ବର୍ତ୍ତମାନ ମାନସିକ ସ୍ୱାସ୍ଥ୍ୟକୁ ନେଇ ଅନେକ ଚର୍ଚ୍ଚା ଓ ଆଲୋଚନା ଦେଖିବାକୁ ମିଳୁଛି । ଅନେକ ଏଭଳି ପଦକ୍ଷେପ ନିଆଯାଉଛି ଯାହା ମାନସିକ ସ୍ୱାସ୍ଥ୍ୟକୁ ଅଧିକ ଉନ୍ନତି କରୁଛି । ବଢୁଥିବା ଷ୍ଟ୍ରେସ୍ ଲେବଲକୁ କମ କରିବାକୁ ବିଭିନ୍ନ ଖେଳ, ଯୋଗ, ଧ୍ୟାନ ଆଦିକୁ ଗୁରୁତ୍ୱ ଦିଆଯାଉଛି । ତେବେ ବୈଜ୍ଞାନିକମାନେ ଏହି ଦିଗରେ ଏକ ଅଭିନବ ଉଦ୍ଭାବନ କରିଛନ୍ତି, ଯାହା ମାନସିକ ସ୍ୱାସ୍ଥ୍ୟକୁ ଭଲ ରଖିବାରେ ସାହାଯ୍ୟ କରିବ । ବୈଜ୍ଞାନିକମାନେ ବର୍ତ୍ତମାନ ଏକ ଇ ଟାଟୁର ଉଦ୍ଭାବନ କରିଛନ୍ତି ଯାହା ଆମର ମାନସିକ ସ୍ୱାସ୍ଥ୍ୟକୁ ମାପିବ । ଏହା ଆମ ମସ୍ତିଷ୍କର ବିଭିନ୍ନ ତରଙ୍ଗକୁ ସମୀକ୍ଷା କରି ମାନସିକ ଚାପକୁ ମାପିବ । ଏହି ଟାଟୁକୁ ବ୍ୟକ୍ତିଙ୍କର କପାଳରେ ଅଙ୍କା ଯିବ । ସେହିଭଳି ଏହା ବିନା ତାରରେ କାର୍ଯ୍ୟ କରୁଥିବାବେଳେ ଏହା ଏକ ଅସ୍ଥାୟୀ ଟାଟୁ । ବର୍ତ୍ତମାନ ମଣିଷଙ୍କର ମସ୍ତିଷ୍କ ଖୁବଶୀଘ୍ର ଅବସାଦଗ୍ରସ୍ତ ହେଉଛି ଯାହା ଏକ ଚିନ୍ତାର କାରଣ ପାଲଟିଛି । ଏହି ଇ ଟାଟୁ ଆମ ମସ୍ତିଷ୍କ ଏବଂ ଆଖିରେ ହେଉଥିବା କାର୍ଯ୍ୟକଳାପକୁ ସମୀକ୍ଷା କରିଥାଏ । ଏହି ଇ ଟାଟୁଟି ଏକ ଛୋଟ ହାଲୁକା ବ୍ୟାଟେରୀ, ପେପର ଥିନ୍, ଷ୍ଟିକର ସେନ୍ସର ଆଦିକୁ ନେଇ ନିର୍ମାଣ କରାଯାଇଛି । ଏହି ସେନ୍ସର ଗୁଡିକ ତରଙ୍ଗାଇତ ଲୁପ ଓ କଏଲ୍କୁ ନେଇ ଗଠନ କରାଯାଇଛି ଯାହା ଏହାକୁ ଷ୍ଟ୍ରେଚ କରିବାରେ ସାହାଯ୍ୟ କରିଥାଏ । ଏହା ଷ୍ଟ୍ରେଚ ହେବା ଫଳରେ ପିନ୍ଧିଥିବା ବ୍ୟକ୍ତିଙ୍କର ଚର୍ମକୁ ଏହା ଆରାମଦାୟକ ହେବା ସହିତ ସିଗ୍ନାଲ ସ୍ପଷ୍ଟ ମିଳିଥାଏ । ସେହିଭଳି ଏହାକୁ କରିବାକୁ ଇଛୁକ ବ୍ୟକ୍ତିଙ୍କର ପ୍ରଥମେ ବ୍ରେନ୍ର ମାପ ନିଆଯାଇ କଷ୍ଟମାଇଜ୍ଡ କରି ଅଙ୍କା ଯାଇଥାଏ । ବୈଜ୍ଞାନିକମାନେ ୬ଜଣଙ୍କ ଉପରେ ଏହାକୁ ଟେଷ୍ଟ କରିଥିବା ସୂଚନା ଦେଇଛନ୍ତି । ଯେତେବେଳେ ମସ୍ତିଷ୍କର ବୋଝ ବଢିଥାଏ ସେତେବେଳେ ଏଥିରୁ ବାହାରୁଥିବା ତରଙ୍ଗରେ ଏହା ପ୍ରତିଫଳିତ ହୋଇଥାଏ ବୋଲି ଏହି ପରୀକ୍ଷାରୁ ଜଣା ପଡିଛି । ତେଣୁ ମସ୍ତିଷ୍କ ଉପରେ ପଡୁଥିବା ଚାପକୁ ଆମେ ଏହି ଟାଟୁ ସାହାଯ୍ୟରେ ମାପି ପାରିବା ବୋଲି ବୈଜ୍ଞାନିକମାନେ ମତ ଦେଇଛନ୍ତି ।

Comments are closed.