ବିଶ୍ୱସାରା ପ୍ରତିବର୍ଷ ଜୁଲାଇ ମାସ ୧୧ ତାରିଖରେ ଦିନ ପାଳିତ ହୋଇଥାଏ ବିଶ୍ୱ ଜନସଂଖ୍ୟା ଦିବସ । ଜନସଂଖ୍ୟା ବୃଦ୍ଧି ଜନିତ ସମସ୍ୟା ସଂପର୍କରେ ବିଶ୍ୱ ସ୍ତରରେ ସଚେତନତା ସୃଷ୍ଟି କରିବା ଏହାର ପ୍ରାଥମିକ ଲକ୍ଷ୍ୟ । ଉକ୍ତ କାର୍ଯ୍ୟକ୍ରମ ୧୯୮୯ ମସିହାରେ ସଂଯୁକ୍ତ ରାଷ୍ଟ୍ର ବିକାଶ କାର୍ଯ୍ୟକ୍ରମର ଗଭର୍ଣ୍ଣିଂ କାଉନସିଲଦ୍ୱାରା ପ୍ରଥମେ ଅନୁମୋଦିତ ହୋଇଥିଲା । ଜନସଂଖ୍ୟା ବୃଦ୍ଧି କ୍ରମରେ ହିସାବ କଲେ, ୧୯୮୭ ଜୁଲାଇ ୧୧ ଦିନ ବିଶ୍ୱ ଜନସଂଖ୍ୟା ଆନୁମାନିକ ପାଞ୍ଚଶହ କୋଟି ହୋଇଥିଲା । ଏହି ତଥ୍ୟକୁ ଭିତ୍ତିକରି, ସାର୍ବଜନିକ ହିତରେ ଜୁଲାଇ ୧୧ ତାରିଖକୁ ବିଶ୍ୱ ଜନସଂଖ୍ୟା ଦିବସ ଭାବେ ପାଳନ କରିବାପାଇଁ ନିଷ୍ପତ୍ତି ନିଆଯାଇଛି । ସାରା ବିଶ୍ୱରେ ଜନସଂଖ୍ୟା ବୃଦ୍ଧି ସମ୍ବନ୍ଧିତ ସମସ୍ୟାର ସମାଧାନ ଦିଗରେ କାର୍ଯ୍ୟ କରିବା ସହ ଲୈଙ୍ଗିକ ସମାନତା, ପରିବାର ନିୟୋଜନ, ମାତୃସ୍ୱାସ୍ଥ୍ୟ ତଥା ମାନବାଧିକାର ଇତ୍ୟାଦି ବିଷୟରେ ଜନସଚେତନତା ସୃଷ୍ଟି କରିବା ହେଉଛି ଜନସଂଖ୍ୟା ଦିବସ ପାଳନର ଉଦ୍ଦେଶ୍ୟ । ଜନସଂଖ୍ୟା ବୃଦ୍ଧି ରୋକିବା ଦିଗରେ ପଦକ୍ଷେପ ନ ନେଲେ ଏହା ବିଭିନ୍ନ ଉନ୍ନୟାନମୂଳକ ଯୋଜନା କାର୍ଯ୍ୟକାରୀ କରିବା ଦିଗରେ ଏକ ପ୍ରତିବନ୍ଧକ ରୂପେ ଦେଖାଦେବ ବୋଲି ଆକଳନ କରାଯାଉଛି ।