ଡବ୍ଲୁଟିସି ପ୍ରସ୍ତୁତି ପାଇଁ ପ୍ରଥମ ପର୍ଯ୍ୟାୟରେ ଇଂଲଣ୍ଡ ଯିବେ ୭ ଭାରତୀୟ କ୍ରିକେଟର୍

ମୁମ୍ବାଇ: ଜୁନ୍ ୭ ତାରିଖରୁ ଆରମ୍ଭ ହେଉଥିବା ବିଶ୍ବ ଟେଷ୍ଟ ଚାମ୍ପିଅନ୍ସିପ୍ (ଡବ୍ଲୁଟିସି) ପ୍ରସ୍ତୁତି ପାଇଁ ମୋଟ୍ ୭ ଜଣ ଦଳୀୟ ଖେଳାଳି ପ୍ରଥମ ପର୍ଯ୍ୟାୟରେ ମଙ୍ଗଳବାର ଇଂଲଣ୍ଡ ଗସ୍ତ କରିବେ। ପ୍ରଥମ ପର୍ଯ୍ୟାୟରେ ଯାଉଥିବା ଖେଳାଳିଙ୍କ ମଧ୍ୟରେ ବିରାଟ କୋହଲି, ରବିଚନ୍ଦ୍ରନ ଅଶ୍ବିନ, ଅକ୍ଷର ପଟେଲ, ଶାର୍ଦୁଳ ଠାକୁର, ମହମ୍ମଦ ସିରାଜ, ଉମେଶ ଯାଦବ ଓ ଜୟଦେବ ଉନାଦକଟ୍ ସାମିଲ ଅଛନ୍ତି। ଏମାନଙ୍କ ବାଦ୍ ଷ୍ଟାଣ୍ଡବାଇରେ ଥିବା ମୁକେଶ କୁମାର ଏବଂ ତିନି ନେଟ୍ ବୋଲର ଅନିକେତ ଚୌଧୁରୀ, ଆକାଶଦୀପ, ୟାରା ପୃଥ୍ବୀରାଜ ମଧ୍ୟ ଦଳ ସହିତ ଇଂଲଣ୍ଡ ଯାଉଛନ୍ତି। ଉମେଶ ଓ ଉନାଦକଟ୍ ପୂର୍ବରୁ ଆହତ ହୋଇ ଆଇପିଏଲ୍ରେ ଖେଳିପାରିନଲେ। କିନ୍ତୁ ଜାତୀୟ କ୍ରିକେଟ୍ ଏକାଡେମୀ ଉଭୟଙ୍କୁ ଫିଟ୍ ଘୋଷଣା କରିବା ପରେ ଏମାନେ ଡବ୍ଲୁଟିସି ଫାଇନାଲ୍ ଖେଳିବାକୁ ଯାଉଛନ୍ତି। ପୂର୍ବରୁ ଇଂଲଣ୍ଡରେ କାଉଣ୍ଟି କ୍ରିକେଟ୍ ଖେଳୁଥିବା ଚେତେଶ୍ବର ପୂଜାରା ଭାରତୀୟ ଦଳ ସହିତ ସପ୍ତାହନ୍ତରେ ଯୋଗଦେବେ। ଅଧିନାୟକ ରୋହିତ ଶର୍ମାଙ୍କ ଦଳ ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ୍ ପ୍ଲେ ଅଫ୍ ପାଇଁ ଯୋଗ୍ୟତା ଅର୍ଜନ କରିଥିବାରୁ ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼ଙ୍କ ନୀରିକ୍ଷଣରେ ପ୍ରସ୍ତୁତି ପର୍ଯ୍ୟାୟ ଚାଲିବ। ସେହିପରି ଦଳର ଅନ୍ୟ ଖେଳାଳିଙ୍କ ସହ ଷ୍ଟାଣ୍ଡବାଇ ସୂର୍ଯ୍ୟକୁମାର ଯାଦବ ଓ ଋତୁରାଜ ଗାଏକ୍ବାଡ ଆଇପିଏଲ୍ ଫାଇନାଲ୍ ପରେ ୨୯ ତାରିଖରେ ଇଂଲଣ୍ଡରେ ପହଞ୍ଚିବା ସମ୍ଭାବନା ରହିଛି।

Comments are closed.