ଭୁବନେଶ୍ୱର: ସେପ୍ଟେମ୍ବର ୨: କରୋନା ମହାମାରୀ ଯୋଗୁଁ ଚଳିତ ବର୍ଷ ଯୁକ୍ତ ୨ ପରୀକ୍ଷାଫଳ ବିକଳ୍ପ ମୂଲ୍ୟାଙ୍କନ ପଦ୍ଧତିରେ ଦିଆଯାଇଥିଲା । ପରୀକ୍ଷାଫଳକୁ ନେଇ କିଛି ଛାତ୍ରଛାତ୍ରୀ ଅସନ୍ତୋଷ ପ୍ରକାଶ କରିଥିଲେ । ସେମାନଙ୍କ ପାଇଁ ରାଜ୍ୟ ସରକାର ଅଫ୍ଲାଇନ ପରୀକ୍ଷା ଅନୁଷ୍ଠିତ କରିବାକୁ ଯାଉଛନ୍ତି । ଚଳିତ ମାସ ସେପ୍ଟେମ୍ବର ୩ରେ ଏଥିପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ । ସେପ୍ଟେମ୍ବର ୭ ହେଉଛି ଆବେଦନ ପ୍ରକ୍ରିୟାର ଶେଷ ତାରିଖ । ତେବେ ପରୀକ୍ଷାର୍ଥୀ ସଂଖ୍ୟାକୁ ଦୃଷ୍ଟିରେ ରଖି ପରୀକ୍ଷା ସୂଚୀ ଓ କେନ୍ଦ୍ର ନିର୍ଦ୍ଧାରିତ କରାଯିବ । ଏହି ଅଫ୍ଲାଇନ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀଙ୍କର ପୂର୍ବ (ବିକଳ୍ପ ମୂଲ୍ୟାଙ୍କନରେ ପାଇଥିବା ମାର୍କ) ମାର୍କ ପରିବର୍ତ୍ତନ ହୋଇ ଅଫ୍ଲାଇନ ପରୀକ୍ଷାରୁ ପାଇବାକୁ ଥିବା ମାର୍କ ହିଁ ଚୂଡ଼ାନ୍ତ ହେବ ।
ଅନ୍ୟପକ୍ଷରେ, ଚଳିତ ବର୍ଷ ଯୁକ୍ତ ୨ ପାଠ୍ୟକ୍ରମର ସିଲାବସ୍ ପରିବର୍ତ୍ତନ କରାଯାଇ ପ୍ରାୟ ୩୦ ପ୍ରତିଶତ ଏହାକୁ ହ୍ରାସ କରାଯିବ । ଏହାସହ ପ୍ରଥମ ବର୍ଷ ଓ ଦ୍ୱିତୀୟ ବର୍ଷରେ ଟର୍ମିନାଲ ପରୀକ୍ଷା କରାଯିବ । ପ୍ରଥମ ବର୍ଷରେ ୩ଟି ଓ ଦ୍ୱିତୀୟ ବର୍ଷରେ ୩ଟି ଟର୍ମିନାଲ ପରୀକ୍ଷା ହେବ । ପ୍ରତି କ୍ୱାର୍ଟରରେ ୩୦ ନମ୍ବର ବିଶିଷ୍ଟ ପରୀକ୍ଷା ହେବ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାଉନ୍ସିଲ ତରଫରୁ ଏକ ବୈଠକ ବସିଯାଇଛି ।
ସୂଚନା ଥାଉଯେ, ଚଳିତ ବର୍ଷ ଯୁକ୍ତ ୨ କଳାରେ ୧ ଲକ୍ଷ ୯୬ ହଜାର ୯୫୯ ଜଣ ଛାତ୍ରଛାତ୍ରୀ ପାସ୍ କରିଥିଲା ବେଳେ ବିଜ୍ଞାନରେ ୮୯ ହଜାର ୯୫୧ ଜଣ ଓ ବାଣିଜ୍ୟରେ ୨୩ ହଜାର ୨୯୨ ଜଣ ଛାତ୍ରଛାତ୍ରୀ ପାସ୍ କରିଥିଲେ ।

Comments are closed.