ଦୁବାଇ: ଭାରତୀୟ କ୍ରିକେଟ୍ ଦଳର ଦ୍ରୁତ ବୋଲର ଯଶ୍ପ୍ରୀତ ବୁମ୍ରା ଏବଂ ମହିଳା ଦଳର ବ୍ୟାଟର୍ ସ୍ମୃତି ମନ୍ଧାନା ଜୁନ୍ ମାସର ଶ୍ରେଷ୍ଠ ଆଇସିସି ଖେଳାଳି ପୁରସ୍କାର ପାଇଛନ୍ତି। ଉଭୟ ପୁରୁଷ ଓ ମହିଳା ପୁରସ୍କାର ଏକାଠି ଜିତିବା ଭାରତ ପାଇଁ ପ୍ରଥମ ଥର ହୋଇଛି। ଗତ ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ବୁମ୍ରା ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଯାହା ତାଙ୍କୁ ଏହି ପୁରସ୍କାର ପାଇବା ଲାଗି ଆଗରେ ରଖିଥିଲା। ସେ ଏହି ଦୌଡ଼ରେ ଥିବା ଭାରତୀୟ ଅଧିନାୟକ ରୋହିତ ଶର୍ମା ଓ ଆଫ୍ଗାନିସ୍ତାନର ରହମାନୁଲ୍ଲା ଗୁରବାଜଙ୍କୁ ପଛରେ ପକାଇ ଆଇସିସି ମାସର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇବାକୁ ଯୋଗ୍ୟ ହୋଇଥିଲେ। ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ୩୦ ବର୍ଷୀୟ ବୁମ୍ରା ୮.୨୬ ହାରାହାରି ଓ ୪.୧୭ ଇକୋନୋମିରେ ୧୫ ୱିକେଟ୍ ଅକ୍ତିଆର କରିଥିଲେ। ଅନ୍ୟପକ୍ଷରେ ମନ୍ଧାନା ନିଜର ଅନ୍ତର୍ଜାତୀୟ ଜୀବନରେ ପ୍ରଥମ ଥର ଏହି ପୁରସ୍କାର ପାଇଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ଦିନିକିଆ ଓ ଟେଷ୍ଟ୍ରେ ତାଙ୍କର ଚମତ୍କାର ପ୍ରଦର୍ଶନ ପାଇଁ ସେ ଇଂଲଣ୍ଡର ମାଇଆ ବାଉଚର ଓ ଶ୍ରୀଲଙ୍କାର ଭିଷ୍ମୀ ଗୁଣରତ୍ନେଙ୍କୁ ପଛରେ ପକାଇ ପୁରସ୍କୃତ ହୋଇଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଦୁଇ ଦିନିକିଆରେ ଦୁଇଟି ଶତକ (୧୧୩, ୧୩୬) ଏବଂ ତୃତୀୟ ମ୍ୟାଚ୍ରେ ୯୦ ରନ୍ର ପାଳି ଖେଳିଥିଲେ। ଏହାପରେ ସେ ଟେଷ୍ଟ୍ରେ ୧୪୯ ରନ୍ର ପାଳି ଖେଳିଥିଲେ।

Comments are closed.