ନୂଆଦିଲ୍ଲୀ : ମଣିପୁର ହିଂସାରେ ସୁଦ୍ଧାର ଆସିଛି। କିନ୍ତୁ ମଣିପୁର ହିଂସା ଏବେ ଦିଲ୍ଲୀକୁ ବ୍ୟାପିଛି। ଦିଲ୍ଲୀ ବିଶ୍ବବିଦ୍ୟାଳୟର ଉତ୍ତର କ୍ୟାମ୍ପସରେ ରହୁଥିବା କିଛି କୁକି ଛାତ୍ର ଗୋଷ୍ଠୀଙ୍କ ଉପରେ ମୈତେଇ ଗୋଷ୍ଠୀର ଛାତ୍ରମାନେ ଆକ୍ରମଣ କରିଛନ୍ତି। ଆକ୍ରମଣର ଶିକାର ହୋଇଥିବା ଛାତ୍ରଙ୍କ ଅନୁଯାୟୀ ପ୍ରାୟ ୩୦ ଜଣ ଛାତ୍ର ଗୋଷ୍ଠୀ ୩ ଜଣ ମହିଳା ଏବଂ ଅନ୍ୟମାନଙ୍କ ଉପରେ ଆକ୍ରମଣ କରିଥିଲେ। ମହିଳାମାନେ ପ୍ରେୟର ମିଟିଂ ସାରି ହଷ୍ଟେଲକୁ ଯାଉଥିବାବେଳେ ପ୍ରାୟ ୩୦ ଜଣ ଲୋକ ସେମାନଙ୍କୁ ଅଟକାଇଥିଲେ ଏବଂ ସେମାନଙ୍କ ପରିଚୟ ପଚାରିଥିଲେ। ସେମାନେ ମହିଳାଙ୍କ ଫୋନ ଛଡ଼ାଇ ନେଇଥିଲେ ଏବଂ ମହିଳାଙ୍କ ସହ ଥିବା ପୁରୁଷମାନଙ୍କ ଉପରେ ସେମାନେ ଆକ୍ରମଣ କରିଥିଲେ। ପୁଲିସ ପାଟ୍ରୋଲିଂ ଟିମ୍ ଘଟଣାସ୍ଥଳରେ ପହଞ୍ଚିବାପରେ ଆକ୍ରମଣ ବନ୍ଦ ହୋଇଥିଲା। ତେବେ ଶୁକ୍ରବାର ଦିନ ଆକ୍ରମଣର ଶିକାର ହୋଇଥିବା ଛାତ୍ରମାନେ ମୌରିସ ନଗର ଥାନାରେ ଏକ ଏତଲା ରୁଜୁ କରିବାକୁ ଯାଇଥିଲେ। କିନ୍ତୁ ପୁଲିସ ସେମାନଙ୍କ ଏତଲା ନରଖିବାରୁ ସେମାନେ ଥାନା ବାହାରେ ଆନ୍ଦୋଳନରେ ବସିଥିଲେ।

Comments are closed.