ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ନିକ୍ଷେପ କଲା ଉତ୍ତର କୋରିଆ

ସିଓଲ: ଉତ୍ତର କୋେରିଆ ଆଜି ଦୁଇଟି ସନ୍ଦିଗ୍ଧ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ନିକ୍ଷେପ କରିବାରୁ ଉତ୍ତରାଞ୍ଚଳ ହୋକ୍କାଇଡ଼ୋ ଅଞ୍ଚଳର ବାସିନ୍ଦାମାନଙ୍କୁ ନିରାପଦ ଆଶ୍ରୟସ୍ଥଳକୁ ଚାଲିଯିବା ପାଇଁ ଜାପାନ ସରକାର ସତର୍କ କରାଇ କହିଛନ୍ତି। ଜାପାନ ସାଗର ଭାବେ ଜଣାଶୁଣା ପୂର୍ବ ସାଗର ଆଡ଼କୁ ଉତ୍ତର କୋରିଆ ଦୁଇଟି କ୍ଷେପଣାସ୍ତ୍ର ନିକ୍ଷେପ କରିଥିବା ନେଇ ଦକ୍ଷିଣ କୋରିଆର ୟୋନ୍ହାପ୍ ନିଉଜ୍ ଏଜେନ୍ସି ରିପୋର୍ଟ କରିଛି। ଦକ୍ଷିଣ କୋରିଆର ‘ଜଏଣ୍ଟ୍ ଚିଫ୍ ଅଫ୍ ଷ୍ଟାଫ୍’ କହିଛନ୍ତି, ସ୍ଥାନୀୟ ସମୟ ସକାଳ ପ୍ରାୟ ୭.୨୩ ମିନିଟ୍ରେ ପିୟୋଙ୍ଗ୍ୟାଙ୍ଗ୍ ନିକଟରୁ ଉତ୍ତର କୋରିଆ ଗୋଟିଏ ମଧ୍ୟମ-ରେଞ୍ଜ୍ କିମ୍ବା ତା’ଠାରୁ ଅଧିକ ରେଞ୍ଜ୍ର ବାଲିଷ୍ଟିକ୍ କ୍ଷେପଣାସ୍ତ୍ର କୋରୀୟ ଉପଦ୍ବୀପର ପୂର୍ବତଟବର୍ତ୍ତୀ ଜଳରାଶି ଆଡ଼କୁ ନିକ୍ଷେପ କରିଛି। ଜାପାନର ପ୍ରତିରକ୍ଷା ମନ୍ତ୍ରୀ ୟାସୁକାଜୁ ହାମାଦା କହିଛନ୍ତି, କ୍ଷେପଣାସ୍ତ୍ରଟି ଉତ୍ତର କୋରିଆର ସବୁଠୁ ଦୀର୍ଘ ରେଞ୍ଜ୍ର ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ‘ଇଣ୍ଟର୍କଣ୍ଟିନେଣ୍ଟାଲ୍ ବାଲିଷ୍ଟିକ୍ ମିସାଇଲ୍’ ଶ୍ରେଣୀର ହୋଇପାରେ। କିନ୍ତୁ, ଜାପାନୀ କର୍ତ୍ତୃପକ୍ଷମାନେ ସେ ବିଷୟରେ ବିଶ୍ଳେଷଣ କରୁଛନ୍ତି। ହାମାଦା ଆହୁରି ମଧ୍ୟ କହିଛନ୍ତି ଯେ, ଉକ୍ତ କ୍ଷେପଣାସ୍ତ୍ରଟି ଜାପାନର ‘ଏକ୍ସକ୍ଲୁସିଭ୍ ଇକୋନୋମିକ୍ ଜୋନ୍’ରେ ପଡ଼ିଛି। ତେଣୁ, ଉତ୍ତରାଞ୍ଚଳ ହୋକ୍କାଇଡ଼ୋ ଅଞ୍ଚଳର ବାସିନ୍ଦାମାନଙ୍କୁ ନିରାପଦ ଆଶ୍ରୟସ୍ଥଳକୁ ଚାଲିଯିବା ପାଇଁ ସତର୍କ କରାଇ ଦିଆଯାଇଥିଲା। କିନ୍ତୁ, ପ୍ରତିରକ୍ଷା ମନ୍ତ୍ରାଳୟରୁ ସୂଚନା ସଂଗ୍ରହ କରି ଜାପାନୀ ସରକାରୀ ସମ୍ବାଦ ପ୍ରସାରଣକାରୀ ‘ଏନ୍ଏଚ୍କେ’ କହିଛି, ବାଲିଷ୍ଟିକ୍ କ୍ଷେପଣାସ୍ତ୍ରଟି ପଡ଼ିସାରିଛି। ତେଣୁ, ହୋକ୍କାଇଡ଼ୋ ଓ ତା’ର ଆଖପାଖ ଅଞ୍ଚଳ ପ୍ରତି ଆଉ ବିପଦର ଆଶଙ୍କା ନାହିଁ।

Launching Ceremony of “AYUSHMAN BHARAT

Comments are closed.