By Shakti Prakash Nanda
ନୂଆଦିଲ୍ଲୀ : ମେ ୨୭:ଗତ ୪ବର୍ଷ ତଳର କଥା । ତୁମର ବିଜୟ ମୋର ଉତ୍ତମ ସ୍ୱାସ୍ଥ୍ୟରେ ସହାୟକ ହୁଏ ବୋଲି ବଲବୀର ସିଂହଙ୍କ କେଇପଦ କଥା ଆଜି ବି ଧୋନିଙ୍କ କାନରେ ଗୁଞ୍ଜରିତ ହେଉଛି । ମୋହାଲିରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଟି-୨୦ ବିଶ୍ୱକପ୍ର ଏକ ମୁକାବିଲା ହୋଇଥିଲା । ମ୍ୟାଚ୍ ପୂର୍ବରୁ ହକି କିମ୍ବଦନ୍ତୀ ବଲବୀର ସିଂ ଟିମ୍ ଇଣ୍ଡିଆକୁ ଶୁଭକାମନା ଜଣାଇଥିଲେ । ବଲବୀରଙ୍କ ସହ ସାକ୍ଷାତକାର ଧୋନିଙ୍କ ପାଇଁ ସ୍ମରଣୀୟ । ମୋହାଲିରେ ବଲବୀରଙ୍କୁ ଭେଟିବା ପରେ ଧୋନି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ । ଧୋନିଙ୍କ କଥାରେ ବଲବୀର ହସିହସି ଉତ୍ତର ଦେଇଥିଲେ, ‘ତୁମର ବିଜୟ, ମୋର ଉତ୍ତମ ସ୍ୱାସ୍ଥ୍ୟରେ ସହାୟକ ହେଉଛି ।’ ହକି ପ୍ରତି ସମର୍ପିତ ବଲବୀର ସିଂଙ୍କ କ୍ରିକେଟ୍ ପ୍ରତି ଅହେତୁକ ଦୁର୍ବଳତା ଥିଲା । ୯୨ ବର୍ଷୀୟ ବଲ୍ବୀର ଭାରତୀୟ ଦଳକୁ ତୃତୀୟ ବିଶ୍ୱକପ୍ ଟାଇଟଲ ଜିତି ଗୋଲେïନ୍ ହ୍ୟାଟି୍ରକ୍ ପୂରଣ କରିବାକୁ ଶୁଭକାମନା ଜଣାଇଥିଲେ । କାରଣ ଧୋନିଙ୍କ ନେତୃତ୍ୱରେ ଭାରତ ୨୦୦୭ (ଟି-୨୦) ଓ ୨୦୧୧ (ଦିନିକିଆ) ବିଶ୍ୱକପ୍ ଜିତିଥିଲା । ମୋହାଲି ମ୍ୟାଚ୍ରେ ଭାରତ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ପରାଜିତ କରି ସେମିଫାଇନାଲ୍ରେ ପ୍ରବେଶ କରିଥିଲା । କିନ୍ତୁ ସେମିଫାଇନାଲ୍ରେ ଇଣ୍ଡିଜ୍ ନିକଟରୁ ହାରିଯାଇଥିଲା । ଏହି ସଂସ୍କରଣରେ ଇଣ୍ଡିଜ୍ ପ୍ରଥମ ଥର ଟି-୨୦ ବିଶ୍ୱକପ୍ ଟାଇଟଲ୍ ଜିତିବାର ସୌଭାଗ୍ୟ ଅର୍ଜନ କରିଥିଲା ।
ଗତ ଦୁଇ ସପ୍ତାହ ହେବ ହକି କିମ୍ବଦନ୍ତୀ ବଲବୀର ହସ୍ପିଟାଲରେ ଜୀବନ ମରଣ ସହ ଲଢ଼ୁଥିଲେ । ଶେଷରେ ସୋମବାର ତାଙ୍କର ଦେହାନ୍ତ ହୋଇଥିଲା । ଅନ୍ତର୍ଜାତୀୟ ଅଲିମ୍ପିକ୍ସ କମିଟି ପକ୍ଷରୁ ମନୋନୀତ ୧୬ ଜଣ କିମ୍ବଦନ୍ତୀଙ୍କ ମଧ୍ୟରେ ବଲବୀର ସିଂ ସ୍ଥାନ ପାଇଥିଲେ । ୧୯୫୨ ଅଲିମ୍ପିକ୍ସରେ ସ୍ୱର୍ଣ୍ଣପଦକ ବିଜୟୀ ଭାରତୀୟ ଦଳରେ ବଲବୀର ସିଂଙ୍କ ଭୂମିକା ଅତୁଳନୀୟ ଥିଲା । ଫାଇନାଲ ମ୍ୟାଚ୍ରେ ଭାରତ ୬-୧ ଗୋଲ୍ରେ ନେଦରଲାଣ୍ଡକୁ ପରାସ୍ତ କରି ସ୍ୱର୍ଣ୍ଣିମ ସଫଳତା ହାସଲ କରିଥିଲା । ଏହି ମ୍ୟାଚ୍ରେ ବଲବୀର ୫ଟି ଗୋଲ୍ ସ୍କୋର କରି ଅଦ୍ୟାବଧି ବ୍ୟକ୍ତିଗତ ସର୍ବାଧିକ ସ୍କୋରର୍ ହେବାର ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି । ୧୯୫୭ରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା । ୧୯୭୫ ହକି ବିଶ୍ୱକପ୍ ବିଜୟୀ ଭାରତୀୟ ଦଳର ମ୍ୟାନେଜର ତଥା ମୁଖ୍ୟ କୋଚ୍ ଦାୟିତ୍ୱ ତୁଲାଇ ଥିଲେ ।

Comments are closed.