ଭୁବନେଶ୍ୱର : ଡିସେମ୍ବର ଅଧା ହେବାକୁ ବସିଥିବାବେଳେ ରାଜ୍ୟରୁ ଗାୟବ ହୋଇଛି ଶୀତ । ସାଧାରଣତଃ ଡିସେମ୍ବର ମାସ ବେଳକୁ ହାଡ଼ଭଙ୍ଗା ଜାଡରେ ଦେହ ଥରୁଥିବାବେଳେ ଏବର୍ଷ ଦେଖାଦେଇଛି ବ୍ୟତିକ୍ରମ । ବର୍ତ୍ତମାନ ସୁଦ୍ଧା ଶୀତର ନାଁ ଗନ୍ଧ ନଥିବାବେଳେ ୩ ଦିନ ଧରି ସାରା ରାଜ୍ୟରେ ପାଗ କୋହଲା ରହିଛି । ଗତକାଲି କିଛି ଜିଲ୍ଲାରେ ଝିପି ଝିପି ବର୍ଷା ହୋଇଥିବାବେଳେ ଆଜି ସକାଳେ ମଧ୍ୟ ଟ୍ୱିନ ସିଟି ସମେତ କେତେକ ରାଜ୍ୟରେ ହାଲୁକା ବର୍ଷା ହୋଇଛି । ଏନେଇ ଆଜି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୧୧ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲା ଗୁଡିକ ମଧ୍ୟରେ ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ନୟାଗଡ଼, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ବର ଏବଂ ଭଦ୍ରକ ରହିଛି ।
ଅନ୍ୟପଟେ ଆଉ ଦୁଇ ଦିନ ପରେ ପାଗ ବଦଳିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ୩ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ହ୍ରାସ ନେଇ ଆକଳନ କରାୟାଇଛି । ବଙ୍ଗୋପସାଗରରୁ ରାଜ୍ୟକୁ ବହୁଛି ଜଳୀୟବାସ୍ପ ପୂର୍ଣ୍ଣବାୟୁ । ଯାହାର ପ୍ରଭାବରେ ସର୍ବନିମ୍ନ ତାପମାତ୍ରା ସ୍ବାଭାବିକ ଠାରୁ ଯଥେଷ୍ଟ ଅଧିକ ରହୁଛି । କିନ୍ତୁ ଆସନ୍ତା ଶୁକ୍ରବାର ଠାରୁ ରାଜ୍ୟରେ କମିବ ତାପମାତ୍ରା । ଫଳରେ ରାତିରେ ତାପମାତ୍ରା ସ୍ବାଭାବିକ ସ୍ଥିତିକୁ ଫେରିବ ବୋଲି ଆକଳନ କରାଯାଇଛି

Comments are closed.