ଆଜି ଜନ୍ମଦିନ,, ରଘୁନାଥ ପାଣିଗ୍ରାହୀ

0

ଆଧୁନିକ ଯୁଗର ଜଣେ ଓଡ଼ିଶୀ କଣ୍ଠଶିଳ୍ପୀ ଭାବେ ରଘୁନାଥ ପାଣିଗ୍ରାହୀଙ୍କର ରହିଛି ଅନନ୍ୟ କ୍ଷାତି । ସେ ରାୟଗଡ଼ା ଜିଲ୍ଲାର ଗୁଣପୁର ସହରରେ ୧୯୩୪ ମସିହା ଅଗଷ୍ଟ ୧୦ ତାରିଖରେ ଜନ୍ମଗ୍ରହଣ କରିଥିଲେ । ସ୍ୱାଧୀନତା ସଂଗ୍ରାମୀ ପିତା ପଣ୍ଡିତ ନୀଳମଣି ପାଣିଗ୍ରାହୀଙ୍କଠାରୁ ସେ ୫ବର୍ଷ ବୟସରେ ସଂଗୀତ ଶିକ୍ଷା ଆରମ୍ଭ କରିଥିଲେ । ଏହାସହିତ ସେ ଅନ୍ୟ ଗୁରୁଙ୍କ ସହିତ ସଂଗୀତଜ୍ଞ ମଦୁ ପାପ୍ପା ରାଓଙ୍କଠାରୁ କର୍ଣ୍ଣାଟକୀ ସଂଗୀତ ଶିକ୍ଷା ଲାଭ କରିଥିଲେ । ଶେଷରେ ମାଡ୍ରାସରେ ପଣ୍ଡିତ ଡି. ଭି. ପାଲୁସକରଙ୍କଠାରୁ ହିନ୍ଦୁସ୍ତାନୀ କଣ୍ଠସଂଗୀତ ଶିକ୍ଷା କରି ଓଡ଼ିଶା ଫେରିଥିଲେ । ୧୯୪୮ ମସିହାରେ ରଘୁନାଥ ପାଣିଗ୍ରାହୀ ଆକାଶବାଣୀ କଟକ କେନ୍ଦ୍ରରେ ଜଣେ ନିୟମିତ କଳାକାର ଭାବେ ଯୋଗ ଦେଇଥିଲେ । ଅନେକ କଥାଚିତ୍ରରେ ସେ ଭଜନ, ଜଣାଣ ଏବଂ ଓଡ଼ିଶୀ ଛାନ୍ଦ, ଚମ୍ପୁ ଓ ଗଜଲ ଗାନ କରିଛନ୍ତି । ଏହାସହ ଦକ୍ଷିଣଭାରତୀୟ ଚଳଚ୍ଚିତ୍ରରେ କଣ୍ଠଦାନ ସହିତ ସଂଗୀତ ନିର୍ଦ୍ଦେଶନା ମଧ୍ୟ ପ୍ରଦାନ କରିଛନ୍ତି । ବିଶେଷ କରି ଓଡ଼ିଶୀ ସଂଗୀତ ସହିତ ଜଗନ୍ନାଥ ସଂସ୍କୃତି ଓ ଜୟଦେବଙ୍କ ଗୀତଗୋବିନ୍ଦର ପ୍ରଚାର ଓ ପ୍ରସାର ପାଇଁ ତାଙ୍କର ଭୂମିକା ଅନନ୍ୟ । ଶାସ୍ତ୍ରୀୟ ଶୈଳୀରେ ଗୀତଗୋବିନ୍ଦ ଗାନ କରି ସେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପ୍ରସିଦ୍ଧି ଅର୍ଜନ କରିଥିଲେ । ସେ ଏକାଧାରରେ ଓଡ଼ିଶୀ, ହିନ୍ଦୁସ୍ଥାନୀ ଓ କର୍ଣ୍ଣାଟକୀ ପଦ୍ଧତିରେ ସଙ୍ଗୀତ ଗାନ କରି ଯଥେଷ୍ଟ ଖ୍ୟାତି ଅର୍ଜନ କରିଥିଲେ । ତାଙ୍କର ସୁମଧୁର ଗାୟନ ତାଙ୍କୁ ସୁରମଣି ବୋଲି ପରିଚିତ କରିଥିଲା । ସଙ୍ଗୀତ ପାଇଁ ଥିବା ତାଙ୍କର ମହାନ ଦାନ ପାଇଁ ତାଙ୍କୁ ୨୦୧୦ରେ ପଦ୍ମଶ୍ରୀ ସହିତ ଆହୁରି ଅନେକ ସମ୍ମାନରେ ସମ୍ମାନୀତ କରାଯାଇଛି । ଏହି ମହାନ ଗୁରୁଙ୍କର ଅଗଷ୍ଟ ୨୫, ୨୦୧୩ରେ ଦେହାନ୍ତ ହୋଇଥିଲା ।

Leave A Reply

Your email address will not be published.