ନୂଆଦିଲ୍ଲୀ : ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆର ସଭାପତିଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିଲେ ମହିଳା କୁସ୍ତିଯୁଦ୍ଧା ବିନେଶ ଫୋଗାଟ I ସଭାପତି ବ୍ରିଜ ଭୂଷଣ ଶରଣ ସିଂହ ମହିଳା ରେସଲରଙ୍କୁ ଯୌନ ଶୋଷଣ କରୁଥିବା ସେ ଅଭିଯୋଗ କରିଛନ୍ତି। ବିନେଶ କହିଛନ୍ତି କି ଭାରତୀୟ କୁସ୍ତି ମହାସଂଘର ଅଧ୍ୟକ୍ଷ ଅନେକ ମହିଳା କୁସ୍ତି ଖେଳାଳୀଙ୍କ ସହ ଯୌନ ଉତ୍ପୀଡନ କରିଛନ୍ତି । ଏହାସହ ଖେଳାଳୀଙ୍କ ବ୍ୟକ୍ତିଗତ ଜୀବନରେ ହସ୍ତକ୍ଷେପ କରିବା ଓ ସେମାନଙ୍କୁ ମାନସିକ ଯନ୍ତ୍ରଣା ଦେଉଛନ୍ତି ବ୍ରିଜଭୂଷଣ । ଏହାସହ ଅଲମ୍ପିକ ଖେଳକୁ ଯିବା ବେଳେ ସେମାନଙ୍କୁ ଫିଜିଓଥେରାପି ଓ କୋଚ ଯୋଗାଇ ନଦିଆଯିବା ନେଇ କହିବାରୁ ସେମାନଙ୍କୁ ବ୍ରିଜ ଭୂଷଣ ଧମକ ଚମକ ଦେଇଥିବା କଥା ସେ ଅଭିଯୋଗ କରିଛନ୍ତି ।
ଅଭିଯୋଗ ପାଇବା ପରେ ଏହି ଘଟଣାରେ ଏବେ କେନ୍ଦ୍ର ସରକାର ହସ୍ତକ୍ଷେପ କରିଛନ୍ତି I କୁସ୍ତି ଖେଳାଳୀଙ୍କ ଏଭଳି ପ୍ରଦର୍ଶନ ଫଳରେ ଆକ୍ସନ ମୋଡକୁ ଆସିଛି ଖେଳ ମନ୍ତ୍ରଣାଳୟ । ଏନେଇ ମନ୍ତ୍ରଣାଳୟ ତରଫରୁ ଭାରତୀୟ କୁସ୍ତି ମହାସଂଘକୁ ସ୍ପଷ୍ଟିକରଣ ମଗାଯାଇଛି । ଏହି ମାମଲାରେ ୭୨ ଘଣ୍ଟା ମଧ୍ୟରେ ନିଜ ଜବାବ ରଖିବାକୁ ଭାରତୀୟ କୁସ୍ତିସଂଘକୁ କୁହାଯାଇଛି।
ସେପଟେ ଏଭଳି ଅଭିଯୋଗ ଉପରେ ପ୍ରତିକ୍ରିୟା ଦେଇ ବ୍ରିଜ ଭୂଷଣ କହିଛନ୍ତି କି “ମୋ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗ ଭିତ୍ତିହୀନ, ଏନେଇ କେହି ମୋ ସାମ୍ନାକୁ ଆସି ପ୍ରମାଣ ଦିଅନ୍ତୁ । ୧୦ ବର୍ଷ ଧରି ମୋ ବିରୋଧରେ କୌଣସି ଅଭିଯୋଗ ନଥିବା ବେଳେ ଆଜି କାହିଁକି ଅଭିଯୋଗ ଆସିଛି ବୋଲି ସେ ଓଲଟା ପ୍ରଶ୍ନ ପଚାରିଛନ୍ତି” । ଯଦି ଏହି ଅଭିଯୋଗ ସତ ପ୍ରମାଣିତ ହେବ ତେବେ ସେ ଫାଶି ପାଇବାକୁ ପ୍ରସ୍ତୁତ ବୋଲି ମଧ୍ୟ କହିଛନ୍ତି ।
ଅନ୍ୟପଟେ ରେସଲର ଦିବ୍ୟା କାକରନ ଏକ ଟ୍ୱିଟ କରି ବ୍ରିଜଭୂଷଣ ଶରଣ ସିଂଙ୍କ ଉପରେ ଅଣାଯାଇଥିବା ଅଭିଯୋର ସତ୍ୟତା ନଥିବା କଥା କହିଛନ୍ତି । ହେଲେ ଏସିଆନ ଓ କମନୱେଲ୍ଥ ଗେମରେ ମେଡାଲ ଜିତିଥିବା ଓ ଅର୍ଜୁନ ପୁରସ୍କାର ପ୍ରାପ୍ତ ଦିବ୍ୟା କାକରନ କିଛିଦିନ ପୂର୍ବରୁ ସରକାର ଖେଳାଳୀମାନଙ୍କୁ ସୁବିଧା ସୁଯୋଗ ଯୋଗାଇ ଦେଉନଥିବା ଅଭିଯୋଗ ଆଣି ଚର୍ଚ୍ଚାରେ ଥିଲେ I
ଏହି ଅଭିଯୋଗ ସାମ୍ନାକୁ ଆସିବା ପରେ ଭାରତୀୟ କୁସ୍ତି ମହାସଂଘର ଏକାଧିକ ରେସଲର୍ ସଭାପତିଙ୍କ ବିରୋଧରେ ଦିଲ୍ଲୀର ଯନ୍ତରମନ୍ତରରେ ଏକାଠି ହୋଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଡବ୍ଲୁଏଏଫ୍ଆଇ ଅଧ୍ୟକ୍ଷଙ୍କୁ ପଦରୁ ହଟାଇବାକୁ ଦାବି ହୋଇଛି। ଏହି ବିରୋଧ ପ୍ରଦର୍ଶନରେ ରିଓ ଅଲିମ୍ପିକ୍ସରେ ପଦକ ବିଜେତା ରେସଲର ସାକ୍ଷୀ ମଲିକ, ସରିତା ମୋରେଙ୍କ ସମେତ ପ୍ରାୟ ୩୧ ଜଣ କୁସ୍ତଯୋଦ୍ଧା ସାମିଲ ହୋଇଛନ୍ତି।

Comments are closed.