ହାଇଦ୍ରାବାଦ: ଆଇପିଏଲ୍ ପ୍ରଥମ ସଂସ୍କରଣ (୨୦୦୮)ର ବିଜେତା ତଥା ଗତଥରର ଉପବିଜେତା ରାଜସ୍ଥାନ ରୟାଲ୍ସ ରବିବାର ହାଇଦ୍ରାବାଦରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଚଳିତ ସଂସ୍କରଣ ଆରମ୍ଭ କରିବ। ସଂଜୁ ସାମସନ୍ଙ୍କ ନେତୃତ୍ବାଧୀନ ଏହି ଦଳ ଗତ ବର୍ଷ ଉଭୟ ଅରେଞ୍ଜ କ୍ୟାପ୍ ଓ ପର୍ପଲ କ୍ୟାପ୍ ଉପରେ କବ୍ଜା କରିଥିଲା। ଜୋସ୍ ବଟଲର୍ ସର୍ବାଧିକ ରନ୍ ସଂଗ୍ରହକାରୀ ଓ ୟୁଝବେନ୍ଦ୍ର ଚହଲ ସର୍ବାଧିକ ୱିକେଟ୍ ହାସଲକାରୀ ହୋଇଥିଲେ। ଚହଲ ଓ ରବିଚନ୍ଦ୍ରନ ଅଶ୍ବିନଙ୍କ ସହ ଅଷ୍ଟ୍ରେଲିଆର ଆଡ଼ାମ ଜାମ୍ପା ଏହାର ସ୍ପିନ ଆକ୍ରମଣକୁ ଅଧିକ ମଜବୁତ୍ କରିଛନ୍ତି। ସନରାଇଜର୍ସ ହାଇଦ୍ରାବାଦର ମଜବୁତ୍ ବ୍ୟାଟିଂ ଲାଇନ୍ ଥିଲେ ବି ଦଳ ଗତ ଦୁଇ ସଂସ୍କରଣରେ ଉପରକୁ ଉଠିବା ପାଇଁ ସଂଘର୍ଷ କରିଥିଲା। ଚଳିତ ବର୍ଷ ଦକ୍ଷିଣ ଆଫ୍ରିକୀୟ ଖେଳାଳି ଏଡେନ୍ ମାରକ୍ରାମଙ୍କୁ ଅଧିନାୟକ ଦାୟିତ୍ବ ଦିଆଯାଇଛି। କିନ୍ତୁ ସେ ୩ ତାରିଖରେ ଭାରତରେ ପହଞ୍ଚିବାକୁ ଥିବାରୁ ଭୁବନେଶ୍ବର କୁମାର କାମଚଳା ଦାୟିତ୍ବ ସମ୍ପାଦନ କରିବେ। ଦ୍ରୁତ ବୋଲିଂ ଦଳର ମଜବୁତ ଅଙ୍ଗ ଭାବେ ଉଭା ହୋଇଛି। ଭୁବନେଶ୍ବରଙ୍କ ସହ ଉମ୍ରାନ ମଲ୍ଲିକ, ମାର୍କୋ ଜାନସେନ୍ଙ୍କ ଉପରେ ଆରମ୍ଭରୁ ୱିକେଟ୍ ବାହାର କରିବା ଦାୟିତ୍ବ ରହିବ। କିନ୍ତୁ ରାଜସ୍ଥାନ ପାଇଁ ଦ୍ରୁତ ବୋଲିଂ ସବୁଠୁ ବଡ଼ ଦୁର୍ବଳ ଭାଗ ରହିବ।

Comments are closed.