ଦାମ୍ବୁଲା: ଭାରତୀୟ ମହିଳା କ୍ରିକେଟ୍ ଦଳ ନବମ ଥର ଲାଗି ଏସିଆ କପ୍ ଫାଇନାଲ୍ରେ ପ୍ରବେଶ କରିଛି। ସେମିଫାଇନାଲ୍ରେ ୭ ଥର ଚାମ୍ପିଅନ୍ ଭାରତ ୧୦ ୱିକେଟ୍ରେ ବାଂଲାଦେଶକୁ ପରାସ୍ତ କରିଛି। ଭାରତ ରବିବାର ହେବାକୁ ଥିବା ଫାଇନାଲ୍ରେ ଶ୍ରୀଲଙ୍କାକୁ ଭେଟିବ। ଦ୍ବିତୀୟ ସେମିଫାଇନାଲ୍ରେ ଶ୍ରୀଲଙ୍କା ୩ ୱିକେଟ୍ରେ ପାକିସ୍ତାନକୁ ପରାସ୍ତ କରିଛି।
ପ୍ରଥମ ସେମିଫାଇନାଲ୍ରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ବାଂଲାଦେଶ। ରେଣୁକା ସିଂହ (୪-୧-୧୦-୩)ଙ୍କ ଘାତକ ଓ ରାଧା ୟାଦବ (୪-୧-୧୪-୩)ଙ୍କ ସ୍ପିନ୍ ଯାଦୁକୁ ସାମ୍ନା କରି ନପାରି ବାଂଲାଦେଶ ୮୦/୮ରେ ସୀମିତ ରହିଥିଲା। ନିଗର ସୁଲତାନା (୩୨) ଓ ଶୋର୍ନା ଅକ୍ତାର (୧୯*) କେବଳ ଦୁଇ ଅଙ୍କ ଛୁଇଁ ପାରିଥିଲେ। ଜବାବରେ ଭାରତ କୌଣସି ୱିକେଟ୍ ନହରାଇ ୧୧ ଓଭରରେ ମ୍ୟାଚ୍ ଜିତି ନେଇଥିଲା। ସ୍ମୃତି ମନ୍ଧାନା (୫୫*, ୩୯ ବଲ୍, ୯ ଚୌକା, ୧ ଛକା) ଅର୍ଦ୍ଧଶତକ ଅର୍ଜନ କରିଥିଲା ବେଳେ ଶେଫାଳି ବର୍ମା ୨୬* (୨୮ ବଲ୍, ୨ ଚୌକା) ରନ୍ କରିଥିଲେ। ଏହି ଦୁଇ ଓପନର୍ ପାୱାର ପ୍ଲେରେ ୪୬ ରନ୍ ସଂଗ୍ରହ କରିଥିଲେ। ରେଣୁକା ସିଂହ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

Comments are closed.