ଓଡ଼ିଶାର ପାରମ୍ପରିକ ପର୍ବ ରଜର ଅନ୍ୟନାମ ସଜବାଜ । ଏହି ଦିନ ଗାଁ ଠାରୁ ସହର ସବୁସ୍ଥାନରେ ଯୁବତୀଙ୍କୁ ସଜବାଜ ହେବାର ଦେଖିବାକୁ ମିଳିଥାଏ । ଯୁବତୀଙ୍କୁ ଶାଢି, ଲେହେଙ୍ଗା, ଡ୍ରେସ ଭଳି ଅନେକ ପାରମ୍ପରିକ ପୋଷାକରେ ଏହି ଦିନ ଦେଖିବାକୁ ମିଳିଥାଏ । ତେବେ ସବୁ ପାରମ୍ପରିକ ପୋଷାକରେ ଶାଢିର ଚାହିଦା ବେଶ ଅଧିକ । ବର୍ତ୍ତମାନ ଫ୍ୟାଶନରେ ଅନେକ ଶାଢି ଟ୍ରେଣ୍ଡ୍ରେ ରହୁଛି, ଆସନ୍ତୁ ଜାଣିବା ସେହିଭଳି କିଛି ଟ୍ରେଣ୍ଡ୍ରେ ଥିବା ଶାଢି ଷ୍ଟାଇଲ୍ ବିଷୟରେ ।
ପ୍ରି ଡ୍ରାପ
ଯେଉଁମାନଙ୍କୁ ଶାଢି ପିନ୍ଧା ଆସିନଥାଏ ସେମାନଙ୍କ ପାଇଁ ଏହା ଏକ ବେଷ୍ଟ ଅପସନ୍ । ଏଥିରେ ଆଗରୁ ପ୍ଲିଟ୍ ପଡିକରି ରହିଥାଏ, ଯେଉଁ କାରଣରୁ ଏହା ପିନ୍ଧିବାକୁ ସହଜ ହୋଇଥାଏ । ଏଥିରେ ବିଭିନ୍ନ ଡିଜାଇନ୍ ତଥା ଭିନ୍ନଭିନ୍ନ ରଙ୍ଗ ରହିଛି, ଯାହା ବର୍ତ୍ତମାନ ଯୁବତୀଙ୍କର ପ୍ରଥମ ପସନ୍ଦ ପାଲଟିଛି । ଏଥର ରଜରେ ଏହି ପ୍ରି ଡ୍ରାପï ଶାଢିକୁ ଟ୍ରାଏ କରିପାରିବେ ।
ରଫଲ

ଏହାର ୟୁନିକ୍ ଡିଜାଇନ୍ ସମସ୍ତଙ୍କୁ ବେଶ୍ ପସନ୍ଦ ଆସୁଛି । ଏହାସହ ଏହାର ବ୍ଲାଉଜ ଡିଜାଇନ୍ ମଧ୍ୟ ସ୍ୱତନ୍ତ୍ର ରହୁଛି, ତେଣୁ ଏହା ଆପଣଙ୍କୁ ଏକ ଗ୍ଲାମରସ ଲୁକ ପ୍ରଦାନ କରିବ । ଏହାର ବିଭିନ୍ନ ମନଲୋଭା ରଙ୍ଗ ବଜାରରେ ମିଳୁଛି ।
ବନାରସୀ

ଭାରତର ପାରମ୍ପରିକ ଶାଢିରେ ବନାରସୀର ଚାହିଦା ଖୁବ ଅଧିକ । ଏହାକୁ ସମସ୍ତ ବୟସର ମହିଳାମାନେ ପିନ୍ଧିପାରିବେ । ଏହାର ୟୁନିକ ବଡର ଷ୍ଟାଇଲ ଏହାକୁ ଭିଡ ଭିତରେ ଅଲଗା କରିଥାଏ । ବର୍ତ୍ତମାନ ଏଥିରେ ବିଭିନ୍ନ ଭେରାଇଟି ମିଳୁଥିବାରୁ ଏହାକୁ ସମସ୍ତେ ପସନ୍ଦ କରିବାରେ ଲାଗିଛନ୍ତି । ଏଥରର ରଜରେ ବନାରସି ପାଟକୁ ନିଜର ଷ୍ଟାଇଲ୍ରେ ଆଡ କରନ୍ତୁ ।
ଅର୍ଗେଞ୍ଜା

ବର୍ତମାନ ଯୁବତୀଙ୍କର ପ୍ରଥମ ପସନ୍ଦ ଅର୍ଗେଞ୍ଜା ଶାଢି ପାଲଟିଛି । ଏହାକୁ ବେଶି ଅବିବାହିତ ଯୁବତୀମାନେ ପସନ୍ଦ କରୁଛନ୍ତି । ଏହି ଶାଢି ଖୁବ୍ ଷ୍ଟାଇଲିସ୍ ହେବା ସହ ଏଥିରେ ୟୁନିକ୍ନେସ ରହିଛି, ଯେଉଁଥିପାଇଁ ଏହାକୁ ସମସ୍ତେ ପସନ୍ଦ କରୁଛନ୍ତି । ଏହାର ବିଭିନ୍ନ ପ୍ରକାର ରଙ୍ଗ ଓ ଡିଜାଇନ ରହୁଛି । ଚଳିତ ରଜକୁ ଷ୍ଟାଇଲିସ୍ କରିବାକୁ ଚାହୁଁଥିଲେ ନିଜ ତାଲିକାରେ ଅର୍ଗେଞ୍ଜାକୁ ସାମିଲ କରନ୍ତୁ ।
ସୋସିଆଲ ମିଡିଆରେ ଶୁଭେଚ୍ଛା

ରଜ ଆସିଲେ ସାଙ୍ଗସାଥୀଙ୍କ ଘରେ ଭିଡ ଜମୁଥିଲା । ହେଲେ ବର୍ତ୍ତମାନ ଏହି ଭିଡ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି । ଆଜିକାଲି ସୋସିଆଲ ମିଡିଆର ବ୍ୟବହାର ବହୁଳ ମାତ୍ରାରେ ହେଉଛି । ଯେକୌଣସି ବି ପର୍ବ କିମ୍ବା ଉତ୍ସବ ହେଉ ଶୁଭେଚ୍ଛା ଜଣାଇବା ପାଇଁ ସମସ୍ତେ ସୋସିଆଲ ମିଡିଆକୁ ମାଧ୍ୟମ ଭାବେ ବାଛୁଛନ୍ତି । ସେହିଭଳି ରଜ ପାଇଁ ଓଡ଼ିଶାର ଲୋକମାନଙ୍କ ସହ ସୋସିଆଲ ମିଡିଆ ମଧ୍ୟ ସଜବାଜ ହେବାରେ ଲାଗିଥାଏ । ସମସ୍ତେ ଯାହାକିଛି ବି ଏଞ୍ଜୟ କରନ୍ତି ତାହାକୁ ସୋସିଆଲ ମିଡିଆରେ ପୋଷ୍ଟ କରିଥାଆନ୍ତି । ସମସ୍ତେ ଏହାରି ମାଧ୍ୟମରେ ପ୍ରିୟଜନଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଥାଆନ୍ତି । ତେବେ କରୋନା ସମୟରେ ସୋସିଆଲ ମିଡିଆରେ ପର୍ବପର୍ବାଣି ପାଳିବାର ଧାରା ବଢିବାରେ ଲାଗିଥିଲା । ଏହି ସମୟରେ ଲକଡାଉନ୍ ସଟଡାଉନ୍ କାରଣରୁ ବାହାରକୁ ଯାଇହେଉ ନଥିଲା, ତେଣୁ ସମସ୍ତେ ଘରେ ବସି ସୋସିଆଲ ମିଡିଆ ଓ ଭିଡିଓ କଲ୍ ମାଧ୍ୟମରେ ସମସ୍ତ ପର୍ବ ପାଳନ କରୁଥିଲେ ।
ସୁଆଦିଆ ରଜ
ରଜର ସଜବାଜ ଯେପରି ନିଆରା ଏଥିରେ ଖିଆଯାଉଥିବା ଖାଦ୍ୟ ମଧ୍ୟ ସେମିତି ନିଆରା । ଏହି ତିନିଦିନ ଧରି ଭଳିକି ଭଳି ସୁଆଦିଆ ଖାଦ୍ୟ ଖାଇବାକୁ ମିଳିଥାଏ । ସମସ୍ତଙ୍କ ଘର ପିଠାପଣାରେ ମହକୁଥାଏ । ତେବେ ଏଥିରେ ପାରମ୍ପରିକ ଭାବେ ପ୍ରସ୍ତୁତ ହୋଇଥାଏ ପୋଡ ପିଠା । ଯେହେତୁ ରଜରେ ଧରଣୀମାତାଙ୍କୁ ବିଶ୍ରାମ ଦିଆଯାଏ ତେଣୁ ରଜ ପୂର୍ବଦିନ ପହିଲି ରଜରେ ବହୁରକମର ପିଠାପଣା, ବିଶେଷ କରି ପୋଡ ପିଠା ତିଆରି କରାଯାଏ । ଏହି ପର୍ବର ସବୁଠୁ ବିଶେଷ ଖାଦ୍ୟ ହେଉଛି ପୋଡପିଠା । ଆସନ୍ତୁ ଜାଣିବା ପୋଡପିଠାର କିଛି ପ୍ରକାର ବିଷୟରେ ।
ସୁଜି ପୋଡପିଠା

ସାମଗ୍ରୀ- ସୁଜି, ଗୁଡ, ନଡିଆ, ଗୋଲମରିଚ ଗୁଣ୍ଡ, ଗୁଜୁରାତି,ଅଦା ଛେଚା, କାଜୁ, ଖିସମିସ୍, ଘିଅ ।
ପ୍ରଣାଳୀ- ପ୍ରଥମେ ଏକ ପ୍ୟାନରେ ପାଞ୍ଚ କପ ପାଣି ଓ ଗୁଡ ପକାଇ ଫୁଟାନ୍ତୁ । ଗୁଡ ତରଳିବା ଆରମ୍ଭ କରିଲେ ଏଥିରେ ଅଦା, ନଡିଆ କୋରା, ନଡିଆ କଟା, କାଜୁ, ଖିସମିସ୍,ଗୁଜୁରାତି,ଲୁଣ, ଘିଅ ଆଦି ପକାଇ ଭଲଭାବେ ଗୋଳାନ୍ତୁ । ଏହାପରେ ମିଶ୍ରଣକୁ ୪ରୁ ୫ମିନିଟ୍ ଯାଏଁ ଫୁଟାନ୍ତୁ । ଏହାପରେ ଆଞ୍ଚ କମ କରି ଧୀରେଧୀରେ ସୁଜିକୁ ମିଶାନ୍ତୁ । ମିଶାଇବା ସମୟରେ ଧ୍ୟାନ ରଖନ୍ତୁ ଯେପରି ସୁଜି ଭଲ କରି ମିଶିବ । ସୁଜି ଭଲ କରି ଗୋଳାଇବା ପରେ ଆଞ୍ଚ ବନ୍ଦ କରି ନିଅନ୍ତୁ । ଏହାପରେ ଅନ୍ୟ ଏକ ପ୍ୟାନରେ କିମ୍ବା ପ୍ରେସର କୁକର କିମ୍ବା ଅନ୍ୟକୌଣସି ପାରମ୍ପରିକ ପାତ୍ରରେ କଦଳୀ ପତ୍ରରେ ଘିଅ ଲଗାଇ ରଖନ୍ତୁ । ଏହାପରେ ପୂର୍ବ ପ୍ରସ୍ତୁତ ମିଶ୍ରଣକୁ ସେଥିରେ ଦେଇ ଏହାକୁ ଘୋଡାଇ ନିଅନ୍ତୁ । ଏହାକୁ ସବୁବେଳେ କମ ଆଞ୍ଚରେ ରଖନ୍ତୁ । କିଛି ସମୟ ପରେ ପ୍ରସ୍ତୁତ ହୋଇଯିବ ପୋଡ ପିଠା ।
କଖାରୁ ପୋଡ ପିଠା
ସାମଗ୍ରୀ- ଚାଉଳଗୁଣ୍ଡ ଏକକପ, ସିଝା କଖାରୁ ଏକ କପ, ଗୁଡ, ନଡିଆ, ଗୋଲମରିଚ ଗୁଣ୍ଡ, ଗୁଜୁରାତି,ଅଦା ଛେଚା, କାଜୁ, ଖିସମିସ୍, ଘିଅ ।
ପ୍ରଣାଳୀ- ପ୍ରଥମେ ଚାଉଳକୁ ବାଟି ନିଅନ୍ତୁ । ଏଥିରେ କଖାରୁ, ଗୁଡ, ନଡିଆ, ଗୁଜୁରାତି, ଅଦା, କାଜୁ ଖିସମିସ୍, ନଡିଆ ପାତି, ଆଦି ପକାଇ ଭଲକରି ଗୋଳାଇ ନିଅନ୍ତୁ । ଏହାପରେ ଏହି ମିଶ୍ରଣରୁ ପ୍ରସ୍ତୁତ କରନ୍ତୁ ପୋଡପିଠା । ଏହା ବେଶ ସ୍ୱାଦିଷ୍ଟ ହୋଇଥାଏ ।
ରଜପାନ : ରଜରେ ପାନଖିଆ ହେଉଛି ଏକ ପୁରୁଣା ପରମ୍ପରା । ସାଧାରଣ ଦିନର ପାନଠାରୁ ରଜପାନର ସ୍ୱାଦ ସ୍ୱତନ୍ତ୍ର । ଏହି ଦିନରେ ତରୁଣୀମାନେ ନିଜେ ପାନ ଖାଇବା ସହିତ ଅନ୍ୟକୁ ଖୁଆଇଥାନ୍ତି । ରଜରେ ପାନ ଖୁଆଖୋଇ ହେଲେ ବନ୍ଧୁତାର ଡୋରି ସୁଦୃଢ ହୋଇଥାଏ ବୋଲି ଲୋକକଥା ରହିଛି । ରଜପାନରେ ଗୁଆ, ଅଳେଇଚ, ଗୁଜୁରାତି, ଭଜା ଧନିଆ, ଚାଉଳ ଓ ନଡିଆ ଖଣ୍ଡ, ଚେରି, ଲବଙ୍ଗ, କବାବ ଚିନି, ଚୁଆ, ପାନ ମହୁରି, ସୁବାସିତ କେଶର, ଖଇର ଆଦି ଭଳି ୧୦ରୁ ୧୨ ପ୍ରକାର ମସଲା ବ୍ୟବହାର କରାଯାଏ । ଏହାକୁ ବିଭିନ୍ନ ଢଙ୍ଗରେ ତ୍ରିଭଙ୍ଗି, ଚଉଭଙ୍ଗି ଆକୃତି ଦେଇ ଉପରେ ଲବଙ୍ଗ ଖୋସି ଅତି ସୁନ୍ଦର ଭାବେ ଥାଳିରେ ସଜାଇ ଦିଆଯାଏ ।

Comments are closed.