ଭାରତ ହେଉଛି ଅବିଶ୍ୱାସନୀୟ ଜୈବବିବିଧତାର ଏକ ଦେଶ । ଏଠିକାର ବଣ ଜଙ୍ଗଲରେ ଦେଖିବାକୁ ମିଳୁଥିବା ପ୍ରାଣୀମାନେ ବିଶ୍ୱରେ ବିରଳ ହୋଇଥାଆନ୍ତି । ଏହି ପ୍ରାଣୀମାନେ ଭାରତର ସଂସ୍କୃତି ଓ ଐତିହ୍ୟ ସହିତ ମଧ୍ୟ ଗଭୀରଭାବେ ଜଡିତ ।
ମହାବଳ ବାଘ
ଭାରତର ଜାତୀୟ ପଶୁ ବାଘ ପାଇଁ ଭାରତର ବିଶ୍ୱ ଦରବାରରେ ରହିଛି ସ୍ୱତନ୍ତ୍ର ପରିଚୟ । ନିଜର ସୁନ୍ଦର ରଙ୍ଗ ଏବଂ ଚେହେରା ପାଇଁ ସବୁବେଳେ ଏହା ଆଦର ପାଇଥାଏ । ଏହା ହିଂସ୍ର ହେଲେ ମଧ୍ୟ ଏହାର ସୌନ୍ଦର୍ଯ୍ୟ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାଏ ଏହି ପଶୁ । ଭାରତରେ ଥିବା ବିଭିନ୍ନ ଚିଡିଆଖାନା ବିଶେଷଭାବେ ଓଡ଼ିଶାର ନନ୍ଦନ କାନନ ଚିଡିଆଖାନାର ମୁଖ୍ୟ ଆକର୍ଷଣ ହୋଇଥାଏ ମହାବଳ ବାଘ । ଏହାର ଅନେକ ପ୍ରଜାତି ରହିଥାଆନ୍ତି ଯେଉଁମାନେ ନନ୍ଦନ କାନନ ସହିତ ଦେଶର ବିଭିନ୍ନ ଚିଡିଆଖାନା ଓ ଜଙ୍ଗଲରେ ରହିଛନ୍ତି । ଏହାର ବଳିଷ୍ଠ ଚେହେରା, ଶରୀରରେ ଥିବା ପଟାପଟା କଳାର ଦାଗ ଏହାର ବିଶେଷ ପରିଚୟ ହୋଇଥାଏ । ଏହି ବାଘ ଗୁଡିକ ୮ରୁ ୧୦ ଫୁଟ ଲମ୍ବା ହୋଇଥିବାବେଳେ ଏମାନଙ୍କର ଓଜନ ପାଖାପାଖି ୧୦୦ ରୁ ଆରମ୍ଭ ହୋଇ ୨୬୦ ପର୍ଯ୍ୟନ୍ତ ଥାଏ । ଏମାନଙ୍କର ଗାଢ କମଳା ରଙ୍ଗ ଏମାନଙ୍କର ସୌନ୍ଦର୍ଯ୍ୟକୁ ବଢାଇଥାଏ । ଏମାନେ ଭାରତର ବିଭିନ୍ନ ପ୍ରକାରର ଜଙ୍ଗଲରେ ବସବାସ କରିଥାଆନ୍ତି । ଭାରତରେ ଏମାନଙ୍କର ସିଂହଭାଗ ଅଂଶ ବସବାସ କରନ୍ତି । ଏହାଛଡା ବାଙ୍ଗଲାଦେଶ, ଭୁଟାନ, ନେପାଲରେ ମଧ୍ୟ କିଛିମାତ୍ରାରେ ଦେଖିବାକୁ ମିଳନ୍ତି ହେଲେ ଭାରତ ତୂଳନାରେ କମ । ଭାରତର ସୁନ୍ଦରବନ, ଉତ୍ତରାଖଣ୍ଡର ଜିମ୍ କୋର୍ବେଟ୍ ନ୍ୟାସନାଲ ପାର୍କ, ରାଜସ୍ଥାନର ରନ୍ଥାମ୍ବୋର, ମଧ୍ୟପ୍ରଦେଶର, ଆସାମର କାଜିରଙ୍ଗା, ଓଡ଼ିଶାର ନନ୍ଦନକାନନ, ଶିମିଳିପାଳ ଆଦିରେ ବିଭିନ୍ନ ପ୍ରଜାତିର ବାଘ ଦେଖିବାକୁ ମିଳିଥାଆନ୍ତି । ଯେଉଁମାନେ ଦେଶ ତଥା ରାଜ୍ୟର ପର୍ଯ୍ୟଟନ ଶିଳ୍ପ ଉପରେ ଖୁବ ଭଲ ପ୍ରଭାବ ପକାଇଥାାନ୍ତି । ଶିମିଳିପାଳରେ ଦେଖିବାକୁ ମିଳୁଥିବା କଳା ବାଘ ଖୁବ ବିରଳ ପ୍ରଜାତି ହୋଇଥାଏ । ନିକଟରେ ହୋଇଥିବା ବାଘ ଗଣନାରେ ଶିମିଳିପାଳରେ ମହାବଳବାଘ ସଂଖ୍ୟା ବଢୁଥିବା ଜଣା ପଡିଛି । ଏଠାରେ ୪୦ଟି ମହାବଳ ବାଘ ବାସ କରୁଥିବା ବାଘ ଗଣନାରେ ତଥ୍ୟ ମିଳିଛି । ବାଘ ଭାରତର ଜାତୀୟ ପଶୁ ହୋଇଥିବାରୁ ଏହାର ପ୍ରଭାବ ଭାରତୀୟ ସଂସ୍କୃତି ଉପରେ ମଧ୍ୟ ରହିଛି । ସେହିଭଳି ବାଘ ବଂଶବୃଦ୍ଧି ଓ ସେମାନଙ୍କ ସୁରକ୍ଷାପାଇଁ ଆମ ସରକାର ସବୁବେଳେ ଚେଷ୍ଟିତ ରହିଥାଏ । ଏମାନଙ୍କର ବିଭିନ୍ନ ପ୍ରକାରର ପ୍ରୋଜେକଫ ରହିଛି ଯାହା ବାଘମାନଙ୍କୁ ସୁରକ୍ଷା ଦେବା ପାଇଁ କାର୍ଯ୍ୟ କରିଥାଏ । ୧୯୭୩ରେ ଲଞ୍ଚ କରାଯାଇଥିଲା ପ୍ରୋଜେକଫ ଟାଇଗର, ଯାହା ଭାରତରେ ବାଘବଂଶ ବୃଦ୍ଧି ଓ ସୁରକ୍ଷା ଉପରେ କାର୍ଯ୍ୟ କରିଥିଲା । ବିଭିନ୍ନ ରାଜ୍ୟରେ ଥିବା ବାଘ ସଫାରୀକୁ ଏହି ପ୍ରକଳ୍ପ ଅଧୀନରେ ସୁରକ୍ଷା ଦିଆଯାଇଥିଲା । ସେହିଭଳି ଭାରତରେ ୨୦୦୬ରେ ବନ୍ୟପ୍ରାଣୀ ସୁରକ୍ଷା ଆଇନ୍ ଅଧିନରେ ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣର ଆରମ୍ଭ କରାଯାଇଥିଲା । ସେହିଭଳି ପ୍ରତିବର୍ଷ ବାଘ ଗଣନା କରାଯାଇ ଏମାନଙ୍କର ସଂଖ୍ୟାକୁ ମନିଟରିଂ କରାଯାଇଥାଏ । ଏହିସବୁ ପ୍ରକଳ୍ପ ବଳରେ ଭାରତରେ ବାଘ ସଂଖ୍ୟା ବଢୁଥିବା ଅନେକ ସମୟରେ ସମୀକ୍ଷକ ମତ ଦେଇଥାଆନ୍ତି ।
ଏସୀୟ ସିଂହ
ଭାରତର ଜଙ୍ଗଲରେ ଆଉ ଏକ ପ୍ରାଣୀ ଦେଖିବାକୁ ମିଳିଥାଏ ତାହା ହେଲା ଏସୀୟ ସିଂହ, ଯାହା ବିଶ୍ୱର କେବଳ ଭାରତର ଗୁଜରାଟର ଗିର୍ ନ୍ୟାସନାଲ ଫରେଷ୍ଟରେ ଏହା ଦେଖିବାକୁ ମିଳିଥାଏ । ଏହି ସିଂହ ଗୁଡିକ ଦେଖିବାକୁ ସୁନ୍ଦର ହୋଇଥାଆନ୍ତି । ଏମାନଙ୍କ ଓଜନ ୧୬୦ କେଜିରୁ ୧୯୦ କେଜି ପର୍ଯ୍ୟନ୍ତ ରହିଥାଏ । ତେବେ ଏହି ଓଜନ ମାଈ ଓ ଅଣ୍ଡିରା ସିଂହଙ୍କ ନିକଟରେ ଭିନ୍ନ ରହିଥାଏ । ସେହିଭଳି ଏହାର ଚର୍ମରେ ଏକ ସ୍ୱତନ୍ତ୍ର ପ୍ରକାର ଭାଙ୍ଗ ଦେଖିବାକୁ ମିଳିଥାଏ ଯାହା ଆଫ୍ରିକୀୟ ସିଂହଙ୍କ ପାଖରେ ଦେଖିବାକୁ ମିଳିନଥାଏ । ଏମାନଙ୍କର ସଂଖ୍ୟା ନିକଟରେ ବଢୁଥିବାର ଦେଖିବାକୁ ମିଳିଛି, ଏହା ବଢି ନିକଟରେ ୮୯୧ରେ ପହଞ୍ଚିଥିବା ସୂଚନା ରହିଛି । ଏମାନେ ଆଫ୍ରିକୀୟ ସଂହଙ୍କ ତୂଳନାରେ ଟିକେ ଛୋଟ ଥାଆନ୍ତି । ଏମାନଙ୍କର ଫିକା ହଳଦିଆ ରଙ୍ଗ ଏମାନଙ୍କୁ ଖୁବ ସୁନ୍ଦର କରିଥାଏ । ଏମାନଙ୍କୁ ସୁରକ୍ଷା ଦେବା ପାଇଁ ସରକରା ପକ୍ଷରୁ ବିଭିନ୍ନ ପ୍ରକାରର ବ୍ୟବସ୍ଥା କରାଯାଇଛି । ୨୦୧୯ରେ ଏସିଆଟିକ୍ ଲାଇନ୍ କନର୍ସଭେସନ ପ୍ରୋଜେକଫ ଅଧିନରେ ଏମାନଙ୍କ ପାଇଁ ଅନେକ କାର୍ଯ୍ୟ କରାଯାଇଛି । ଏହି ପ୍ରୋଜେକଫରେ ସେମାନଙ୍କର ସୁରକ୍ଷା ସହ କିଭଳି ସେମାନେ ସୁସ୍ଥ ରହିବେ ସେଥିପାଇଁ ବିଭିନ୍ନ ପ୍ରକାରର ପନ୍ଥା ଅବଲମ୍ବନ କରାଯାଇଛି । ସେହିଭଳି ସେମାନଙ୍କର ରେଡିଓ କୋଲାରିଂ ସହିତ ମନିଟରିଂ ମଧ୍ୟ କରାଯାଇଥାଏ । ଏମାନଙ୍କର ଭାରତୀୟ ପରମ୍ପରା ଓ ସମ୍ଭିଧାନରେ ମଧ୍ୟ ଗୁରୁତ୍ୱ ରହିଛି ।
ହାତୀ
ଭାରତରେ ଯେ କୌଣସି ଚିଡିଆଖାନାକୁ ଯାଆନ୍ତୁ ସେଠାରେ ହାତୀ ଯେମିତି ହେଲେ ଦେଖିବେ । ଏଭଳି ମଧ୍ୟ କିଛି ସ୍ଥାନ ରହିଛି ଯେଉଁଠାରେ ହାତୀ ଜନବସତି ପାଖକୁ ମଧ୍ୟ ଆସିଥାଆନ୍ତି । ତେବେ ହାତୀ ଭାରତର ଏକ ସ୍ୱତନ୍ତ୍ରପରିଚୟ ପାଲଟିଥାଏ । ଏସୀୟହାତୀ ବିଶେଷଭାବେ ଭାରତରେ ଅଧିକ ମାତ୍ରାରେ ଦେଖିବାକୁ ମିଳିଥାଆନ୍ତି । ଏହା ଭାରତର ଇକୋସିଷ୍ଟମରେ ଖୁବ ଗୁରୁତ୍ୱପୂର୍ଣ୍ଣ ଅଂଶ ଗ୍ରହଣ କରିଥାଏ । ଗୋଟିଏ ସାବାଳକ ହାତୀର ଓଜନ ତିନି ହଜାର କେଜିରୁ ୬ହଜାର କେଜି ଭିତରେ ରହିଥାଏ । ଏମାନେ ସବୁବେଳେ ଦଳଦଳ ହୋଇ ରହିଥାଆନ୍ତି । ଭାରତରେ ଏମାନଙ୍କ ସଂଖ୍ୟା ୨୭ ହଜାରରୁ ୩୦ ହଜାର ଭିତରେ ରହିଛି । ଏସୀୟ ହାତୀମାନଙ୍କ ପାଇଁ ମଧ୍ୟ ସରକାରଙ୍କ ପକ୍ଷରୁ ଖୁବ ଅନେକ ପ୍ରୋଜେକଫ ଲଞ୍ଚ କରାଯାଇଛି । ୧୯୯୨ରେ ଲଞ୍ଚ ହୋଇଥିଲା ପ୍ରୋଜେକଫ ଏଲିଫ୍ୟାଣ୍ଟ, ଯାହାର ଉଦ୍ଦେଶ୍ୟଥିଲା ହାତୀମାନଙ୍କୁ ସୁରକ୍ଷା ଦେବା । ଏହିଭଳି ଭାବେ ଅନେକ ବ୍ୟବସ୍ଥା ହାତୀମାନଙ୍କର ସୁରକ୍ଷା ପାଇଁ କରାଯାଇଛି ଯାହା ସେମାନଙ୍କର ବଂଶ ବୃଦ୍ଧିରେ ସହାୟକ ହୋଇଛି ।
ନୀଳଗିରି ପାହାଡ ଛେଳି
ନୀଳଗିରି ଟାହାର ବା ନୀଳଗିରି ପାହାଡରେ ଏକ ପ୍ରକାର ଛେଳି ଦେଖିବାକୁ ମିଳେ ଯାହା ଖୁବ ସ୍ୱତନ୍ତ୍ର ଓ ବିରଳ । ଏହା ଦକ୍ଷିଣ ଭାରତର ପଶ୍ଚିମ ଘାଟରେ ଦେଖିବାକୁ ମିଳିଥାଆନ୍ତି, ଯାହା ବିଶ୍ୱର ଅନ୍ୟ କୌଣସି ସ୍ଥାନରେ ଦେଖିବାକୁ ମିଳି ନଥାଆନ୍ତି । ଏହା ପଶ୍ଚିମ ଘାଟର ସ୍ୱତନ୍ତ୍ର ଜୈବବିବିଧତାକୁ ପ୍ରତିନିଧିତ୍ୱ କରିଥାଏ । ଏହା ତାମିଲନାଡୁର ଖୁବ ପ୍ରିୟ ଓ ପରିଚିତ ପ୍ରାଣୀ । ଏମାନଙ୍କ ଆକାର ମଧ୍ୟମ ଧରଣର ହୋଇଥାଏ । ସେହିଭଳି ସେମାନଙ୍କର ଓଜନ ୮୦ରୁ ୧୦୦ କେଜି ଭିତରେ ରହିଥାଏ । ତେବେ ଏହା ମାଈ ଓ ଅଣ୍ଡିରା କେସ୍ରେ ଭିନ୍ନ ହୋଇଥାଏ । ଏମାନଙ୍କର ଛୋଟଛୋଟ ବଙ୍କା ସିଙ୍ଗ ମଧ୍ୟ ଥାଏ । ଏମାନେ କେରଳର ଏରଭିକୁଲମ ନ୍ୟାସନାଲ ପାର୍କ, ତାମିଲନାଡୁର ମୁକୁର୍ଥି ନ୍ୟାସନାଲ ପାର୍କରେ ଏହି ପଶୁଙ୍କୁ ଦେଖିପାରିବେ । କେରଳାର ଜଙ୍ଗଲର ଏମାନେ ବହୁଳମାତ୍ରାରେ ବାସ କରନ୍ତି, ସେଠାରେ ସେମାନଙ୍କର ସଂଖ୍ୟା ପାଖାପାଖି ୩ ହଜାରରୁ ଅଧିକ । ଏମାନଙ୍କ ସୁରକ୍ଷା ଓ ବଂଶ ବୃଦ୍ଧି ପାଇଁ ସରକାରଙ୍କ ପକ୍ଷରୁ ଏକଧୀକ ପଦକ୍ଷେପ ଗ୍ରହଣ କରାଯାଇଛି । ସେଥିରେ ସାମିଲ ଅଛି ପ୍ରୋଜେକଫ ନୀଳଗିରି ଟାହାର । ଏହି ପ୍ରକଳ୍ପରେ ସେମାନଙ୍କ ସଂଖ୍ୟା ବୃଦ୍ଧି ଉପରେ ଖୁବ ଗୁରୁତ୍ୱ ଦିଆଯାଇଛି । ଏମାନଙ୍କ ଛବି କେରଳର ରାଜ୍ୟ ସରକାରଙ୍କ ଫରେଷ୍ଟ ଡିପାର୍ଟମେଣ୍ଟର ଲୋଗୋରେ ଦେଖିବାକୁ ମିଳିଥାଏ । ଏହା କେବଳ ଯେ ବିରଳ ତାହା ନୁହେଁ ଏହା ଭାରତର ପାହାଡରେ ରହୁଥିବା ବନ୍ୟପ୍ରାଣୀଙ୍କୁ ପ୍ରତିନିଧିତ୍ୱ କରିଥାଆନ୍ତି ।
ମୟୂର
ଭାରତର ଜାତୀୟ ପକ୍ଷୀ ମୟୂର ଦେଖିବାକୁ ଖୁବ ସୁନ୍ଦର । ଏହାର ନାଁଭଳି ଏହାର ସୌନ୍ଦର୍ଯ୍ୟ ସମସ୍ତଙ୍କ ମନ ମୋହିଥାଏ । ଭାରତରେ ଦେଖିବାକୁ ମିଳୁଥିବା ଏହି ପକ୍ଷୀ ସାରା ବିଶ୍ୱରେ ପରିଚିତ । ଏମାନଙ୍କର ଶରୀରର ସରଞ୍ଚନା ଖୁବ ସୁନ୍ଦର ଭାବେ କରାଯାଇଛି । ପୁରୁଷ ମୟୂରଙ୍କ ପାଖରେ ଥିବା ସେମାନଙ୍କ ପୁଚ୍ଛ ଏମାନଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଥାଏ । ମେଘ ଦେଖିଲେ ଏହି ପୁରୁଷ ମୟୂରମାନେ ଖୁସିରେ ନାଚିବାବେଳେ ପୁଚ୍ଛକୁ ଖୋଲିଥାଆନ୍ତି, ଯାହା ଖୁବ ସୁନ୍ଦର ହୋଇଥାଏ । ଏପରିକି ମୟୂରପୁଚ୍ଛର ବର୍ଣ୍ଣନା ଭାରତର ପୂରାଣରେ ମଧ୍ୟ ରହିଛି । ପୂରାଣରେ ବର୍ଣ୍ଣନା ଅନୁସାରେ କୃଷ୍ଣ ଭଗବାନ ମୁଣ୍ଡରେ ମୟୂରପୁଚ୍ଛ ଧାରଣ କରିଥାଆନ୍ତି । ସେହିଭଳି ଭଗବାନ କାର୍ତ୍ତିକଙ୍କର ବାହାନ ଭାବେ ମଧ୍ୟ ଏହାକୁ ଗଣା ଯାଇଥାଏ । ଏହି ପକ୍ଷୀମାନେ ୪ କେଜିରୁ ୬ କେଜି ଓଜନ ଭିତରେ ରହିଥାଆନ୍ତି । ସେହିଭଳି ଏମାନଙ୍କର ପରିବେଶ ଉପରେ ମଧ୍ୟ ଖୁବ ସକାରାତ୍ମକ ପ୍ରଭାବ ରହିଥାଏ । ଏମାନ ଭାରତର ବିଭିନ୍ନ ଅଞ୍ଚଳର ଜଙ୍ଗଲ, ଚିଡିଆଖାନା ସହିତ ଗାଁ ପାଖରେ ଥିବା ଛୋଟଛୋଟ ଜଙ୍ଗଲରେ ମଧ୍ୟ ବସବାସ କରନ୍ତି ।

ସିଂହ ଲାଞ୍ଜ ବିଶିଷ୍ଟ ମାଙ୍କଡ
ଏହାକୁ ସିହଂ ଲାଞ୍ଜ ବିଶିଷ୍ଟ ମାକାକ ନାମରେ ମଧ୍ୟ ଜାଣିଥାଆନ୍ତି । ଏଗୁଡିକ ଖୁବ ବିରଳ ହୋଇଥାଆନ୍ତି । ଏମାନଙ୍କୁ ବିଶେଷଭାବେ ପଶ୍ଚିମଘାଟରେ ଦେଖିବାକୁ ମିଳିଥାଆନ୍ତି । ଏମାନଙ୍କର ଶରୀରର ସରଞ୍ଚନା ଖୁବ ଭିନ୍ନ ହୋଇଥାଏ, ଯାହା ଏମାନଙ୍କୁ ବିରଳ କରିଥାଏ । ଏମାନଙ୍କର ଲମ୍ବା ଲାଞ୍ଜ ଯାହାର ଲମ୍ବ ୪୦ ରୁ ୬୦ ସିଏମ୍ ହୋଇଥାଏ ସେଗୁଡିକ ଏମାନଙ୍କର ସ୍ୱତନ୍ତ୍ର ପରିଚୟ ହୋଇଥାଏ । ଏହି ମାଙ୍କଡଙ୍କର ଓଜନ ୬କେଜିରୁ ୧୦ କେଜି ଭିତରେ ରହିଥାଏ, ଯାହା ମାଈ ଓ ଅଣ୍ଡିରାଙ୍କ କ୍ଷେତ୍ରରେ ଭିନ୍ନ ହୋଇଥାଏ । ଏମାନେ କେରଳ, କର୍ଣ୍ଣାଟକ ତାମିଲନାଡୁରେ ଦେଖିବାକୁ ମିଳିଥାଆନ୍ତି । ଏମାନେ ବିଶେଷଭାବେ ଗଛ ଉପରେ ବସବାସ କରନ୍ତି ବହୁତ କମ ସମୟ ପାଇଁ ତଳକୁ ଆସିଥାଆନ୍ତି । ତେବେ ଏମାନଙ୍କ ସଂଖ୍ୟା ବର୍ତ୍ତମାନ ଖୁବ କମ ରହିଛି, ଜଙ୍ଗଲରେ ଏମାନଙ୍କ ସଂଖ୍ୟା ୩ ହଜାରରୁ ବି କମ ରହିଛି । ଏମାନଙ୍କ ବଂଶ ବୃଦ୍ଧି ପାଇଁ ମଧ୍ୟ ବିଭିନ୍ନ ପ୍ରକାର ପଦକ୍ଷେପ ନିଆଯାଉଛି ।

Comments are closed.