କିଲର ସିରପ

0

ମିଲନାଡ଼ୁର କାଞ୍ଚିପୁରମସ୍ଥିତ ଶ୍ରୀସନ ଫାର୍ମାସ୍ୟୁଟିକଲ୍ସ ଦ୍ୱାରା ନିର୍ମିତ କୋଲ୍ଡରିଫ୍ କଫ୍ ସିରପ ପିଇ ମଧ୍ୟପ୍ରଦେଶ ଏବଂ ରାଜସ୍ଥାନର ୨୨ ଜଣ ଶିଶୁଙ୍କର ମୃତ୍ୟୁ ଘଟିଥÒବା ବେଳେ ନାଗପୁରର ୫ ଶିଶୁ ଗୁରୁତର ଅବସ୍ଥାରେ ଏମ୍ସ ଓ ଅନ୍ୟାନ୍ୟ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ମୃତ ଶିଶୁଙ୍କ ମଧ୍ୟରୁ ଅଧିକାଂଶ ଛିନ୍ଦୱାଡ଼ା ଜିଲାର ହୋଇଥିବାବେଳେ ବେଟୁଲରୁ ୨ ଏବଂ ପନ୍ଧୁର୍ନରୁ ଜଣେ ରହିଛନ୍ତି। ୭ ଜଣିଆ ସ୍ବତନ୍ତ୍ର ତଦନ୍ତକାରୀ ଟିମ୍ (ଏସ୍ଆଇଟି) ଚେନ୍ନାଇ ନିକଟ ସ୍ରେସାନ ଫାର୍ମାସ୍ୟୁଟିକାଲ୍ସ କମ୍ପାନୀରେ ପହଞ୍ଚି ତଦନ୍ତ ଚଳାଇଛି। ଚେନ୍ନାଇସ୍ଥିତ କମ୍ପାନୀ କାର୍ଯ୍ୟାଳୟରେ ଏସ୍ଆଇଟି ଚଢ଼ାଉ କରି ଦସ୍ତାବିଜ୍ ଓ ସିସିଟିଭି ଫୁଟେଜ୍ ଜବତ କରିଛି। ଉକ୍ତ କମ୍ପାନୀ ପଣ୍ଡିଚେରୀ, ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଅନ୍ୟାନ୍ୟ ରାଜ୍ୟକୁ କୋଲ୍ଡରିଫ୍ ସିରପ୍ ଯୋଗାଉଥିଲା। କମ୍ପାନୀ ମାଲିକ ଏସ୍ ରଙ୍ଗନାଥନଙ୍କୁ ଗିରଫ କରାଯାଇଛି୤ ତାମିଲନାଡୁ ଖାଦ୍ୟ ସୁରକ୍ଷା ଏବଂ ଔଷଧ ପ୍ରଶାସନ ପକ୍ଷରୁ ଫ୍ୟାକ୍ଟ୍ରିରୁ ସଂଗ୍ରହ କରାଯାଇଥିବା ନମୁନା ଅପମିଶ୍ରିତ ଜଣାପଡ଼ିବା ପରେ ଫ୍ୟାକ୍ଟ୍ରିରେ ଉତ୍ପାଦନ ତୁରନ୍ତ ବନ୍ଦ କରିବାକୁ ସରକାର ନିର୍ଦ୍ଦେଶ ଦେଇଥିଲେ। ଅକ୍ଟୋବର ୧ରୁ ରାଜ୍ୟ ସରକାର କୋଲ୍ଡରିଫ୍ ସିରପ୍ ବିକ୍ରି ଉପରେ ନିଷେଧାଦେଶ ଲଗାଇବା ସହ ବଜାରରୁ ସମସ୍ତ ଗଚ୍ଛିତ ସିରପ୍ ହଟାଇଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟ ପକ୍ଷରେ ଭାରତରେ କଫ୍ ସିରପ ପିଇ ହେଉଥିବା ମୃତ୍ୟୁ ମାମଲାକୁ ନେଇ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍ଓ) କେନ୍ଦ୍ର ସରକାରଙ୍କୁ ଜବାବ ତଲବ କରିଛି। କଫ୍ ସିରପ ରପ୍ତାନିରେ ଭାରତ ଅଗ୍ରଣୀ ଦେଶ ହୋଇଥିବାବେଳେ ଯେଉଁ କଫ୍ ସିରପ ପିଇ ମୃତ୍ୟୁ ମାମଲା ସାମ୍ନାକୁ ଆସୁଛି, ସେଗୁଡ଼ିକୁ ଅନ୍ୟ କେଉଁ ଦେଶକୁ ରପ୍ତାନି କରାଯାଇଛି ବୋଲି ଭାରତୀୟ ଅଧିକାରୀଙ୍କୁ ଡବ୍ଲ୍ୟୁଏଚ୍ଓ ପ୍ରଶ୍ନ କରିଛି। ଭାରତରୁ ଜବାବ ମିଳିବା ପରେ ଏହି କଫ୍ ସିରପକୁ ନେଇ ସାରା ବିଶ୍ୱକୁ ସତର୍କତା ଜାରି କରାଯିବ ବୋଲି ଡବ୍ଲ୍ୟୁଏଚ୍ଓର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ତେବେ କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଙ୍ଗଠନ (ସିଡିଏସ୍‌ସିଓ) ପକ୍ଷରୁ ଡବ୍ଲ୍ୟୁଏଚ୍ଓ କରିଥିବା ପ୍ରଶ୍ନର ଉତ୍ତର ରଖାଯାଇଛି। ସିଡିଏସ୍‌ସିଓ ପକ୍ଷରୁ କୁହାଯାଇଛି, ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ରେ କଫ୍ ସିରପଜନିତ ମୃତ୍ୟୁ ସାମ୍ନାକୁ ଆସିବା ପରେ କୋଲ୍ଡରିଫ୍ ଓ ରିଲାଇଫ୍ ଭଳି ୩ଟି କଫ୍ ସିରପକୁ ମେଡିକାଲ ଷ୍ଟୋରଗୁଡ଼ିକରୁ ପ୍ରତ୍ୟାହାର କରାଯାଇଥିବା ସହ ଏହାର ଉତ୍ପାଦନ ବନ୍ଦ କରିବାକୁ ନିର୍ମାତା କମ୍ପାନୀଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ଏଥÒମଧ୍ୟରୁ କୌଣସିଟିକୁ ମଧ୍ୟ ଭାରତରୁ ଅନ୍ୟ ଦେଶକୁ ରପ୍ତାନି କରାଯାଇନାହିଁ ବୋଲି ସିଡିଏସ୍‌ସିଓ କହିଛି।
ସେଣ୍ଟ୍ରାଲ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେଶନ୍ (ସିଡିଏସ୍ସିଓ) ପକ୍ଷରୁ ସୂଚନା ଦିଆଯାଇଛି। କଫ୍ ସିରପ୍ ନମୁନା ପରୀକ୍ଷାରୁ ସେଥିରେ ବିପଜ୍ଜନକ ମାତ୍ରାରେ ଡାଇଇଥାଇଲିନ୍ ଗ୍ଲାଇକୋଲ (ଡିଇଜି) ଥିବା ଜଣାପଡ଼ିଛି। ଏହି ରାସାୟନିକ ପଦାର୍ଥ ଅନୁମୋଦିତ ମାତ୍ରାରୁ ଅଧିକ ପରିମାଣର ରହିଲେ ତାହା ଛୋଟପିଲାଙ୍କ କିଡ୍‌ନୀ ସଂକ୍ରମଣର କାରଣ ସାଜୁଥିବା କୁହାଯାଉଛି। ସେହିପରି ଅନ୍ୟ କେତେକ ରାଜ୍ୟରେ ମଧ୍ୟ ଏଭଳି ସ୍ଥିତି ଉପୁଜିଥିବା କୁହାଯାଉଛି। ଅଭିଯୋଗ ଆସିବା ପରେ ପ୍ରଥମେ ରାଜ୍ୟଗୁଡ଼ିକର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଥିଲା। ତେବେ ତାମିଲନାଡୁର ସ୍ରେସାନ୍ ଫାର୍ମା ପକ୍ଷରୁ ପ୍ରସ୍ତୁତ କୋଲ୍ଡରିଫ୍ ସିରପରେ ଡିଇଜି ମାତ୍ରା ଅତ୍ୟଧିକ ରହିଥିବା ଯାଞ୍ଚରୁ ଜଣାପଡ଼ିଥିବା ବିଷୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି। ଡିଇଜି ହେଉଛି ଏଭଳି ଏକ ବିଷାକ୍ତ ଉପାଦାନ, ଯାହାକୁ ଶିଳ୍ପ ଉତ୍ପାଦ ରୂପେ ବ୍ୟବହାର କରାଯାଇଥାଏ। ମଧ୍ୟପ୍ରଦେଶରେ ଉପଲବ୍ଧ କଫ୍ ସିରପରେ ଡିଇଜିର ମାତ୍ରା ଆବଶ୍ୟକଠୁ ଅଧÒକ ଥÒବା ଜଣାପଡ଼ିଛି୤ ଉଲ୍ଲେଖଯୋଗ୍ୟ, ଭାରତୀୟ କଫ୍ ସିରପ୍ ଏହା ପୂର୍ବରୁ ମଧ୍ୟ ସନ୍ଦେହ ଘେରକୁ ଆସିଥିଲା। ୨୦୨୨ରେ ଆଫ୍ରିକୀୟ ରାଷ୍ଟ୍ର ଗାମ୍ବିଆରେ ଡିଇଜି ମାତ୍ରା ଅଧିକ ଥିବା ଭାରତୀୟ କଫ୍ ସିରପ୍ ସେବନକରି ୭୦ ପିଲାଙ୍କ ମୃତ୍ୟୁ ଘଟିଥିବା ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍ଓ) ସ୍ପଷ୍ଟ କରିଥିଲା। ଅନ୍ୟପକ୍ଷେ ନୂଆଦିଲ୍ଲୀ ଏହି ଅଭିଯୋଗକୁ ସେତେବେଳେ ଖଣ୍ଡନ କରିଥିଲା।
କଫ୍ ସିରପ୍ ଶିଶୁ ମୃତ୍ୟୁ ଘଟଣା ପରେ ଏହାର ସିବିଆଇ ତଦନ୍ତ ସମେତ ଔଷଧ ନିରାପତ୍ତା ବ୍ୟବସ୍ଥାରେ ସଂସ୍କାର ପାଇଁ ସୁପ୍ରିମକୋର୍ଟରେ ଏକ ଜନସ୍ବାର୍ଥ ମାମଲା (ପିଆଇଏଲ୍) ଦାଏର ହୋଇଛି। ଏଥିସହିତ ସୁପ୍ରିମକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଜାତୀୟ ନ୍ୟାୟିକ କମିଶନ କିମ୍ବା ବିଶେଷଜ୍ଞ କମିଟି ଗଠନ କରାଯିବା ସହ ବିଭିନ୍ନ ରାଜ୍ୟରେ କଫ୍ ସିରପ୍ ପିଇ ପିଲାଙ୍କ ମୃତ୍ୟୁ ଘଟଣାରେ ଦାଏର ହୋଇଥିବା ସମସ୍ତ ଏତଲା ଏବଂ ତଦନ୍ତକୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)କୁ ହସ୍ତାନ୍ତର କରାଯିବା ଲାଗି ନିର୍ଦ୍ଦେଶ ଦେବାକୁ ପିଆଇଏଲରେ ନିବେଦନ କରାଯାଇଛି। କଫ୍ ସିରପ୍ ଭଳି କୌଣସି ଔଷଧ ରୋଗୀଙ୍କୁ ସୁସ୍ଥ କରିବା ପରିବର୍ତ୍ତେ ପ୍ରାଣଘାତୀ ସାଜିବା ଦୁର୍ଭାଗ୍ୟଜନକ୤ ଏଥÒପାଇଁ ଔଷଧ ନିର୍ମାତା କମ୍ପାନୀ ଯେତିକି ଦାୟୀ, ଡାକ୍ତରମାନେ ମଧ୍ୟ ସମପରିମାଣରେ ଦାୟୀ୤ ଲୋଭଗ୍ରସ୍ତ ହୋଇ ଔଷଧ ଲେଖୁଥିବା ଡାକ୍ତର ଏବଂ ଅତ୍ୟଧିକ ଲାଭ ଖୋଜୁଥିବା ଔଷଧ ନିର୍ମାତାଙ୍କ ମଧ୍ୟରେ ଅଲିଖିତ ବୁଝାମଣା ସାଧାରଣ ଲୋକଙ୍କ ଜୀବନକୁ ବିପଦକୁ ଠେଲିଦେଉଛି ଏଥÒରେ ଦ୍ବିମତ ନାହିଁ୤

Launching Ceremony of “AYUSHMAN BHARAT
Leave A Reply

Your email address will not be published.