ବାୟୁସେନାର ମିରାଜ-୨୦୦୦ ବିମାନ ଦୁର୍ଘଟଣାଗ୍ରସ୍ତ

ଗ୍ବାଲିୟର: ମଧ୍ୟପ୍ରଦେଶର ଗ୍ୱାଲିୟରରେ ପ୍ରଶିକ୍ଷଣ ଉଡ଼ାଣ ସମୟରେ ଭାରତୀୟ ବାୟୁସେନାର ମିରାଜ-୨୦୦୦ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଗ୍ୱାଲିୟରର ଭାଇସା ଗାଁରେ ଏହି ଘଟଣା ଘଟିଛି। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୂରା ବିମାନ ହୁତୁହୁତୁ ହୋଇ ଜଳୁଥିଲା। ଲୋକେ ଚାରିଆଡ଼େ ଖୋଜାଖୋଜି କରିବାରୁ ଦୁଇ ଜଣ ପାଇଲଟଙ୍କୁ ପାଇଥିଲେ। ସେମାନଙ୍କ ଅବସ୍ଥା ମଧ୍ୟ ଖରାପ ଥିଲା। ସେମାନେ ଚେତାଶୂନ୍ୟ ହୋଇପଡ଼ିଥିଲେ। ଗାଁ ଲୋକେ ସେମାନଙ୍କ ଉପରକୁ ପାଣି ପକାଇ ଚେତା ଫେରାଇ ଆଣିବାକୁ ଚେଷ୍ଟା କରିଥିଲେ। ଉଭୟ ପାଇଲଟ୍ ସୁରକ୍ଷିତ ଭାବେ ଉଦ୍ଧାର ହୋଇଥିଲେ। ଦୁର୍ଘଟଣାର କାରଣ ଜାଣିବା ପାଇଁ ବାୟୁସେନା ପକ୍ଷରୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ପ୍ରାଥମିକ ରିପୋର୍ଟ ଅନୁଯାୟୀ, ଯାନ୍ତ୍ରିକ ତ୍ରୁଟି ହେତୁ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ସନ୍ଦେହ କରାଯାଉଛି। ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ କୋର୍ଟ ଅଫ୍ ଇନକ୍ୱାରି ନିର୍ଦ୍ଦେଶ ଦିଆଯାଇଛି। ମିରାଜ ୨୦୦୦ ଏକ ମଲ୍ଟିରୋଲ ଲଢୁଆ ବିମାନ ଏବଂ ଏହା ଭାରତୀୟ ବାୟୁସେନାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ୨୦୧୯ରେ ବାଲାକୋଟ ଏୟାର୍‌ଷ୍ଟ୍ରାଇକ୍ ସମେତ ବିଭିନ୍ନ ଅପରେସନରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ନିକଟରେ ପ୍ରତିରକ୍ଷା ବିଭାଗର ଷ୍ଟାଣ୍ଡିଂ କମିଟିର ଏକ ରିପୋର୍ଟରେ ବାୟୁସେନା ସହ ଜଡ଼ିତ ବଢୁଥିବା ବିମାନ ଦୁର୍ଘଟଣାକୁ ନେଇ ଚିନ୍ତା ପ୍ରକଟ କରିଥିବାବେଳେ ପୁଣି ଆଉ ଏକ ଦୁର୍ଘଟଣା ହୋଇଛି।

Govt

Comments are closed.