। ସମସ୍ତ ପ୍ରକ୍ରିୟାର ଭିଡିଓଗ୍ରାଫି କରାଯାଉଛି। ସ୍ନେକ ହେଲ୍ପ ଲାଇନ ସଦସ୍ୟ, ଓଡ୍ରାଫ ଟିମ, ଅଗ୍ନିଶମ ବାହିନୀ ଉପସ୍ଥିତ ରହିଛନ୍ତି। ହାଇମାଷ୍ଟ ଲାଇଟ ବ୍ୟବସ୍ଥା କରାଯାଇଛି। ସେହିପରି ଏଏସଆଇ ରତ୍ନଭଣ୍ଡାର ମରାମତି ନେଇ ସ୍ଥିତି ଅନୁଧ୍ୟାନ କରିବାର କାର୍ଯ୍ୟକ୍ରମ ରହିଛି।

Comments are closed.