ନଟିଂହାମ: ନଟିଂହାମ୍ ଟେଷ୍ଟ୍ରେ ୱେଷ୍ଟଇଣ୍ଡିଜ୍ ଶୋଚନୀୟ ପରାଜୟ ବରଣ କରିଛି। ଘରୋଇ ଇଂଲଣ୍ଡ ୩୮୫ ରନ୍ର ବିଜୟ ଲକ୍ଷ୍ୟ ଦେବା ପରେ ଭ୍ରମଣକାରୀ ଇଣ୍ଡିଜ୍ ମାତ୍ର ୧୪୩ ରନ୍ରେ ଅଲଆଉଟ୍ ହୋଇ ୨୪୧ ରନ୍ର ବଡ଼ ବ୍ୟବଧାନରେ ହାରିଛି। ଅଧିନାୟକ କ୍ରେଗ୍ ବ୍ରାଥୱେଟ୍ଙ୍କ ଛଡ଼ା ଅନ୍ୟ କୌଣସି ବ୍ୟାଟର୍ ଲଢ଼ି ନଥିଲେ। ଦଳ ମଧ୍ୟ ଲଗାତାର ମ୍ୟାଚ୍ ହାରି ୩ ଟିକିଆ ଶୃଙ୍ଖଳାରେ ଆଗୁଆ ୨-୦ରେ ପରାଜିତ ହୋଇଛି। ଉଭୟ ଦଳ ମଧ୍ୟରେ ତୃତୀୟ ତଥା ଶେଷ ଟେଷ୍ଟ୍ ଆସନ୍ତା ୨୬ ତାରିଖରୁ ବର୍ମିଂହାମରେ ଖେଳାଯିବ। ପୂର୍ବ ଦିନର ଦ୍ବିତୀୟ ପାଳି ସ୍କୋର୍ ୨୪୮/୩ରୁ ଖେଳ ଆରମ୍ଭ କରି ଇଂଲଣ୍ଡ ୪୨୫ ରନ୍ରେ ଅଲଆଉଟ୍ ହୋଇଥିଲା। ଜୋ ରୁଟ୍ ଶତକୀୟ ପାଳି ଖେଳି ରେକର୍ଡ ବୁକ୍ରେ ନିଜ ନାମକୁ ସାମିଲ କରିଥିଲେ। ୩୨ ଶତକ ହାସଲ କରି ଅଷ୍ଟ୍ରେଲିଆର ଷ୍ଟିଭେନ୍ ସ୍ମିଥ୍ ଓ ନ୍ୟୁଜିଲାଣ୍ଡର କେନ୍ ୱିଲିୟମସନ୍ଙ୍କ ସମକକ୍ଷ ହୋଇଥିଲେ। ତାଙ୍କ ଛଡ଼ା ହ୍ୟାରି ବ୍ରୁକ୍ ମଧ୍ୟ ନିଜ ଅର୍ଦ୍ଧଶତକୀୟ ପାଳିକୁ ସଫଳତାର ସହ ଶତକରେ ରୂପାନ୍ତର କରିଥିଲେ। ପୂର୍ବରୁ ଟସ୍ ଜିତି ଇଂଲଣ୍ଡକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିବା ଇଣ୍ଡିଜ୍ ପ୍ରଥମ ପାଳିରେ ଅଗ୍ରଣୀ ଲାଭ କରିଥିଲା। ଘରୋଇ ଇଂଲଣ୍ଡକୁ ୪୧୬ ରନ୍ରେ ଅଟକାଇବା ପରେ ନିଜ ପ୍ରଥମ ପାଳିରେ ୪୫୭ ରନ୍ କରି ୪୧ ରନ୍ରେ ଆଗୁଆ ରହିଥିଲା। ଇଂଲଣ୍ଡ କିନ୍ତୁ ଦ୍ବିତୀୟ ପାଳିରେ ରୁଟ୍ ଓ ବ୍ରୁକ୍ଙ୍କ ଯୁଗଳ ଶତକ ବଳରେ ମ୍ୟାଚ୍କୁ ପ୍ରତ୍ୟାବର୍ତ୍ତନ କରିପାରିଥିଲା।

Comments are closed.