ନୂଆପଡା/ଭବାନୀପାଟଣା: ଆଜି ପୃଥକ ସ୍ଥାନରେ ଦୁର୍ଘଟଣା ଘଟି ୨ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ଆଜି ସକାଳେ ନୂଆପଡା ଏକତା ଛକରେ ଘଟିଛି ମର୍ମନ୍ତୁଦ ବାଇକ ଦୁର୍ଘଟଣା । ଏଥିରେ ବାଇକ ଆରୋହୀ ଗୁରୁତର ଆହତ ହୋଇଥିବାବେଳେ ଘଟଣାସ୍ଥଳରେ ପତ୍ନୀଙ୍କର ମୃତ୍ୟୁ ଘଟିଛି । ମୃତକ ହେଲେ ରୁକ୍ମିଣୀ ସାହୁ ଏବଂ ଆହତ ହେଲେ ତାଙ୍କ ସ୍ୱାମୀ ଛବିଲାଲ ସାହୁ ।
ସୂଚନା ଅନୁସାରେ ଆଜି ସକାଳୁ ସ୍ଵାମୀ ସ୍ତ୍ରୀ ଏକ ବାଇକରେ ଖରିଆର ରୋଡ୍ ପଟେ ଯାଉଥିଲେ। ନୂଆପଡ଼ା ଏକତା ଛକରେ ଟ୍ରାଫିକ ସିଗ୍ନାଲ ଅତିକ୍ରମ କରିବାବେଳେ, ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ୍ ପଛପଟୁ ଆସି ବାଇକକୁ ଧକ୍କା ଦେଇଥିଲା। ଫଳରେ ସ୍ତ୍ରୀ ବାଇକରୁ ତଳକୁ ଖସି ପଡିବାରୁ ତାଙ୍କ ମୁଣ୍ଡ ଉପରେ ଟ୍ରକଟି ଚଢି ପଳାଇଥିଲା । ଦୁର୍ଘଟଣାରେ ରୁକ୍ମିଣୀଙ୍କର ମୃତ୍ୟୁ ଘଟିଥିବାବେଳେ ଛବିଲାଲ ଗୁରୁତର ଭାବେ ଆହତ ହୋଇଥିଲେ । ଖବର ପାଇ ନୂଆପଡ଼ା ଆଇଆଇସି ଗଙ୍ଗାଧର ମେହେର ଘଟଣା ସ୍ଥଳରେ ପହଞ୍ଚି ଉଭୟ ମୃତାହତଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । ଏହି ଘଟଣାରେ ଅଧିକ ତଦନ୍ତ ଜାରି ରହିଛି ।
ଅନ୍ୟପଟେ ଆଜି ଭୋର ସମୟରେ ଭବାନୀପାଟଣା ଇରିଗେଶନ କଲୋନୀ ଛକ ନିକଟରେ ଏକ ଟ୍ରକ୍ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ସ୍ଥାନୀୟ ଇରିଗେଶନ କଲୋନୀ ଛକର କାଳିଆ ସତନାମିଙ୍କ ପୁଅ ଶତ୍ରୁଘ୍ନ ସତନାମି ବୋଲି ଜଣାପଡ଼ିଛି। ଆଜି ଭୋର ପ୍ରାୟ ୪.୩୦ ସମୟରେ କଲେଜ ଛକ ଆଡୁ ଆସୁଥିବା ଏକ ଦ୍ରୁତଗାମୀ ଟ୍ରକ୍ ଭୁଲ ରାସ୍ତାରେ ଆସି ଶତ୍ରୁଘ୍ନଙ୍କୁ ଧକ୍କା ଦେଇଥିବା ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ଦୁର୍ଘଟଣା ପରେ ଟ୍ରକଟି ଫେରାର ହୋଇଯାଇଛି। ଟାଉନ୍ ଥାନା ପୁଲିସ ଘଟଣାର ତଦନ୍ତ କରୁଛି।

Comments are closed.