ଗତ କିଛିବର୍ଷ ପର୍ଯ୍ୟନ୍ତ ରୋବୋଟ୍କୁ କେବଳ ଏକ ମେସିନ୍ ରୂପେ ଦେଖାଯାଉଥିଲା । ବୈଜ୍ଞାନିକମାନେ ସେମାନଙ୍କର ଛୋଟମୋଟ କାର୍ଯ୍ୟ ପାଇଁ ପୂର୍ବରୁ ଏହାର ବ୍ୟବହାର କରୁଥିଲେ । ମାତ୍ର ସମୟ ଗଡିବା ସହିତ ଏହି ରୋବୋଟ୍ଗୁଡିକୁ ଆଡଭାନ୍ସ କରିଦିଆଗଲା । ଆଜିର ତାରିଖରେ କେଉଁଠି ରୋବୋଟ୍ ରେସ୍ତୋରାଁରେ ଖାଦ୍ୟ ପ୍ରସ୍ତୁତ କରୁଛି ତ ଆଉ କେଉଁଠି ଖାଦ୍ୟ ପରସୁଛି । ମଣିଷଙ୍କ କାମକୁ ବେଶ୍ ସହଜ କରିଦେଇଛି ଏହି ରୋବୋଟ୍ । ବିଶ୍ୱର ଏଭଳି ଅନେକ ବଡବଡ କାରଖାନା ରହିଛି, ଯେଉଁଠି ରୋବୋଟ୍ର ବ୍ୟବହାର କରାଯାଉଛି । ଯେଉଁ କାମକୁ କରିବାରେ ମଣିଷକୁ ପରିଶ୍ରମ କରିବାକୁ ପଡେ, ଏହି ରୋବୋଟ୍ ତାହା ମଧ୍ୟ ଅତି ସହଜରେ କରୁଛି । ଏହାଛଡା ଜୀବନ ଯିବା ଭଳି ବିପଦପୂର୍ଣ୍ଣ କାର୍ଯ୍ୟକୁ ମଧ୍ୟ ରୋବୋଟ୍ ସାହାଯ୍ୟରେ ପୂରା କରାଯାଉଛି । ମାତ୍ର ବର୍ତ୍ତମାନ ରୋବୋଟ୍କୁ ନେଇ ଏକ ଆଶ୍ଚର୍ଯ୍ୟକର ଖବର ସାମନାକୁ ଆସିଛି । ବୈଜ୍ଞାନିକମାନେ ଏଭଳି ଏକ ରୋବୋଟ୍ ବିକଶିତ କରିଛନ୍ତି, ଯାହା ଅବିକଳ ମଣିଷ ଭଳି ନିଃଶ୍ୱାସ ନେଉଛି । ଏହି ରୋବୋଟ୍ଟିର ନାଁ ହେଉଛି ଆଣ୍ଡି । ଆଣ୍ଡି ବିଶ୍ୱର ପ୍ରଥମ ଏଭଳି ରୋବୋଟ୍ ଯାହାର ଝାଳ ବାହାରୁଛି । ତେଣୁ ଏହାକୁ ସେ୍ୱଟି ରୋବୋଟ୍ ବୋଲି ମଧ୍ୟ ନାଁ ଦିଆଯାଇଛି । ଏକାଧିକ ବିଚକ୍ଷଣ ତଥା ବୁଦ୍ଧିମାନ ରୋବୋଟ୍ ମିଶି ଏହି ରୋବୋଟ୍ଟିକୁ ପ୍ରସ୍ତୁତ କରିଛନ୍ତି । ଏଥିରେ ଅନେକ ବିଶେଷ ଟେକ୍ନୋଲୋଜି ଖଞ୍ଜାଯାଇଛି, ଯାହାଦ୍ୱାରା ଏହି ରୋବୋଟ୍ ଅବିକଳ ମଣିଷ ପରି ଲାଗୁଛି । ଆଣ୍ଡି ନାମକ ଏହି ରୋବୋଟ୍ର ଝାଳ ବାହାରିବା ସହିତ ଶୀତ ଲାଗିଲେ କମ୍ପୁଛି ଏବଂ ନିଃଶ୍ୱାସ ମଧ୍ୟ ନେଉଛି । ଆମେରିକୀୟ ଫାର୍ମ ଥର୍ମେଟ୍ରିକ୍ସ ଏଭଳି ୧୦ଟି ରୋବୋଟ୍ ପ୍ରସ୍ତୁତ କରିଛି । ଏହାସହ ଫାର୍ମ ତରଫରୁ ଏହି ମଡେଲ୍ ଆଧାରରେ ସେ୍ୱଟି ବେବି ରୋବୋଟ୍ ମଧ୍ୟ ପ୍ରସ୍ତୁତ କରାଯାଇଛି । ଏହାଦ୍ୱାରା ପିଲାମାନଙ୍କର ସ୍ୱାସ୍ଥ୍ୟାବସ୍ଥାକୁ ବୁଝିବାରେ ସାହାଯ୍ୟ ମିଳିବ ।

Comments are closed.