ତେଲେଙ୍ଗାନା ଓ ଆନ୍ଧ୍ରରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି; ୧୦ ମୃତ

ବିଶାଖାପାଟଣା: ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଜାରି ରହିଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଲଗାଣ ବର୍ଷା ଯୋଗୁଁ ବନ୍ୟା ଓ ଭୂସ୍ଖଳନ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଘଟିଛି। ଅନେକ ତଳିଆ ଅଞ୍ଚଳ ଜଳମଗ୍ନ ହେବା ସହ ରାସ୍ତାଗୁଡ଼ିକ ପାଣି ଘେରରେ ରହିଥିବାରୁ ଯାତାୟତ ପ୍ରଭାବିତ ହେବା ସହ ଶତାଧିକ ଗ୍ରାମ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି। ଆଗାମୀ ଦିନରେ ଉପକୂଳବର୍ତ୍ତୀ ରାଜ୍ୟଗୁଡ଼ିକରେ ଅଧିକ ବର୍ଷା ହେବାର ସମ୍ଭାବନା ଥିବା ବେଳେ ହାଇଦ୍ରାବାଦରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି ଏବଂ ସ୍କୁଲ ବନ୍ଦ ରଖାଯାଇଛି। ବନ୍ୟା ଓ ଭୂସ୍ଖଳନର ସମ୍ମୁଖୀନ ହୋଇଥିବା ଆନ୍ଧ୍ରପ୍ରଦେଶରେ ବର୍ଷାଜନିତ ଘଟଣାରେ ୧୦ ଜଣଙ୍କ ମୃତ୍ୟୁ ଘଟିଛି। ତଳିଆ ଅଂଚଳର ହଜାର ହଜାର ବାସିନ୍ଦାଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ଜାତୀୟ ଓ ରାଜ୍ୟ ବିପର୍ଯ୍ୟୟ ରିଲିଫ ବାହିନୀ ବିଭିନ୍ନ ସ୍ଥାନରୁ ପ୍ରାୟ ୮୦ ଜଣଙ୍କୁ ବନ୍ୟା ଘେରରୁ ଉଦ୍ଧାର କରିଛନ୍ତି। ପ୍ରତିକୂଳ ପାଗ ଯୋଗୁଁ ଗତକାଲି ନିଜର ସମସ୍ତ କାର୍ଯ୍ୟକ୍ରମ ବାତିଲ କରିଥିବା ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ କ୍ରମାଗତ ଭାବେ ବନ୍ୟା ସ୍ଥିତି ଉପରେ ନଜର ରଖିଛନ୍ତି। ରିଲିଫ ପଦକ୍ଷେପ ନେବା ପାଇଁ ପ୍ରତ୍ୟେକ ଜିଲ୍ଲାକୁ ତୁରନ୍ତ ୩ କୋଟି ଟଙ୍କା ପ୍ରଦାନ କରିବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବିଜୟୱାଡ଼ାର ମୋଗଲରାଜପୁରମରେ ଭୂସ୍ଖଳନରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଗୁଣ୍ଟୁର ଜିଲ୍ଲାରେ ଏକ କାର୍ ଭାସିଯିବାରୁ ଘରକୁ ଫେରୁଥିବା ଜଣେ ଶିକ୍ଷକ ଓ ଦୁଇ ଛାତ୍ରଙ୍କ ମୃତ୍ୟୁ ଘଟିଛି। ବିଜୟୱାଡା, ମଛଲିପାଟନମ୍, ଗୁଡିୱାଡା, କାଇକାଲୁରୁ, ନରସାପୁରମ, ଅମରାବତୀ, ମଙ୍ଗଳାଗିରି, ନନ୍ଦିଗାମା ଏବଂ ଭୀମାଭରମ୍, ଆମାଙ୍ଗ ଅନ୍ୟାନ୍ୟ ସ୍ଥାନ ଅଧିକ ପ୍ରଭାବିତ ହୋଇଛି। ଦକ୍ଷିଣ କେନ୍ଦ୍ରୀୟ ରେଳପଥ (ଏସ୍‌ସିଆର)ର ଅନେକ ସ୍ଥାନରେ ରେଳ ଧାରଣା ଉପରେ ପାଣି ଜମିରହିବା କାରଣରୁ ଅନେକ ଯାତ୍ରୀବାହୀ ଟ୍ରେନ୍ ବାତିଲ ହୋଇଥିବା ବେଳେ ଆଉ କେତେକ ଆଂଶିକ ବାତିଲ ହୋଇଛି ଏବଂ ଅନ୍ୟ କେତେକ ଟ୍ରେନ୍‌ର ଗତିପଥ ପରିବର୍ତ୍ତନ କରାଯାଇଛି।

Govt

Comments are closed.