କ୍ବାଲିଫାୟର-୧ରେ ଆଜି ଲଢ଼ିବେ ଚେନ୍ନାଇ ସୁପରକିଙ୍ଗ୍ସ-ଗୁଜରାଟ ଟାଇଟନ୍ସ

ଚେନ୍ନାଇ: ଘରୋଇ ଦର୍ଶକଙ୍କ ସମ୍ମୁଖରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ) ଫାଇନାଲ୍ ସ୍ଥାନ ପାଇଁ ଗତଥରର ଚାମ୍ପିଅନ୍ ଗୁଜରାଟ ଟାଇଟନ୍ସକୁ ଭେଟିବ। ପରାଜିତ ଦଳ ଏଲିମିନେଟର ବିଜୟୀ ଦଳ ସହିତ କ୍ବାଲିଫାୟର-୨ରେ ଖେଳିବ। ମହେନ୍ଦ୍ର ସିଂହ ଧୋନିଙ୍କ ଏହା ସମ୍ଭବତଃ ଶେଷ ଆଇପିଏଲ୍ ହୋଇଥିବାରୁ ଏମ୍ଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯିବାକୁ ଥିବା କ୍ବାଲିଫାୟାର-୧ରେ ଘରୋଇ ଦର୍ଶକ ନିଜର ପ୍ରିୟ ଅଧିନାୟକଙ୍କୁ ବିଦାୟ ଦେବାକୁ ବହୁସଂଖ୍ୟାରେ ଉପସ୍ଥିତ ରହିବାର ସମ୍ଭାବନା ରହିଛି। ତେଣୁ ଘରୋଇ ଦର୍ଶକଙ୍କ ସମର୍ଥନରେ ଚେନ୍ନାଇ ଜିତିବାକୁ ପୂରା ଚେଷ୍ଟା କରିବ ଏବଂ ସମସ୍ତଙ୍କ ନଜର ଧୋନିଙ୍କ ଉପରେ ରହିବ। ୪ ଥରର ବିଜେତା ଚେନ୍ନାଇକୁ କିନ୍ତୁ ଟେବୁଲର ଶୀର୍ଷରେ ଥିବା ଗୁଜରାଟକୁ ହରାଇବା ସହଜ ହେବନି। ଚେନ୍ନାଇର ଦୁଇ ଓପନର୍ ଋତୁରାଜ ଗାଏକ୍ବାଡ ଓ ଡେଭନ କନୱେ ଭଲ ଆରମ୍ଭ ଦେଉଛନ୍ତି। ଶିବମ ଦୁବେ ଚଳିତ ଋତୁରେ ମଧ୍ୟ ସଫଳ ରହିଛନ୍ତି। ସିଏସ୍କେର ଅଭିଜ୍ଞ ଶେଷ ଓଭର ବୋଲର ମାଥୀଶା ପଥିରଣା ଗୁଜରାଟର ଫିନିସର ଡେଭିଡ ମିଲର ଓ ରାହୁଲ ତିୱାତିଆଙ୍କୁ ଅଡ଼ୁଆରେ ପକାଇବାକୁ ସକ୍ଷମ। ଅନ୍ୟପକ୍ଷରେ ଗିଲ୍ ଲଗାତାର ୨ ଶତକ ମାରି ଚେନ୍ନାଇକୁ ସତର୍କ କରାଇଛନ୍ତି। ଗୁଜରାଟର ବୋଲିଂ ମଧ୍ୟ ଭଲ ରହିଛି। ତାରକା ଦ୍ରୁତ ବୋଲର ମହମ୍ମଦ ସାମି ଚମତ୍କାର କରୁଥିଲା ବେଳେ ସ୍ପିନ୍ରେ ରସିଦ ଖାନ ଓ ନୂର ଅହମ୍ମଦ ବିପକ୍ଷ ଦଳକୁ ଅସୁବିଧାରେ ପକାଉଛନ୍ତି। ୫ଟି ଟ୍ବେଣ୍ଟି-୨୦ ପାଳିରେ ଗାଏକ୍ବାଡଙ୍କୁ ରସିଦ ୨ ଥର ଆଉଟ କରିଛନ୍ତି। ଏମ୍ଏ ଚିଦାମ୍ବରମ ଷ୍ଟାଡିୟମ ୮.୪୩ ରନ୍ ରେଟ୍ ସହ ଚଳିତ ଋତୁର ଦ୍ବିତୀୟ ସର୍ବନିମ୍ନ ସ୍କୋର୍ ଭେନ୍ୟୁ। ଡେଥ୍ ଓଭରରେ ୧୨.୦୨ ରେଟ୍ରେ ରନ୍ ସଂଗ୍ରହ କରୁଥିବା ଗୁଜରାଟ ଚେପକ ପିଚ୍ରେ କିଭଳି ଖେଳୁଛି ଦେଖିବାର ଅଛି।

Comments are closed.