କାଶୀପୁର ମାଣିକେଶ୍ୱରୀ

0

ରାୟଗଡ଼ ଜିଲ୍ଲା କାଶୀପୁରରେ ଆଶ୍ୱିନ କୃଷ୍ଣପକ୍ଷ ମୂଳାଷ୍ଟମୀ ତିଥିରୁ ମାଣିକେଶ୍ୱରୀଙ୍କ ପୀଠରେ ଏହି ସ୍ୱତନ୍ତ୍ର ବିଧି ଲାଗି କରାଯାଏ । ଏହି ତିଥିରେ ସହସ୍ରା କୁମ୍ଭାଭିଷେକ ପୂଜା ଆରମ୍ଭ ହୁଏ । ରାଜା ଦ୍ୱିବେନ୍ଦୁ କୁମାର ଦେବ ଓ ରାଣୀ ହେମପ୍ରୀୟା ଦେବୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପୂଜକ ସତ୍ୟପ୍ରସାଦ ମିଶ୍ର ନିଷ୍ଟାର ସହ ସଙ୍କଳ୍ପ କରି ପୂଜାକାର୍ଯ୍ୟ ଆରମ୍ଭ କରିଥାନ୍ତି । ବର୍ଷସାରା ଦେବୀଙ୍କ ନିକଟରେ ଅନ୍ନଭୋଗ ଲଗି କରଯାଉଥିବା ବେଳ ଏହି ଦିନମାନଙ୍କରେ ଆମିଷାଦି ଭୋଗ ଦିଆଯାଏ । ପ୍ରତିପଦା ତିଥିକୁ ଖଣ୍ଡାଧୁଆର ଦିନରୂପେ ପାଳନ କରାଯାଏ । ପାଟଖଣ୍ଡା, ଦଲେନ ଖଣ୍ଡା, ମାର୍କମା ଖଣ୍ଡା ଏଭଳି ୬ଟି (ଗଗଡା)ଖଣ୍ଡାକୁ ନିକଟସ୍ଥ ବୌଦ୍ୟନାଥ ସାଗରକୁ ନେଇ ଶାଣଦେଇ ନବକଳେବର କରାଯାଏ । ମଧ୍ୟାହ୍ନରେ ମନ୍ଦିର ପରିସରରେ ରାଜା ଦ୍ୱିବେନ୍ଦୁ ଖଣ୍ଡାର ମଧ୍ୟଭାଗ ପର୍ଯ୍ୟନ୍ତ ଚାଉଳରେ ପୋତିଥାନ୍ତି । ସେହିଦିନ ମନ୍ଦିର ସିନ୍ଧୁକରେ ଥିବା ବିଜୟ ପ୍ରତିମାକୁ ମହାସ୍ନାନ କରାଇ ଗର୍ଭଗୃହରେ ସ୍ଥାପିତ କରାଯାଏ । ଏହାକୁ ଦେବୀଙ୍କ ହୃତପିଣ୍ଡ ବୋଲି ଲୋକଙ୍କ ବିଶ୍ୱାସ ରହିଛି । ପ୍ରତିପଦା ପ୍ରାତଃରେ ରାଜାଙ୍କ ଦ୍ୱାରା ଖଞ୍ଜାଯାଇଥିବା ସିଂ ପରିବାରର ନିଳାମ୍ବର ୫କିମି ଦୂର କୁମ୍ଭାରଶୀଳା ଗାଁରୁ ପୁଜାର୍ଚ୍ଚନା ପରେ ମାଣିକେଶ୍ୱରୀଙ୍କ ମଥା ପ୍ରସ୍ତୁତ କରିବାପାଇଁ ମାଟି ସଂଗ୍ରହ କରି ଆଣିଥାନ୍ତି । ରାଜନଅର ଭିତରେ ଥିବା ଲକ୍ଷ୍ମୀ ମନ୍ଦିର ନିକଟରେ ଏକ ଗୃହରେ ମାଁଙ୍କ ମସ୍ତକ ତିଆରି ହୋଇଥାଏ । ମୁହଁକୁ ରଙ୍ଗିନ କରବାପାଇଁ ଜଣେ ର୍ନିର୍ଦ୍ଦିଷ୍ଟ ମହିଳା ମାଟିପାତ୍ର ତଳେ ଦୀପ ଜାଳି କାଳୀ ପ୍ରସ୍ତୁତ କରିବା ବିଧାନ ରହିଛି । ମୁହଁରେ ରଙ୍ଗଦେଇ ସ୍‌୍ୱର୍ଣ୍ଣାଦି ଅଳଙ୍କାର ପରିଧାନ କରାଇ ଏକ ନିର୍ଦ୍ଦିଷ୍ଟ ରାସ୍ତ ଦେଇ ରାଜା ନଅରରୁ ଗଢ଼ାଯାଇଥିବା ମସ୍ତକକୁ ପଟୁଆରରେ ମନ୍ଦିର ଭିତରକୁ ନିଆଯାଇଥିବା ଦେଖିବାକୁ ମଳିଛି । ମୁଖ୍ୟ ପୁଜକ ମା’ଙ୍କର ଶରୀରରେ ମସ୍ତକକୁ ସ୍ଥାପନା କରିଥାନ୍ତି । ମୂଳାଷ୍ଟୀରୁ ମହାଷ୍ଟମି ୧୬ଦିନ ଧରି ଶୋଡଷ ଉପଚାର ଓ ତନ୍ତ୍ର ପୂଜା କରିବା ପରେ ଅଷ୍ଟମି ଦିନ ଶ୍ରଦ୍ଧାଳୁଙ୍କ ମାନସିକ ବଳି ଦେବୀଙ୍କ ନିକଟରେ ଅର୍ପଣ କରାଯାଏ । ଶେଷ ବଳି ରୂପେ ରାଜାଙ୍କ ପକ୍ଷରୁ ମହାପଶୁବଳୀ ପର୍ବ ମନ୍ଦିର ପରସରରେ ପାଳନ କରାଯାଏ । ସ୍ଥାପନ କରାଯାଇଥିବା ଖଣ୍ଡାରୁ ଗୋଟିଏ ନେଇ ଅଷ୍ଟମି ତିଥିର ବିଳମ୍ବିତ ରାତିରେ ଠାକୁରାଣୀ ନିକଟସ୍ଥ ଖଣ୍ଡୁଆଳ ତୋଟାକୁ ଯାଇ ନିଶି ଖାଇଥାନ୍ତି । ପଞ୍ଚମୀ ତିଥିରୁ ଏକ କଳା ରଙ୍ଗର ମେଣ୍ଡାକୁ ଜେନା ନାମରେ ନାମିତ କରି ଦେବୀଙ୍କ ଉଦ୍ଦେଶ୍ୟରେ ସମର୍ପଣ କରିବାର ବିଧି ରହିଛି ବୋଲି ସ୍ଥାନୀୟ ଯୁବକ ଜଗଦୀଶ ଚନ୍ଦ୍ର ନାୟକ ପ୍ରକାଶ କରିଛନ୍ତି । ନବମୀ ଗତେ ଦଶମୀ ତିଥିରେ ମନ୍ଦିର ଓ ରାଜ ପରମ୍ପରା ଅନୁଯାଇ ବୁଢ଼ାରାଜା ପୀଠରେ ଲାଖବିନ୍ଧା ପର୍ବ ଅନୁଷ୍ଟିତ ହୋଇଥାଏ । ବୁଢ଼ାରାଜା ପୀଠରେ ଅପରାଜିତା ବିଧି ସମ୍ପନ୍ନ କରି ନିକଟରେ ଥିବା ଗଛରେ କାକୁଡି ବାନ୍ଧି ରାଜାଙ୍କ ବନ୍ଧୁକରୁ ପ୍ରଥମେ ନିଳାମ୍ବର ସିଂ ଗୁଳି ଫୁଟାଇଥାନ୍ତି । ପରେ ସାଧାରଣ ଲୋକଙ୍କୁ ଏହି ଅନୁମତି ମଳିଥାଏ । ଦଶମୀ ପୂଜାବିଧି ସମ୍ପନ୍ନ ପରେ ନିଶା ରାତିରେ ଅସ୍ଥାୟୀ ରୂପେ ତିଆରି କରାଯାଇଥିବା ମସ୍ତକକୁ ନିକଟସ୍ଥ ଦୁର୍ଗା ପୋଖରୀରେ ବିସର୍ଜନ କରାଯାଏ । ପରେ ରାଜା ମନ୍ଦିର ପରିସରରେ ନିଜର ସିଂହାସନ ଆରୋହଣ କରି ନିଜର ଦରବାର ଚଳାଇ ଥାନ୍ତି । ଏହି ୧୬ଦିନର ଏକ ନିଆରା ବିଧି ବିଧାନକୁ ଦେଖିବାପାଇଁ ଦୂରଦୂରାନ୍ତରୁ ବହୁ ଭକ୍ତ ଛୁଟି ଆସନ୍ତି ।

Oplus_131072

ମା ମଝିଘରୀଆଣୀ ଦଶହରା ପର୍ବର ପରମ୍ପରା

ରାୟଗଡାର ଅଧୀଷ୍ଠାତ୍ରୀ ଦେବୀ ମା ମଝିଘରିଆଣୀ ବେଶ ପ୍ରତ୍ୟକ୍ଷ । ବର୍ଷକର ପ୍ରତ୍ୟେକ ଦଶହରା ଓ ଅଷ୍ଟମୀ ଦିନ ଏଠାରେ ବଡ ଧରଣର ଉତ୍ସବ ପାଳନ କରାଯାଏ । ଅଷ୍ଟମୀ ଦିନ ମଝିଘରିଆଣୀ ତାଙ୍କ ସାତ ଭଉଣୀଙ୍କ ନିକଟକୁ କୁଆଡେ ବୁଲି ଆସନ୍ତି । ଯାହାକି ଅତୀତରେ ଦେବୀ ମଝିଘରିଆଣୀ ରାତ୍ରୀ ଭ୍ରମଣ ବେଳେ ଅନେକ ଜନସାଧାରଣ ପ୍ରତ୍ୟକ୍ଷ ଭାବେ ଚଳନ୍ତି ପ୍ରତିମାକୁ ଦର୍ଶନ କରି ସଂଜ୍ଞାହୀନ ହେବା ସହ ଭୟରେ ଝାଡାବାନ୍ତି ହୋଇଥିବାର ନଳିର ରହିଛି । ଅଷ୍ଟମୀ ଦିନ ଦେବୀ ନୂତନ କଳେବର ଧାରଣ କରନ୍ତି । ବର୍ଷ ତମାମ ଫୁଲ ଚନ୍ଦନ ସିନ୍ଦୁରରେ ପୋତି ହୋଇ ପଡିଥିବାରୁ ଅଷ୍ଟମୀ ଦିନ ପୂଜାର୍ଚ୍ଚନା ପୂର୍ବକ ସମସ୍ତ ବ୍ୟବହୃତ ଫୁଲ ଚନ୍ଦନ ସିନ୍ଦୁରକୁ ବାହାର କରାଯାଇ ନୂତନ କଳେବର ଧାରଣ କରନ୍ତି । ଦେବୀଙ୍କ ନିକଟରେ ପ୍ରଚଳିତ ବଳୀ ପ୍ରଥାରେ ମଧ୍ୟ ସ୍ୱତନ୍ତ୍ରତା ପରିଲକ୍ଷିତ ହେଉଛି । ଅଷ୍ଟମୀ ଦିନ ବଳି ପଡୁଥିବାରୁ ମହାଷ୍ଟମୀ ରାତ୍ରୀରେ ଚାଉଳ ଖୁଆଇ ପୂଜାର୍ଚ୍ଚନା ପରେ ମୁକ୍ତ କରାଯାଏ ଏବଂ ବଳୀ ପାଇଁ ଥିବା ଛେଳି ଆପେ ଆପେ ସିଧା ଦେବୀଙ୍କ ଆଡକୁ ମୁହାଁଇଲା ପରେ ଯାଇ ତାକୁ ବଳି ଦିଆଯାଏ । ଫଳତଃ ବଳି ପାଇଁ ଥିବା ସତ୍ୟତା ସାଧାରଣରେ ଦେବୀଙ୍କ ଭକ୍ତିମତାକୁ ଆହୁରି ଦୃଢୀଭୂତ କରିପକାଏ ।
ଏଠାରେ ଦଶହରା ପୂଜା ମୁଖ୍ୟତଃ ପ୍ରତିପଦାରୁ ଆରମ୍ଭ ହୁଏ । ମା’ଙ୍କ ପୀଠରେ ତାଙ୍କ ପ୍ରତିନିଧି ରୂପେ ପୂଜା ପାଇ ଆସୁଥିବା ୫ଟି ଖଣ୍ଡା ମଧ୍ୟରୁ ପ୍ରତିପଦାରେ ମା’ ଦୁର୍ଗାଙ୍କ ଖଣ୍ଡା ଉଠିବା ପରଂପରା ରହିଛି । ମା’ଙ୍କ ନିକଟରେ ସମସ୍ତ ଖଣ୍ଡା ଏକ କପଡା ଦ୍‌ାରା ଘୋଡାଯାଇ ବର୍ଷସାରା ପୂଜା ପାଇ ଆସୁଥାନ୍ତି । ରାତ୍ରୀରେ ଖଣ୍ଡା ମନ୍ଦିରରୁ ଉଠିବା ପୂର୍ବରୁ ପୂଜାର୍ଚ୍ଚନା ପୂର୍ବକ ଛାଗ ବଳି ଦିଆଯାଏ । ପରେ ଏକ ପଟୁଆରରେ ବାଜାବାଜଣା ସହ ବ୍ରାହ୍ମଣ ସାହି ନିକଟସ୍ଥ ଦେଇ ପ୍ରବାହିତ ନଦୀ ନିକଟକୁ ନିଆଯାଏ । ଏହି ସ୍ଥାନକୁ ଗଦଗଦିଆ ବୋଲି କୁହାଯାଏ । ସେଠାରେ ମାଆଙ୍କୁ(ଖଣ୍ଡା) ସ୍ନାନ କରାଯାଏ । ଉଖୁଡା(ଗଳା ମୁଆଁ), ପଣା, ଭୋଗ ଦେଇ ପୂଜା କରାଯାଏ । ପରେ ମାଆଙ୍କୁ ରାୟଗଡ ତହସିଲ ଅଫିସ ପରିସର ମଧ୍ୟରେ ଥିବା ମନ୍ଦିରକୁ ନିଆଯାଇ ପାରମ୍ପରିକ ପୂଜା ପଦ୍ଧତିରେ ସ୍ଥାପନ କରାଯାଏ । ତା ପରଦିନଠାରୁ ସେଠାରେ ପୃଥକ ଭାବେ ପୂଜା ଆରମ୍ଭ ହୁଏ । ବ୍ରାହ୍ମଣ ସାହସ୍ଥ୍ମ ରାଜ ପୁରୋହିତ ବାଲୁଙ୍କି ଦାସ ଏବଂ ଲକ୍ଷ୍ମଣ ଦାସ ପ୍ରମୁଖ ଏହି ପୂଜାନୀତି ସମ୍ପନ୍ନ କରିଥାନ୍ତି । ଅଷ୍ଟ ଚଣ୍ଡୀ ପୂଜା ସହ ନବରାତ୍ରୀ ପୂଜା ଏଠାରେ ଚାଲେ । ପ୍ରତିଦିନ ରାତ୍ରୀରେ ଏଠାରେ ଛାଗବଳି ଦିଆଯାଏ ଏବଂ ରାତିତମାମ ଚଣ୍ଡୀପାଠ ହୁଏ । ଦିନବେଳା ପାରମ୍ପରିକ ଭାବେ ମଧ୍ୟ ପୂଜା କରାଯାଏ । ମହାଷ୍ଟମୀ ଦିନ ଏଠାରେ ଏବଂ ମୁଖ୍ୟ ମନ୍ଦିରରେ ମାଛ ଭୋଗ ଲଗାଯାଏ ।

ମହାଷ୍ଟମୀ ଦିନ ମୂଖ୍ୟ ମନ୍ଦିରରେ ପୂଜା ପାଉଥିବା ମା’ ମଝିଘରିଆଣୀ ଖଣ୍ଡା ଉଠା ପରମ୍ପରା ହୋଇଥାଏ । ପଞ୍ଚାମୃତ ସହ ଏକ ଛାଗ ବଳୀର ରକ୍ତରେ ପ୍ରଥମେ ମନ୍ଦିର ପରିସରରେ ଖଣ୍ଡାକୁ ପୂଜା କରାଯାଏ । ପରେ ଖଣ୍ଡାକୁ ପାହାଚ ତଳକୁ ଓହ୍ଲାଇ ଅଣାଯାଇ ପୂର୍ବରୁ ଥିବା କୁଣ୍ଡ( ବର୍ତମାନ ଯେଉଁଠି ପିତଳ ଅଶୁ ଦଣ୍ଡାୟମାନ) ନିକଟରେ ପୁଣି ପୂଜାର୍ଚ୍ଚନା କରାଯାଏ । ସେଠାରେ ପୁଣି ଏକ ଛାଗବଳି ଦିଆଯାଏ । ପରେ ଖଣ୍ଡାକୁ ତୀକ୍ଷଣ କରାଯିବା ଲାଗି ଶାଣ ଦିଆ ପରଂପରା ପାଳନ ହୁଏ । ଖଣ୍ଡା ଶାଣିତ ହେବା ପରେ ପଟୁଆର ଆରମ୍ଭ ହୁଏ । ଝଞ୍ଜାବତୀ ନଦୀର କାଠରଗଡା ତୁଠରେ ମା’ଙ୍କୁ ପୂଜାର୍ଚ୍ଚନା ସହ ସ୍ନାନ କରାଯାଏ । ପରେ ତହସିଲ ଅଫିସ ପରିସରକୁ ନିଆଯାଇ ସେଠାରେ ସ୍ଥାପନ କରାଯାଏ । ଏହା ପୂର୍ବରୁ ନୂଆବସ୍ତ୍ର ପରିଧାନ ସହ ମଣ୍ଡଳ କାଟି ପୂଜା କରାଯାଏ । ସେଠାରେ ପୁଣି ଛାଗ ବଳି ସହ ଅନ୍ନ ଭୋଗ ପ୍ରଦାନ କରାଯାଏ । ସେଠାରୁ ପଟୁଆରରେ ପୂଜାରୀ ସହରର ବିଭିନ୍ନ ସନ୍ଧି ସ୍ଥାନକୁ ଯାଇ ସନ୍ଧି ପୂଜା ସମାପନ କରନ୍ତି । ପୂଜାରେ ଉଖୁଡା , ଲଡ଼ୁ ଆଦି ଭୋଗ କରାଯାଏ । ସେଠାରୁ ସାତଭଉଣୀ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା ସହ ଛାଗ ବଳି ଦିଆଯାଏ । ଏଠାରେ ପୂଜାନୀତି ସମାପନ ପରେ ଘାସୀ ସାହିସ୍ଥ ମରୁଡି ଘର( ପୂର୍ବେ ଏଠାରେ କୁଆଡେ ବଳିଦାନ ପୂର୍ବରୁ ଏବଂ ନରବଳି ପରେ ଶରୀରମାନଙ୍କୁ ରଖାଯାଉଥିଲା )କୁ ଯାଇ ମୁଖ୍ୟ ମନ୍ଦିର ଉଦ୍ଦେଶ୍ୟରେ ବଳି ପାଇଁ ଥିବା ମେଣ୍ଟାକୁ ପୂଜା କରାଯାଇ ଅଣାଯାଏ । ମୁଖ୍ୟମନ୍ଦିରକୁ ଯିବା ପୂର୍ବରୁ ରାସ୍ତାର ପାଶ୍ୱର୍୍‌ରେ ଥିବା ଜେନା ପଥର ନିକଟରେ ପୁନରାୟ ମେ„ାଳୁ ପୂଜାର୍ଚ୍ଚନା ପରେ ଶେ୍ୱତ ବସ୍ତ୍ର ପରିଧାନ ସହ ହଳଦୀ,ସିନ୍ଦୁର ଲଗାଯାଇ ଫୁଲ ପିନ୍ଧାଯାଏ । ମନ୍ତୁରା ଚାଉଳ ଖୁଆଯାଏ ଏବଂ କ= ମନ୍ତ୍ର ଦିଆଯାଏ । ପରେ ମେଣ୍ଡା ଆପେ ଆପେ ରେଳ ଲାଇନ ପାର କରି ମନ୍ଦିର ଫାଟକ ନିକଟକୁ ଯାଏ । ମନ୍ଦିର ଭିତରେ ଏହି ଅଭିମନ୍ତ୍ରିତ ମେ„ାଳୁ ବଳି ଦିଆଯାଏ । ଏହି ନୀତି ପାଳନ ହେବା ପରେ ମନ୍ଦିର ପାର୍ଶ୍‌ରେ ଥିବା ପାଦ ନିକଟରେ ଉଖୁଡା ଭୋଗ ଦିଆଯାଏ । ଅଷ୍ଟମୀ ରାତିରେ ବଳି ଦେବା ପରେ ତହସିଲ ନିକଟସ୍ମ ଦୁଇ ମନ୍ଦିର ଏବଂ ମୁଖ୍ୟ ମନ୍ଦିରରେ ପହଡ ପଡିଯାଏ ଏବଂ ଏହା ନବମୀ ଦିନ ତମାମ ବନ୍ଦ ରହେ । ଦଶମୀ ଦିନ ସକାଳୁ ଫାଟକ ଖୋଲାଯାଏ । ସ୍ୱ୍‌ାଭାବିକ ଭାବେ ପୂଜାର୍ଚ୍ଚନା କରାଯାଏ । ରାତିରେ ଛାଗ ବଳି ଦିଆଯାଏ । ତାସହ ପଣା,ଉଖୁଡା,ଫଳ ଆଦି ଭୋଗ ପ୍ରଦାନ କରାଯାଏ । ପରେ ମା’ଙ୍କ ବାହୁଡା ପର୍ବ ପାଳନ ହୁଏ । ଖଣ୍ଡା ଦୁଇଟିକୁ ପୁଣି ମୁଖ୍ୟ ମନ୍ଦିରକୁ ବାଜାବାଜଣା ଓ ପଟୁଆରରେ ଅଣାଯାଏ । ଫେରିଲାବେଳେ ମା’ ସାତଭଉଣୀ, ସମଲେଇ ଦୁର୍ଗାଙ୍କ ଦର୍ଶନ କରି ମନ୍ଦିରକୁ ପ୍ରବେଶ କରିବା ପରଂପରା ରହିଛି । ମନ୍ଦିର ମଧ୍ୟରେ ଦୁର୍ଗାଙ୍କ ଖଣ୍ଡା ପୁନଃ ସ୍ଥାପନ ପୁର୍ବରୁ ଆଉ ଏକ ଛାଗ ବଳି ଦିଆଯାଏ । ପରେ ପାରମ୍ପରିକ ଭାବେ ନୂଆ କପଡା ଘୋଡାଯାଇ ଦୁଇ ଖଣ୍ଡାକୁ ଯଥା ସ୍ଥାନରେ ସ୍ଥାପନ କରାଯାଏ । ଏଭଳି କଷ୍ଟସାଧ୍ୟ ପୂଜାନୀତିକୁ ବହୁପୂର୍ବରୁ ଭାଗରଥୀ ଦେରୁକ ପୂଜା କରିଆସୁଥିବାବେଳେ ତାଙ୍କ ଅନ୍ତେ ତାଙ୍କ ବଂଶଧରମାନେ ମନ୍ଦିର ପୂଜକ ଭାବେ କାର୍ଯ୍ୟ ତୁଲାଉଛନ୍ତି । ଶାରଦୀୟ ପୂଜା ଅବସରରେ ମୁଖ୍ୟ ମନ୍ଦିରରେ କିଛି ଉତ୍ସାହୀ ଯୁବ ଗୋଷ୍ଠୀଙ୍କ ଆର୍ଥିକ ସହାୟତାରେ ବିରାଟ ହୋମଯଜ୍ଞର ଆୟୋଳନ କରାଯାଉଛି ।
ଦଶହରା ଲାଗି ଶହ ଶହ ବର୍ଷ ଧରି ଏଭଳି ବିରଳ ପରଂପରା ପାଳନ କରାଯାଉଥିବା ଏବଂ ଅଧିକାଂଶ ପୂଜା ନିଶାର୍ଶ୍ୱରେ ହେଉଥିବାରୁ ଏହା ସାଧାରଣ ଭକ୍ତଙ୍କ ଦର୍ଶନ ଲାଗି ଉଚିତ ନୁହେଁ ବୋଲି ବିଶ୍ୱ୍‌ାସ ରହିଛି । ତେବେ ପ୍ରତିପଦା ଠାରୁ ଦଶମୀ ପର୍ଯ୍ୟନ୍ତ ମା’ ମୁଖ୍ୟ ମନ୍ଦିର ନରହି ତହସିଲ ଅଫିସ ନିକଟସ୍ଥ ମନ୍ଦିରରେ ପୂଜା ପାଉଥିବାରୁ ଏହି କାଳରେ ସେଠାରେ ମା’ଙ୍କୁ ଦର୍ଶନ କଲେ ସମସ୍ତ ରିଷ୍ଟ ଖଣ୍ଡନ ହେବା ସହ ମନସ୍କାମନା ପୂର୍ଣ ହୋଇଥାଏ ବୋଲି ପୂଜକମାନେ ମତବ୍ୟକ୍ତ କରନ୍ତି । ଏହି ଶାରଦୀୟ ପୂଜା ଅବସରରେ ମାଆ ଦୁର୍ଲଭ ସୁନା ବେଶରେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି ।

Launching Ceremony of “AYUSHMAN BHARAT
Leave A Reply

Your email address will not be published.