ଓଡ଼ିଶାର ବରପୁତ୍ରଙ୍କ ମଧ୍ୟରେ ନୀଳକଣ୍ଠ ଦାସ ଖୁବ ପରିଚିତ । ଓଡ଼ିଶାର ପୁରୀ ଜିଲ୍ଲାର ସାକ୍ଷୀଗୋପାଳର ଶ୍ରୀରାମଚନ୍ଦ୍ରପୁରରେ ୧୮୮୪ ଅଗଷ୍ଟ ୫ରେ ଜନ୍ମିତ ନୀଳକଣ୍ଠ ଦାସ ଏକାଧାରରେ ଜଣେ ଲେଖକ, ସାମ୍ବାଦିକ ଓ ସ୍ୱାଧୀନତା ସଂଗ୍ରାମୀ ଥିଲେ । ପିଲାଦିନ ଖୁବ ମେଧାବୀ ଛାତ୍ର ଥିଲେ ପଣ୍ଡିତ ନୀଳକଣ୍ଠ ଦାସ । ଭର୍ଣ୍ଣାକୁଲାର ପରୀକ୍ଷାଠାରୁ ଆରମ୍ଭ କରି ରେଭେନ୍ସା କଲେଜର ବି.ଏ. ପରୀକ୍ଷା ପର୍ଯ୍ୟନ୍ତ ସେ ଓଡ଼ିଶାରେ ପ୍ରଥମ ହୋଇଆସିଥିଲେ । ଦର୍ଶନ ଶାସ୍ତ୍ର ଓ ରସାୟନ ବିଜ୍ଞାନ ବିଷୟକୁ ନେଇ ବି.ଏ.ପରୀକ୍ଷାରେ ଉତୀର୍ଣ୍ଣ ହୋଇଥିଲେ । ପରେ ମାସିକ ବୃତ୍ତି ପାଇ ସେ ଦର୍ଶନ ଶାସ୍ତ୍ରରେ କୋଲକତା ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଉପାଧି ହାସଲ କରିଥିଲେ । ହେଲେ ସରକାରୀ ଚାକିରିକୁ ତ୍ୟାଗ କରି ଦେଶସେବାରେ ମନୋନିବେଶ କରିଥିଲେ । ୧୯୦୯ ପ୍ରତିଷ୍ଠା ହୋଇଥିବା ସତ୍ୟବାଦୀ ବନ ବିଦ୍ୟାଳୟ ବା ମଣିଷଗଢା କାରଖାନାର ସେ ଥିରେ ପ୍ରତିଷ୍ଠାତା ସଦସ୍ୟ । ସେଠାରେ ସେ ମାସିକ ୩୦ଟଙ୍କା ବେତନରେ ପ୍ରଧାନ ଶିକ୍ଷକ ଭାବରେ କାମ ଆରମ୍ଭ କରିଥିଲେ । ଏହି ମହାନ ସଂଗ୍ରାମୀଙ୍କର ଜୀବନ ଦେଶସେବାରେ ହିଁ କଟିଥିଲା । ସେ ସତ୍ୟବାଦୀର ବିଧାୟକ ଓ ଓଡ଼ିଶା ବିଧାନ ସଭାର ବାଚସ୍ପତି ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ । ରାଜ୍ୟରୁ ଛୁଆଁ ଅଛୁଆଁ ଭେଦ ଭାବ ଦୂରେଇବାକୁ ସେ ଅକ୍ଳାନ୍ତ ପରିଶ୍ରମ କରିଥିଲେ । ଏହି ବିଶିଷ୍ଟ ସଂଗ୍ରାମୀଙ୍କୁ ତାଙ୍କ କାର୍ଯ୍ୟପାଇଁ ୧୯୬୦ରେ “ପଦ୍ମ ଭୂଷଣ’ ଉପାଧି ପ୍ରାପ୍ତ ହୋଇଥିଲେ । ଏହି ମହାନ ଆତ୍ମାଙ୍କର ୮୩ ବର୍ଷ ବୟସରେ ୧୯୬୭ ନଭେମ୍ବର ୬ରେ ଦେହାନ୍ତ ହୋଇଥିଲା ।