ଜାପାନ ପ୍ରଧାନମନ୍ତ୍ରୀଙ୍କ ସଭାରେ ବୋମା ବିସ୍ଫୋରଣ

ଟୋକିଓ: ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଡ଼ାଙ୍କ ସଭାସ୍ଥଳରେ ଆଜି ପ୍ରଚଣ୍ଡ ବିସ୍ଫୋରଣ ହୋଇଛି । ୟାକାୟାମା ସହରରେ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଡ଼ା ମଞ୍ଚରେ ଉପସ୍ଥିତ ଥିବା ବେଳେ ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣରେ ପ୍ରଧାନମନ୍ତ୍ରୀଙ୍କର କୌଣସି କ୍ଷତି ହୋଇନି। ପୁଲିସ୍ ଏହି ମାମଲାରେ ଜଣଙ୍କୁ ଗିରଫ କରିଛି। ଦ ଜାପାନ ଟାଇମ୍ସ ମୁତାବକ, ପ୍ରଧାନମନ୍ତ୍ରୀ କିଶିଡ଼ା ଜଣେ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ନିମନ୍ତେ ୟାକାୟାମା ସହରକୁ ଯାଇଥିଲେ। ସେଠାରେ ସେ ସାଧାରଣ ଜନତାଙ୍କୁ ସମ୍ବୋଧନ କରିବା ପୂର୍ବରୁ ହଠାତ୍ ସଭାସ୍ଥଳରେ ବିସ୍ଫୋରଣ ହୋଇଥିଲା। ଫଳରେ ଚାରିଆଡେ ଧୂଆଁ ବ୍ୟାପିଯାଇଥିଲା। ଏହାଦେଖି ଉପସ୍ଥିତ ଲୋକେ ଧାଁଦୌଡ଼ କରିବାକୁ ଆରମ୍ଭ କଲେ। ବିସ୍ଫୋରଣ ପରେ ସୁରକ୍ଷା କର୍ମୀ ଜାପାନ ପ୍ରଧାନମନ୍ତ୍ରୀଙ୍କୁ ତୁରନ୍ତ ସୁରକ୍ଷିତ ଭାବେ ସେଠାରୁ ଅନ୍ୟତ୍ର ନେଇ ଯାଇଥିଲେ । ସୂଚନାଯୋଗ୍ୟ, ଜାପାନର ନାରା ସହରରେ ଏକ କାର୍ଯ୍ୟକ୍ରମରେ ଭାଷଣ ଦେଉଥିବା ବେଳେ ଗତ ବର୍ଷ ଜୁଲାଇରେ ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଉପରକୁ ଜଣେ ଆତତାୟୀ ଗୁଳି ମାଡ଼ କରିଥିଲେ। ଏହି ଗୁଳି ମାଡ଼ରେ ସିଞ୍ଜୋ ଆବେଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ଜାପାନ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିବା ବେଳେ ଏବେ ପୁଣି ଥରେ ପ୍ରଧାନମନ୍ତ୍ରୀଙ୍କ ସଭାସ୍ଥଳରେ ବିସ୍ଫୋରଣ ଘଟଣା ଦେଖିବାକୁ ମିଳିଛି।

Launching Ceremony of “AYUSHMAN BHARAT

Comments are closed.