କାଠମାଣ୍ଡୁ : ଏଠାରେ ଚାଲିଥିବା ଦୃଷ୍ଟିହୀନ ମହିଳା ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ଘରୋଇ ନେପାଳ ୯ ୱିକେଟ୍ରେ ଭାରତକୁ ପରାସ୍ତ କରିଛି। ଏହାଫଳରେ ନେପାଳ ଏହି ୫ ମ୍ୟାଚ୍ ବଶିଷ୍ଟ ଶୃଙ୍ଖଳାରେ ୨-୧ରେ ଆଗୁଆ ରହିଛି। ନେପାଳ ଟସ୍ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ ଦେଇଥିଲା। ହେଲେ ଭାରତୀୟ ବ୍ୟାଟର ଖରାପ ପ୍ରଦର୍ଶନ କରି ପ୍ରଥମ ୭ ଓଭର ମଧ୍ୟରେ ୪ ୱିକେଟ୍ ହରାଇଥିଲେ। ବାସନ୍ତୀ ହାଂସଦା (୨୩), ଫୁଲ ସୋରେନ୍ (୧୦), ରାବଣୀ (୪) ଓ ୟୁ ବର୍ଷା (୪) ଶୀଘ୍ର ଆଉଟ୍ ହୋଇଥିଲେ। ପରେ ଅଧିନାୟିକା ସୁଷମା ପଟେଲ୍ ଓ ଉପଅଧିନାୟିକା ଗଙ୍ଗା ପଞ୍ଚମ ୱିକେଟ୍ରେ ୭୮ ରନ୍ ଯୋଡ଼ିଥିଲେ। ଗଙ୍ଗା ୩୯ ରନ୍ରେ ଆଉଟ୍ ହେବା ପରେ ସିମୁ ଦାଶଙ୍କୁ ସାଥୀ କରି ସୁଷମା ଦଳୀୟ ସ୍କୋର ୨୦୦ ପାର୍ କରାଇଥିଲେ। ସୁଷମା (୬୩*) ଅର୍ଦ୍ଧଶତକ ଅର୍ଜନ କରି ଅପରାଜିତ ରହିଥିଲେ। ସିମୁ ୧୮ ବଲ୍ରୁ ଦ୍ରୁତ ୪୬ ରନ୍ କରିଥିଲେ। ଫଳରେ ଭାରତ ୨୧୩/୫ ସ୍କୋର କରିପାରିଥିଲା। ବିଜୟ ଲକ୍ଷ୍ୟକୁ ପିଛା କରି ନେପାଳର ପ୍ରାରମ୍ଭକ ଯୋଡ଼ି ବିନିତା ପୁନ୍ ଓ ମାଣକେଶି ଚୌଧୁରୀ ଭାରତୀୟ ବୋଲରଙ୍କୁ ନିର୍ଦ୍ଦୁମ୍ ପ୍ରହାର କରିଥିଲେ। ମାଣକେଶି ୬୫ ରନ୍ କରି ଆଉଟ୍ ହେବା ପରେ ବିନିତା ଶେଷ ପର୍ଯ୍ୟନ୍ତ ଖେଳିବା ସହ ଅପରାଜିତ ୧୨୬ ରନ୍ କରିଥିଲେ। ଏଥିପାଇଁ ତାଙ୍କୁ ୬୭ ବଲ୍ ଖେଳିବାକୁ ପଡ଼ିଥିଲା ବେଳେ ୧୯ ଚୌକା ମାରିଥିଲେ। ପାଳିର ଶେଷ ବଲ୍ରେ ନେପାଳ ମ୍ୟାଚ୍ ଜିତିଥିଲା। ଶତକୀୟ ପାଳି ପାଇଁ ବିନିତାଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା।

Comments are closed.