ପୁରୀ : ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ବଡ଼ ପ୍ରଶ୍ନ । ଶ୍ରୀମନ୍ଦିର ସୁରକ୍ଷାକୁ ବିପଦ ହିଡେନ କ୍ୟାମେରା । ଗତକାଲି ଜଣେ ଗୁଜୁରାଟି ଯୁବକ ଗିରଫ ହୋଇଥିବାବେଳେ ଆଜି ପୁଣି ଜଣେ ବଙ୍ଗୀୟ ଯୁବକ ଚଷମାର ହିଡେନ କ୍ୟାମେରା ଲଗାଇ ମନ୍ଦିର ଭିତରକୁ ପ୍ରବେଶ ଉଦ୍ୟମ କରୁଥିବାବେଳେ ପଶ୍ଚିମ ଦ୍ୱାର ନିକଟରୁ ଧରାପଡ଼ିଛନ୍ତି । ଯୁବକଙ୍କ ନାଁ ପ୍ରିତିଶ ପାଲ । ତାଙ୍କ ଘର ପଶ୍ଚିମବଙ୍ଗର ବର୍ଦ୍ଧମାନ ବୋଲି ସୂଚନା ମିଳିଛି । ପ୍ରିତିଶ ପାଲଙ୍କୁ ଥାନାରେ ଅଟକ ରଖାଯାଇ ମୋବାଇଲକୁ ଯାଞ୍ଚ କରାଯାଉଛି। ଚଷମା ଜବତ କରାଯାଇଛି।
ଏନେଇ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖି କହିଛନ୍ତି ଯେ ଶ୍ରୀମନ୍ଦିରେ ଆହୁରି କଡାକଡି ଚେକିଂ କରାଯିବ । ବାରମ୍ବାର ହିଡେନ୍ କ୍ୟାମେରା ନେଇ ଭକ୍ତମାନେ ପ୍ରବେଶ କରୁଥିବାରୁ ଏହାକୁ ଗମ୍ଭୀରତାର ସହ ବିଚାର କରୁଛୁ ବୋଲି ମନ୍ତ୍ରୀ କହିଛନ୍ତି । ଏହା ଜାଣିବା ବି କଷ୍ଟ, କେବଳ ଫଟୋ ଉଠାଇବା ବେଳେ ଜାଣି ହେବ । ଆହୁରି କଠୋରତାର ସହ କିପରି ଚେକିଂ କରାଯିବ ସେନେଇ ବିଚାର କରାଯାଉଛି । ଏଭଳି ଚଞ୍ଚକତା କରି ଶ୍ରୀମନ୍ଦିର ଫଟୋ ଉଠାଇବାକୁ ଚେଷ୍ଟା କରୁଛନ୍ତି ସେମାନଙ୍କୁ ଉଚିତ ଦଣ୍ଡ ଦିଆଯିବ ।
ସେହିପରି ଗତକାଲି ଜଣେ ଗୁଜୁରାଟି ଯୁବକଙ୍କୁ ଅଟକ ରଖାଯାଇଥିଲା । ତାଙ୍କ ନାଁ ବିପୁଳ ପଟେଲ । ନିଜ ଚଷମାରେ ସ୍ପାଏ କ୍ୟାମେରା ଲଗାଇ ଶ୍ରୀମନ୍ଦିର ଭିତରକୁ ଯାଇଥିଲେ ବିପୁଲ୍। ସେ ଅଗଷ୍ଟ ୩ ତାରିଖରୁ ପୁରୀରେ ଏକ ହୋଟେଲରେ ରହୁଥିବାବେଳେ ହୋଟେଲରେ ଥିବା ମୋବାଇଲ ଫୋନ୍ ଦ୍ଵାରା ହିଡେନ କ୍ୟାମେରା ଅପରେଟ କରିଥିଲେ ।