ନୀଳ ବର୍ଣ୍ଣ ଶୃଗାଳ

0

ପିଲାଦିନର ଅନେକ ଏଭଳି ଗପ ରହିଛି, ଯାହା ଆମକୁ ଜୀବନରେ କୌଣସି ନିଷ୍ପତ୍ତି ନେବା ଆଗରୁ ଏକାଧିକଥର ଭାବିବାର ଆବଶ୍ୟକତା ରହିଛି ବୋଲି ଶିକ୍ଷା ଦେଇଥାଏ । ସେହିଭଳି ମିଛର ସହାୟତା ନେଇ କୌଣସି କାର୍ଯ୍ୟ ସଫଳ ହୋଇପାରିବ ନାହିଁ ବୋଲି ମଧ୍ୟ ଏହି ଗପ ଶିକ୍ଷା ଦେଇଥାଏ ।

ପିଲାଦିନେ ଆଈମା କାହାଣୀ ପେଡି ଖୋଲିଲେ ଅନେକ ଏଭଳି କାହାଣୀ ଶୁଣିବାକୁ ମିଳିଥାଏ ଯାହା ଛୋଟବେଳୁ ଆମକୁ ଅନେକ ନୀତିଶିକ୍ଷା ପ୍ରଦାନ କରିଥାଏ । ଏହି ତାଲିକାରେ ଅନେକ କାହାଣୀ ସାମିଲ ଥାଏ ଯାହା ଆମକୁ ବିଭିନ୍ନ ଶିକ୍ଷା ଦେଇଥାଏ । ସେହିଭଳି ଏକ ଗଳ୍ପ ହେଲା ନୀଳବର୍ଣ୍ଣ ଶୃଗାଳ ଯାହା ଆମକୁ ଅନେକ ଏଭଳି କଥା ଶିକ୍ଷା ଦେଇଥାଏ ଯାହାକୁ ଆମେ ଆମ ଦୈନନ୍ଦିନ ଜୀବନରେ ବ୍ୟବହାର କରିପାରିବା । ଏହା ଆମକୁ ଜୀବନରେ ସହଜ ଓ ସୁବିଧାରେ ଆଗକୁ ଯିବାକୁ ପ୍ରବର୍ତ୍ତାଇଥାଏ । ଏହି କାହାଣୀଟିର ମୂଳ ବସ୍ତୁ ଖୁବ ସୁନ୍ଦର ହୋଇଥାଏ । ଆସନ୍ତୁ ଜାଣିବା କାହାଣୀଟିର ମୂଳ ବସ୍ତୁ
ଏକଦା ଗୋଟିଏ ଜଙ୍ଗଲରେ ସମସ୍ତ ପଶୁ ପକ୍ଷୀ ମିଳିମିଶି ରହୁଥିଲେ । ସମସ୍ତେ ଏଠାରେ ସ୍ବାଧୀନଭାବେ ନିଜ ଶିକାର କରି ଚଳିଥାଆନ୍ତି । ହେଲେ ଗୋଟିଏ ପଶୁ ବିଲୁଆ ଯିଏ ନିଜ ଖାଦ୍ୟ ନିଜେ ଯୋଗାଡ କରିପାରେ ନାହିଁ । ସିଏ ସବୁବେଳେ ଅପେକ୍ଷା କରିଥାଏ କେଉଁ ପଶୁ ନିଜ ଖାଦ୍ୟ ଅଧା ଛାଡିବା ପରେ ସେ ଖାଇବ । ଏହି ଭଳି ସେ ପ୍ରତିଦିନ କରିଥାଏ । କେଉଁ ବଡ ପଶୁ ଶିକାର କରି ଖାଇବା ପରେ ବଳୁଥିବା ବଳକା ଅଇଁଠାକୁ ସେ ଖାଦ୍ୟ ଭାବେ ଗ୍ରହଣ କରିଥାଏ । ଏଭଳି ପ୍ରତିଦିନ ଘଟିଥାଏ , ବାଘ କିମ୍ବା ସିଂହ ହେଉ କିମ୍ବା ଅନ୍ୟ କୌଣସି ବଳୁଆ ଜୀବ ନିଜ ଶିକାରର ଅଧା ଅଂଶ ଛାଡିବା ପରେ ବିଲୁଆ ଏହାକୁ ଖାଦ୍ୟ ଭାବେ ଗ୍ରହଣ କରେ । ହେଲେ ଏହି କାରଣରୁ ବିଲୁଆକୁ କେହି ସମ୍ମାନ ଦେଇ ନଥାଆନ୍ତି । ତେଣୁ ବିଲୁଆ ସବୁବେଳେ ନିଜ ମନ ଭିତରେ ପ୍ରତିଶୋଧର ଭାବନା ରଖିଥାଏ । କିଭଳି ସମସ୍ତଙ୍କୁ ପାନେଦେବ ସେଥଇପାଇଁ ଚିନ୍ତା କରୁଥାଏ । ଏକଦା ବିଲୁଆଟି ଯାଉଯାଉ ଅନ୍ଧାରରେ ଏକ ଧୋବାର ନୀଳ କୁଣ୍ଡରେ ପଡିଗଲା । ଯାହାପରେ ତାର ବର୍ଣ୍ଣ ସମ୍ପୂର୍ଣ୍ଣ ନୀଳ ହୋଇ ଯାଇଥିଲା । ନିଜେ ବିଲୁଆ ନିଜକୁ ଚିହ୍ନି ପାରିଲା ନାହିଁ । ଏହାପରେ ତାର ମୁଣ୍ଡକୁ ଏକ ଖରାପ ଉପାୟ ଜୁଟିଲା । ସେ ତାର ଏହି ବର୍ଣ୍ଣର ଫାଇଦା ଉଠାଇ ଅନ୍ୟ ପଶୁଙ୍କୁ ହଇରାଣ କରିବାକୁ ଚିନ୍ତା କଲା । ସେ ନିଜକୁ ଭଗବାନଙ୍କର ଦୂତ ବୋଲି ବଣର ପଶୁଙ୍କ ଆଗରେ କହିଲା । ଭଗବାନ ତାକୁ ଜଙ୍ଗଲକୁ ଶାସନ କରିବାକୁ ପଠାଇଛନ୍ତି । ତେଣୁ ସେ ବର୍ତ୍ତମାନ ଜଙ୍ଗଲର ନୂଆ ରାଜା ବୋଲି ନିଜକୁ କହିଲା । ତାର ବିରଳ ନୀଳ ରୂପଦେଖି ପଶୁମାନେ ତାର ମିଛକୁ ସତ ବୋଲି ଭାବିଲେ । ବିଲୁଆଟି ପଶୁ ମାନଙ୍କୁ ତାର ଅନେକ କାମରେ ଲଗାଇଲା । ସେମାନେ ତାର ସବୁ ସେବା କରିବାରେ ଲାଗିଲେ । ସେମାନେ ଶିକାର କରି ଆଣି ଦେଲାପରେ ବିଲୁଆ ଖାଉଥିଲା । ସେ ଖାଇବାପରେ ଯାଇ ଅନ୍ୟ ପଶୁ ଖାଦ୍ୟ ଖାଉଥିଲେ । ସମସ୍ତେ ତାର ଅଇଁଠା ଖାଉଥିଲେ । ଏହାସହ ସେ ପଶୁମାନଙ୍କୁ ଅନେକ ହଇରାଣ ହରକତ କରୁଥିଲା । ତାର ଏଭଳି ବ୍ୟବହାରରେ ସମସ୍ତ ପଶୁ ଅତିଷ୍ଟ ହୋଇ ପଡିଥିଲେ । ତେବେ ଏହାରି ଭିତରେ କିଛି ବିଲୁଆଙ୍କୁ ନୀଳବର୍ଣ୍ଣ ଶୃଗାଳ ଉପରେ ସନ୍ଦେହ ବଢିଥିଲା । ଏହି ବିଲୁଆ ଗୁଡିକ ନୂଆ ରାଜାଙ୍କର ପରୀକ୍ଷା ନେବାକୁ ଚାହିଁଲେ । ବିଲୁଆମାନଙ୍କର ଏକ ଅଭ୍ୟାସ ଅଛି ଯଦି ଜଣେ ବିଲୁଆ ଭୁକିବ ତେବେ ଆଖପାଖରେ ଥିବା ସମସ୍ତ ବିଲୁଆ ମଧ୍ୟ ଭୁକିବେ । ଏହି କଥାରୁ ବଞ୍ଚିବାକୁ ନୂଆ ରାଜା ନିଜ ପାଖରେ ବିଲୁଆଙ୍କୁ କେବେ ବି ଭୁକିବାକୁ ଦିଅନ୍ତି ନାହିଁ । ହେଲେ ବଣର ଅନ୍ୟ ବିଲୁଆ ସତ ଜାଣିବା ପାଇଁ ଦିନେ ରାଜାଙ୍କ ଗୁମ୍ଫା ପାଖରେ ଏକାଥରେ ଭୁକିଲେ । ଏହା ଶୁଣିବା ପରେ ନୀଳ ବର୍ଣ୍ଣ ଶୃଗାଳ ଆଉ ନିଜକୁ ରୋକି ରହିପାରିଲା ନାହିଁ ଏବଂ ଭୁକିବାକୁ ଲାଗିଲ । ଏହା ଦେଖି ସମସ୍ତେ ପଶୁ ସେ ବିଲୁଆ ବୋଲି ଜାଣି ପାରିଲେ ଏବଂ ତାକୁ ମାରିବାକୁ ଗୋଡାଇଲେ । ଏହାପରେ ବିଲୁଆଟି ସେହି ଜଙ୍ଗଲ ଓ ତାର ଘର ଛାଡି ଅନ୍ୟତ୍ର ଚାଲିଗଲା । ତେଣୁ କେବେ ହେଲେ ବି ମିଛର ସାହାରା ନେଇ ଅନ୍ୟଙ୍କୁ ସମସ୍ୟାରେ ପକାଇବା ଉଚିତ୍ ନୁହେଁ ବୋଲି ଏହି ଗଳ୍ପରୁ ଶିକ୍ଷା ମିଳିଥାଏ ।

Govt
Leave A Reply

Your email address will not be published.