ବାସଭବନ ନବୀକରଣ ପାଇଁ କେଜ୍ରିୱାଲ ୪୫ କୋଟି ଖର୍ଚ୍ଚ କରିଛନ୍ତି

କଡ଼ା ସମାଲୋଚନା କଲେ ବିଜେପି, କଂଗ୍ରେସ

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କରୋନା ମହାମାରୀ ସମୟରେ ଦିଲ୍ଲୀରେ ତାଙ୍କର ସରକାରୀ ବାସଭବନ ନବୀକରଣ ଏବଂ ସୌନ୍ଦର୍ଯ୍ୟକରଣ କରିବାପାଇଁ ୪୫ କୋଟି ଖର୍ଚ୍ଚ କରିଛନ୍ତି ବୋଲି ଏକ ରିପୋର୍ଟ ପ୍ରକାଶ ପାଇବାପରେ ବିଜେପି ଏବଂ କଂଗ୍ରେସ ଆପ୍ ପ୍ରତିଷ୍ଠାତା କେଜ୍ରିୱାଲଙ୍କୁ କଡ଼ା ସମାଲୋଚନା କରିଛନ୍ତି। ବିଜେପିର ସମ୍ବିତ ପାତ୍ର କେଜ୍ରିୱାଲଙ୍କୁ ଜଣେ ମହାରାଜା କହି ସମାଲୋଚନା କରିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀ କରି ସମ୍ବିତ ପାତ୍ର କହିଛନ୍ତି, କେଜ୍ରିୱାଲ ଯେଉଁଭଳି ଭାବେ ବିଳାଶକୁ ପସନ୍ଦ କରିଛନ୍ତି ଏବଂ ତାଙ୍କ ବାସଭବନରେ ଯେଉଁଭଳି ବିଳାଶପୂର୍ଣ୍ଣ ସାମଗ୍ରୀ ରଖିଛନ୍ତି ରାଜାମାନେ ବି ତାଙ୍କ ପାଖରେ ମୁଣ୍ଡ ନୁଆଁଇଦେବେ। ଘର ନବୀକରଣରେ କେଜ୍ରିୱାଲ ଏତେ ଟଙ୍କା ଖର୍ଚ୍ଚ କରିଛନ୍ତି ବୋଲି ଗଣମାଧ୍ୟମରେ ଖବର ପ୍ରକାଶ ଏବଂ ପ୍ରସାର ନକରିବାପାଇଁ ସେ ବିଭିନ୍ନ ଗଣମାଧ୍ୟମ ସଂସ୍ଥାକୁ ୨୦ରୁ ୫୦ କୋଟି ଟଙ୍କା ଲାଞ୍ଚ ଅଫର ଦେଇଥିଲେ ବୋଲି ପାତ୍ର ଅଭିଯୋଗ କରିଛନ୍ତି। କିନ୍ତୁ ଗଣମାଧ୍ୟମ ସଂସ୍ଥା କେଜ୍ରିୱାଲଙ୍କ ଲାଞ୍ଚ ଅଫର ଗ୍ରହଣ କରିନାହାନ୍ତି ବୋଲି ପାତ୍ର କହିଲଛନ୍ତି, କେଜ୍ରିୱାଲଙ୍କ ଘର ପାଇଁ କିଣାଯାଇଥିବା କର୍ଟେନ ମଧ୍ୟରୁ ଗୋଟିଏ କର୍ଟେନର ଦାମ୍ ୭.୯୪ ଲକ୍ଷ। ସବୁଠାରୁ କମ୍ ଦାମ୍ର କର୍ଟେନର ମୂଲ୍ୟ ୩.୫୭ ଲକ୍ଷ। ସେହିପରି ଭିଏତନାମରୁ ୧.୧୫ କୋଟି ଟଙ୍କାର ମାର୍ବଲ ଅଣାଯାଇଛି ଏବଂ ଫାବ୍ରିକେଟେଡ ଉଡେନ ୱାଲ୍ ପାଇଁ ୪ କୋଟି ଖର୍ଚ୍ଚ ହୋଇଛି। କେଜ୍ରିୱାଲ ଏକ ସାମ୍ବାଦିକ ସମ୍ମିଳନୀ କରି ସମସ୍ତ ପ୍ରଶ୍ନର ଉତ୍ତର ରଖିବାପାଇଁ ସମ୍ବିତ ପାତ୍ର କହିଛନ୍ତି। ତେବେ ବରିଷ୍ଠ ଆପ ନେତା ବିଜେପିକୁ ଜବାବ ଦେଇ କହିଛନ୍ତି ଯେ କେଜ୍ରିୱାଲଙ୍କ ସରକାରୀ ବାସଭବନ ୧୯୪୨ରେ ନିର୍ମାଣ ହୋଇଥିଲା। ଦିଲ୍ଲୀ ସରକାରଙ୍କ ପୂର୍ତ୍ତ ବିଭାଗ ଏକ ଯାଞ୍ଚ କରିବାପରେ ଘର ନବୀକରଣ ପାଇଁ ସୁପାରିସ କରିଥିଲେ ବୋଲି ସେ କହିଛନ୍ତି। କଂଗ୍ରେସ ନେତା ଅଜୟ ମାକେନ କହିଛନ୍ତି, କେଜ୍ରିୱାଲ ତାଙ୍କ ବିଳାଶପୂର୍ଣ୍ଣ ବଙ୍ଗଳାରେ ସରକାରୀ ପାଣ୍ଠିରୁ ୪୫ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ମାକେନ କହିଛନ୍ତି, କେଜ୍ରିୱାଲ ପ୍ରତିଜ୍ଞା କରିଥିଲେ ଯେ ସେ ନାଲିବତୀ ଥିବା ଗାଡ଼ି ବି ବ୍ୟବହାର କରିବେନି। ବିଳାଶପୂର୍ଣ୍ଣ ବଙ୍ଗଳା ପାଇଁ ବି ମନା କରିଥିଲେ। କିନ୍ତୁ ଦିଲ୍ଲୀ ବାସିନ୍ଦା କରୋନା ମହାମାରୀ ସମୟରେ ଅକ୍ସିଜେନ ଟିକେ ପାଇବାପାଇଁ ଡହଳ ବିକଳ ହେଉଥିବାବେଳେ କେଜ୍ରିୱାଲ ତାଙ୍କ ଘର ନବୀକରଣ କାର୍ଯ୍ୟରେ ୪୫ କୋଟି ଖର୍ଚ୍ଚ କରିଛନ୍ତି ବୋଲି ସେ କହିଛନ୍ତି।

Govt

Comments are closed.