ମଜାରେ କଲିଂ ବେଲ୍ ଚିପିଥିବା ୩ ପିଲାଙ୍କୁ ହତ୍ୟା

ଆମେରିକାରେ ଭାରତୀୟ ବଂଶୋଦ୍ଭବ ଦୋଷୀ ସାବ୍ୟସ୍ତ

ନ୍ୟୁୟର୍କ: ଜଣେ ଭାରତୀୟ ବଂଶୋଦ୍ଭବ ଆମେରିକୀୟ ନାଗରିକ କାଲିଫର୍ଣ୍ଣିଆରେ ୩ ଜଣ ବାଳକଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଦୋଷୀସାବ୍ୟସ୍ତ ହୋଇଛନ୍ତି। ଉକ୍ତ ଭାରତୀୟ ବଂଶୋଦ୍ଭବଙ୍କ ନାମ ଅନୁରାଗ ଚନ୍ଦ୍ର । ୩ ଜଣ ବାଳକ ତାଙ୍କ କାଲିଫର୍ଣ୍ଣିଆ ସ୍ଥିତ ଘର ଦରଜାରେ ଲାଗିଥିବା କଲିଂ ବେଲ୍କୁ ମଜାରେ ଦବାଇଥିବାରୁ ସେ ଉକ୍ତ ତିନିଜଣ ବାଳକଙ୍କୁ ଗାଡ଼ି ଧକ୍କା କରି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଆମେରିକାର ଏକ କୋର୍ଟ ଅନୁରାଗଙ୍କୁ ଏହି ମାମଲାରେ ଶୁକ୍ରବାର ଦୋଷୀ ସାବ୍ୟସ୍ତ କରିଛନ୍ତି।
୨୦୨୦ ଜାନୁଆରି ୧୯ରେ ପିଲାମାେନେ କଲିଂବେଲ ବଜାଇ ଏକ କାର୍ରେ ପଳାଇଥିଲେ। ଜଣେ ୧୮ ବର୍ଷର ବାଳକ ଏହି କାର୍ ଚଳାଉଥିଲା। ଅନୁରାଗ ସେମାନଙ୍କୁ ନିଜର ଟୋୟୋଟା ପ୍ରାୟସ କାର୍ ନେଇ ଗୋଡ଼ାଇଥିଲେ ଓ ସେମାନଙ୍କ କାର୍କୁ ପଛରୁ ଧକ୍କା ଦେଇଥିଲେ। ପିଲାଙ୍କ ଗାଡ଼ିଟି ଏକ ଗଛରେ ପିଟି ହୋଇଯାଇଥିଲା। ଏଥିରେ ୧୬ ବର୍ଷ ବୟସର ତିନିଜଣ ବାଳକଙ୍କ ମୃତ୍ୟୁ ହୋଇଥିଲା। କାର୍ ଚଳାଉଥିବା ୧୮ ବର୍ଷର ବାଳକ ଓ ଅନ୍ୟ ଦୁଇଜଣ ୧୩ ବର୍ଷର ବାଳକ ଆହତ ହୋଇଥିଲେ ବି ବଞ୍ଚିଯାଇଥିଲେ। ସେଦିନ ଅନୁରାଗ ୧୨ ବୋତଲ ବିୟର ପିଇ ନିଜ ହୋସ୍ରେ ନ ଥିବା ଏବଂ ନିଜ ପରିବାର ସୁରକ୍ଷା ନେଇ ଚିନ୍ତିତ ଥିବା ପ୍ରକାଶ କରିଥିଲେ। ପିଲାଙ୍କୁ ହତ୍ୟା କରିବା ତାଙ୍କର ଉଦ୍ଦେଶ୍ୟ ନ ଥିବା ସେ ଯୁକ୍ତି କରିଥିଲେ।

Launching Ceremony of “AYUSHMAN BHARAT

Comments are closed.