ଦେଶର ପ୍ରସିଦ୍ଧ ତଥା ଲୋକପ୍ରିୟ ଫ୍ୟାସନ ଡିଜାଇନର ମନୀଷ ମଲହୋତ୍ରା ଏବେ ଖୁବ୍ଶୀଘ୍ର ବଲିଉଡ୍ ଡେବୁ୍ୟ କରିବାକୁ ଯାଉଛନ୍ତି । ମନୀଷ ଅଭିନୟ ନୁହେଁ ବରଂ ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇବେ ବୋଲି ଜଣାପଡ଼ିଛି । ସେ ଏକ ମୁ୍ୟଜିକାଲ ଲଭ ଷ୍ଟୋରୀ ନିର୍ମାଣ କରିବେ । ସୂଚନା ଅନୁଯାୟୀ ଏହା ଏକ ପିରିୟଡ ଡ୍ରାମା ଫିଲ୍ମ ହେବ ଏବଂ ଏଥିରେ ଭାରତ-ପାକିସ୍ତାନ ବିଭାଜନ ସମୟର କାହାଣୀକୁ ପ୍ରଦର୍ଶିତ କରାଯିବ । ମନୀଷଙ୍କ ଏହି ଫିଲ୍ମ କରଣ ଜୋହରଙ୍କ ଧର୍ମା ପ୍ରଡକ୍ସନ ହାଉସ୍ ପ୍ରଯୋଜନା ଦେବ । ଖବର ଅନୁଯାୟୀ ଫିଲ୍ମର କାହାଣୀ ନିଜେ ମନୀଷ ମଲହୋତ୍ରା ଲେଖିଛନ୍ତି । ଖୁବଶୀଘ୍ର ଫିଲ୍ମର ଷ୍ଟାର ଫାଇନାଲ କରାଯିବ । ତେବେ ଏହା ଏକ ବଡ଼ ବଜେଟ୍ର ଫିଲ୍ମ ହେବ ବୋଲି ଜଣାପଡ଼ିଛି । ତେବେ ନିର୍ଦ୍ଦେଶକ ଭାବେ ନିଜର ଡେବୁ୍ୟ ଫିଲ୍ମ ପାଇଁ ମନୀଷ ମଲହୋତ୍ରା ବହୁତ ଉତ୍ସାହିତ ଅଛନ୍ତି । ମନୀଷଙ୍କ ୩୦ ବର୍ଷର ଫ୍ୟାସନ କ୍ୟାରିଅରରେ ବଲିଉଡ୍ର ୮୦୦ରୁ ଅଧିକ ଫିଲ୍ମରେ କଷ୍ଟୁ୍ୟମ ଡିଜାଇନିଂ କରିଛନ୍ତି । ଅଭିନେତ୍ରୀ ଜୁହି ଚାୱଲାଙ୍କ ସହଯୋଗରେ ମନୀଷ ବଲିଉଡ୍ରେ ଫ୍ୟାସନ ଡିଜାଇନର ଭାବେ କାମ ଆରମ୍ଭ କରିଥିଲେ । ଫିଲ୍ମ ସ୍ୱର୍ଗରେ ସେ ପ୍ରଥମ ଥର ପାଇଁ କାମ କରିଥିଲେ । ଏହାପରେ ସେ ବକ୍ତ ହମାରା ହୈରେ ଆୟଶା ଜୁଲ୍ଫା, ଗୁମରାହରେ ଶ୍ରୀଦେବୀ ଏବଂ ୟେ ଦିଲ୍ଲଗୀରେ କାଜଲଙ୍କ ପାଇଁ ପୋଷାକ ଡିଜାଇନ କରିଥିଲେ । କିନ୍ତୁ ୧୯୯୫ରେ ଦିଲୱାଲେ ଦୁଲହନିଆ ଲେ ଜାଏଁଗେରେ କାଜଲ ଏବଂ ରଙ୍ଗୀଲାରେ ଉର୍ମିଲାଙ୍କ ପାଇଁ କରିଥିବା ଡିଜାଇନିଂ ତାଙ୍କୁ ରାତାରାତି ଷ୍ଟାରରେ ପରିଣତ କରିଥିଲା । ତେବେ ଗତ ୧୫ ବର୍ଷ ଧରି ଫିଲ୍ମ ନିର୍ଦ୍ଦେଶନା ଦେବା ପାଇଁ ନିଜକୁ ପ୍ରସ୍ତୁତ କରୁଥିବା ମନୀଷ ଏକ ପୁସ୍ତକ ଲେଖିବାର ସ୍ୱପ୍ନ ମଧ୍ୟ ଦେଖୁଛନ୍ତି । ହେଲେ ଏବେ ସେ ଏକ କାହାଣୀ ଲେଖି ନିଜ ସାଙ୍ଗ କରଣଙ୍କୁ ଶୁଣାଇଥିଲେ । କରଣଙ୍କୁ ମନୀଷଙ୍କ କାହାଣୀ ଖୁବ ପସନ୍ଦ ଆସିଥିଲା ଏବଂ ଏହା ଉପରେ ଫିଲ୍ମ କରିବା ପାଇଁ ସଙ୍ଗେ ସଙ୍ଗେ ନିଷ୍ପତ୍ତି ନେଇଥିଲେ, ଯେଉଁଥିରେ ବଲିଉଡ୍ରେ ତାଙ୍କର ଭିନ୍ନ ଅବତାର ଦେଖିବାକୁ ମିଳିବ ।

Comments are closed.