ବିଧୁଭୂଷଣ ଦାସ

ଅନେକ ଏଭଳି ଓଡିଆ ଅଛନ୍ତି ଯେଉଁମାନେ ଆନ୍ତର୍ଜାତୀୟ ସ୍ତରରେ ଓଡ଼ିଶାର ନାଁକୁ ପରିଚିତ କରାଇଛନ୍ତି । ସେମାନଙ୍କ ପ୍ରତିଭା ପାଇଁ ସାରା ବିଶ୍ୱରେ ଓଡିଆ ଭାଷା ସୁଖ୍ୟାତି ଲାଭ କରିଛି । ସେହିଭଳି ଜଣେ ଆନ୍ତର୍ଜାତୀୟ ଖ୍ୟାତିସମ୍ପର୍ଣ୍ଣ ଓଡ଼ିଆ ଶିକ୍ଷାବିତ ଥିଲେ ବିଧୁଭୂଷଣ ଦାସ । ସେ କଲମ୍ବିଆ ବିଶ୍ୱ ବିଦ୍ୟାଳୟରୁ ଏ.ଏମ. ଓ ଅକ୍ସଫୋର୍ଡ଼ ବିଶ୍ୱବିଦ୍ୟାଳୟ ଅଧିନସ୍ଥ କ୍ରାଇଷ୍ଟ ଚର୍ଚ୍ଚ ମହାବିଦ୍ୟାଳୟରୁ ଏମ.ଲିଟ. ଶିକ୍ଷାହାସଲ କରିଥିଲେ । ଏହାସହିତ ପାଟଣା ବିଶ୍ୱବିଦ୍ୟାଳୟରୁ ସେ ଇଂରାଜୀରେ ସ୍ନାତକୋତ୍ତର ଶିକ୍ଷା ସମାପ୍ତ କରିଥିଲେ । ୧୯୭୧ ମସିହାରେ ସେ ଇକୋନୋମିକ ଡେଭଲପମେଣ୍ଟ ଇନଷ୍ଟିଟୁଟର(ବର୍ତ୍ତମାନ ଓ୍ୱାର୍ଲଡ଼ ବ୍ୟାଙ୍କ ଇନଷ୍ଟିଟୁଟ ନାମରେ ନାମିତ) ଫେଲୋସିପ ମଧ୍ୟ ଲାଭ କରିଥିଲେ । ଆଧୁନିକ ଓଡ଼ିଶାର ଶିକ୍ଷାବ୍ୟବସ୍ଥା ନିରୁପଣ ଓ ନିର୍ମାଣରେ ବିଧୁଭୂଷଣଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା । ୧୯୪୪ ମସିହାରୁ ବିଧୁଭୂଷଣ ରେଭେନ୍ସା ମହାବିଦ୍ୟାଳୟରେ ଅଧ୍ୟାପନା ଆରମ୍ଭ କରିଥିଲେ । ୧୯୫୦ ମସିହାରେ ସେ ସୋନପୁରରେ ପ୍ରଫେସର ଭାବରେ ଅଧିଷ୍ଠ ହୋଇଥିଲେ । ୧୯୫୯ ମସିହାରେ କଲମ୍ବୋ ପ୍ଲାନ ଅନ୍ତର୍ଗତ ଇଣ୍ଡିଆନ ଏଡ଼ ମିସନ’ରେ, ସେ ନେପାଳର ରାଜା ମହେନ୍ଦ୍ରଙ୍କର ଉପଦେଷ୍ଟା ରୂପରେ ନିଯୁକ୍ତି ପାଇଥିଲେ । ଏହି ସମୟରେ ସେ କାଠମାଣ୍ଡୁର ତ୍ରିଭୂବନ ବିଶ୍ୱବିଦ୍ୟାଳୟ ଉନ୍ନତିକରଣରେ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ । ୧୯୬୩ରୁ ୧୯୬୮ ମଧ୍ୟରେ ସେ ରାଞ୍ଛି ମହାବିଦ୍ୟାଳୟର ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରିଥିଲେ । ୧୯୬୮ରେ ରାଞ୍ଚି ବିଶ୍ୱବିଦ୍ୟାଳୟର ଅଧ୍ୟକ୍ଷ ଭାବରେ ନିଯୁକ୍ତ ହୋଇଥିଲେ । ୧୯୬୮ରେ ହିଁ ସେ ଓଡ଼ିଶାର ଡାଇରେକଫର ଅଫ ପବ୍ଲିକ ଇନଷ୍ଟ୍ରକଫର ଓ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ଭାବରେ ନିଯୁକ୍ତି ପାଇଥିଲେ । ଏହି ସମୟରେ ଓଡ଼ିଶାରେ ଶିକ୍ଷାର ଉନ୍ନତି ଦିଗରେ ସେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ । ସେ ଇଂରାଜୀ ଭାଷା, ଆମେରିକୀୟ ସାହିତ୍ୟ, ତୁଳନାତ୍ମକ ସାହିତ୍ୟ, ଭାଷାବିଜ୍ଞାନ ଓ ଦର୍ଶନ ଆଦି ବିଷୟରେ ପଢାଉଥିଲେ । ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରସ୍ତାବକୁ ସେ ଅଗ୍ରାହ୍ୟ କରିଥିଲେ । ୧୯୮୪ରେ ନାଗାଲାଣ୍ଡର ମୁଖ୍ୟମନ୍ତ୍ରୀ ଏସ. ସି. ଜମିରଙ୍କ ଉପଦେଷ୍ଟା ଭାବରେ ସେ ନିଯୁକ୍ତ ହୋଇଥିଲେ । ଏହି ସମୟରେ ନାଗାଲାଣ୍ଡ ବିଶ୍ୱବିଦ୍ୟାଳୟ ଉନ୍ନତିକରଣରେ ସେ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ । ବିଧୁଭୂଷଣ ୧୯୨୨ ମସିହାରେ ପୁରୀଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପୈତୃକ ଗ୍ରାମ ଥିଲା ଯାଜପୁର ଜିଲ୍ଲା ଅନ୍ତର୍ଗତ ଜମାଗଡ଼ । ବିଧୁଭୂଷଣ, ପ୍ରଭାତ ନଳିନୀଙ୍କୁ ବିବାହ କରିଥିଲେ । ସ୍ୱାଧୀନତା ସଂଗ୍ରାମୀ ସରଳା ଦେବୀ ଥିଲେ ତାଙ୍କର ମାଇଁ । ତାଙ୍କ ପ୍ରତିଭା ପାଇଁ ତାଙ୍କୁ ଅନେକ ସମ୍ମାନରେ ସମ୍ମାନିତ କରାଯାଇଛି । ଏହି ମହାନ ବ୍ୟକ୍ତିତ୍ୱଙ୍କର ୨ ଜୁନ ୧୯୯୯ରେ ମହାପରାୟଣ ଘଟିଥିଲା । ତାଙ୍କର ଅଗାଢ ଜ୍ଞାନ ଓ ପ୍ରତିଭା ପାଇଁ ଆଜି ବି ଲୋକ ତାଙ୍କୁ ସ୍ମରଣ କରିଥାଆନ୍ତି ।

Govt

Comments are closed.