ନୂଆଦିଲ୍ଲୀ: ରୁଷ୍ ବିରୋଧରେ ଯୁକ୍ରେନକୁ ଯୁଦ୍ଧ ପାଇଁ ସାହାଯ୍ୟ କରିବାକୁ ଆମେରିକା ଓ ନାଟୋର ଯୋଜନା ସଂକ୍ରାନ୍ତ ଅତି ଗୋପନୀୟ ତଥ୍ୟ ଏବେ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ୍ ହୋଇଛି। ନ୍ୟୁୟର୍କ ଟାଇମ୍ସରେ ଏନେଇ ଏକ ରିପୋର୍ଟ ପ୍ରକାଶ ପାଇଛି। ପେଣ୍ଟାଗନ୍ କହିଛି, ତଥ୍ୟ ସୁରକ୍ଷା ଭଙ୍ଗକୁ ଏହା ଅତି ଭଲଭାବେ ଯାଞ୍ଚ କରୁଛି। ଉପ ପ୍ରେସ୍ ସଚିବ ସବରିନା ସିଂହ କହିଛନ୍ତି, ସୋସିଆଲ ମିଡିଆ ପୋଷ୍ଟ୍ ସଂକ୍ରାନ୍ତରେ ଆମେ ଅବଗତ ଅଛୁ ଏବଂ ବିଭାଗ ପକ୍ଷରୁ ଉକ୍ତ ବିଷୟର ସମୀକ୍ଷା କରାଯାଉଛି। ଭାଇରାଲ୍ ହୋଇଥିବା ତଥ୍ୟରେ ଅସ୍ତ୍ର ଯୋଗାଣ, ସେନାର ଶକ୍ତି ଏବଂ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ସୂଚନା ରହିଛି। ତେବେ ଏହି ଭାଇରାଲ୍ ତଥ୍ୟ ମାତ୍ର ୫ ସପ୍ତାହର। ୧୨ ୟୁକ୍ରେନ କମ୍ବାଟ ବ୍ରିଗେଡ୍ଙ୍କର ତାଲିମ ସିଡ୍ୟୁଲ ମଧ୍ୟ ଏଥିରେ ରହିଛି। ଏଥି ମଧ୍ୟରୁ ୯ଟି ୟୁକ୍ରେନ କମ୍ବାଟ ବ୍ରିଗେଡକୁ ଆମେରିକା ଓ ନାଟୋ ବାହିନୀ ତାଲିମ ଦେଉଛନ୍ତି ବୋଲି ଏହି ତଥ୍ୟରେ କୁହାଯାଇଛି। ଏହି ଦସ୍ତାବିଜ ରୁଷ୍ ସମର୍ଥିତ ସରକାରୀ ଚ୍ୟାନେଲ୍ରେ ସର୍କୁଲେଟ କରାଯାଇଛି। ତେବେ ଏହା କେଉଁ ସୂତ୍ରରୁ ଲିକ୍ ହେଲା ସେ ନେଇ ପେଣ୍ଟାଗନ କୌଣସି ସୂଚନା ଦେଇନାହିଁ। ଉକ୍ତ ପ୍ରସଙ୍ଗରେ ଅଧିକ ତଦନ୍ତ ଜାରି ରହିଛି।
Comments are closed.