ପ୍ୟାରିସ୍‌ ଅଲିମ୍ପିକ୍ସରେ ପ୍ରଥମ କୋଭିଡ୍‌-୧୯ ମାମଲା; ଅଷ୍ଟ୍ରେଲୀୟ ଖେଳାଳି ସଂକ୍ରମିତ

ପ୍ୟାରିସ୍‌: ଅଷ୍ଟ୍ରେଲିଆର ଜଣେ ୱାଟର ପୋଲୋ ଖେଳାଳି କୋଭିଡ୍‌-୧୯ରେ ସଂକ୍ରମିତ ହୋଇଛନ୍ତି। ଏହି ଦେଶର ଅଲିମ୍ପିକ୍ ଦଳର ଚିଫ୍‌ ଡି ମିସନ୍‌ ଆନ୍ନା ମିଅର୍ସ ସଂପୃକ୍ତ କ୍ରୀଡ଼ାବିତ୍‌ଙ୍କ ନାମ ପ୍ରକାଶ କରି ନଥିଲେ ମଧ୍ୟ ତାଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟ କ୍ରୀଡ଼ାବିତ୍‌ଙ୍କ ଉପରେ ନଜର ରଖାଯାଉଛି ଓ ସେମାନଙ୍କ କୋଭିଡ୍‌ ପରୀକ୍ଷା କରାଯାଉଥିବା କହିଛନ୍ତି। ଏହାସତ୍ତ୍ବେ ଦଳର ପ୍ରଶିକ୍ଷଣ ପୂର୍ବ ନିର୍ଧାରିତ ସୂଚୀ ଅନୁସାରେ ହେବ ବୋଲି ମିଅର୍ସ ସୂଚନା ଦେଇଛନ୍ତି। ଅଲିମ୍ପିକ୍ସ କ୍ରୀଡ଼ା ଗ୍ରାମରେ କୋଭିଡ୍‌-୧୯ ସଂକ୍ରମଣରେ ଏହା ପ୍ରଥମ ମାମଲା। ଅଷ୍ଟ୍ରେଲିଆ ୱାଟର ପୋଲୋ ଦଳ ସହିତ ଦୁଇ ଜଣ କ୍ରୀଡ଼ାବିତ୍‌ ଆସିଛନ୍ତି। ସେଥିମଧ୍ୟରୁ ଏବେ ମାତ୍ର ଜଣେ ସୁସ୍ଥ ଖେଳାଳି ଅଛନ୍ତି। ଯେପରି ସେମାନ‌େ ପରସ୍ପରର ନିକଟତର ନହେବେ ସେ‌ଥିପ୍ରତି ଦୃଷ୍ଟି ରଖାଯାଇଛି। କ୍ରୀଡ଼ାବିତ୍‌ମାନେ ମାସ୍କ ପରିଧାନ କରିବା ସହିତ ସାମାଜିକ ଦୂରତା ବଜାୟ ରଖିବାକୁ କୁହାଯାଇଛି। ଗତକାଲି ରାତିରେ ସଂପୃକ୍ତ ସଂକ୍ରମିତଙ୍କ ଠାରେ ଲକ୍ଷଣ ଦେଖାଦେଇଥିଲା। ଆମ ସହିତ ଆଣାଯାଇଥିବା ପରୀକ୍ଷା କିଟ୍‌ ଦ୍ବାରା ସେ ସଂକ୍ରମିତ ହୋଇଥିବା ସ୍ପଷ୍ଟ ହୋଇଥିଲା। ତେଣୁ ତୁରନ୍ତ ତାଙ୍କର ଚିକିତ୍ସା ପ୍ରକ୍ରିୟା ଆରମ୍ଭ କରାଯାଇଥିବା ମିଅର୍ସ କହିଛନ୍ତି।

Govt

Comments are closed.