ଇସଲାମାବାଦ: ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ୍ ଆଜି ଭାରତକୁ ପୁଣିଥରେ ଧମକ ଦେଇ ଉଭୟ ରାଷ୍ଟ୍ର ମଧ୍ୟରେ ଲାଗି ରହିଥିବା ତିକ୍ତତାକୁ ବଢ଼ାଇଛନ୍ତି। ଆସିଫ୍ ‘ଏକ୍ସ’ରେ ଏକ ପୋଷ୍ଟ୍ କରି କହିଛନ୍ତି, ‘ପାକିସ୍ତାନ ଆଲ୍ଲାଙ୍କ ନାମରେ ଗଠନ ହୋଇଥିବା ରାଷ୍ଟ୍ର। ଆମ ରକ୍ଷକମାନେ ଆଲ୍ଲାଙ୍କ ସୈନିକ। ଯୁଦ୍ଧ ହେଲେ ଭାରତ ନିଜ ଯୁଦ୍ଧବିମାନର କୁଢ଼ କୁଢ଼ ଅଳିଆ ତଳେ ଦବିଯିବ। ଆଲ୍ଲାହୁ ଆକବର।’ ଆସିଫ୍ କହିଛନ୍ତି, ନିକଟରେ ଭାରତୀୟ ସେନା ଓ ରାଜନୈତିକ ନେତାମାନେ ପାକିସ୍ତାନ ବିରୋଧରେ ଯେଉଁ ‘ଉତ୍ତେଜନାପୂର୍ଣ୍ଣ’ ବୟାନ ଦେଇଛନ୍ତି, ତାହାର ଜବାବରେ ଏହା ତାଙ୍କର ମତ। ସୂଚନାଯୋଗ୍ୟ, ଗତ ଏପ୍ରିଲରେ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତର ସାମରିକ କାର୍ଯ୍ୟାନୁଷ୍ଠାନ ‘ଅପରେସନ୍ ସିନ୍ଦୂର’ ଆତଙ୍କୀ ଭିତ୍ତିଭୂମିକୁ ଦୋହଲାଇ ଦେଇଛି। ଏପ୍ରିଲ ୨୨ରେ ପହଲଗାମରେ ହୋଇଥିବା ଆକ୍ରମଣରେ ୨୬ ଜଣ ହିନ୍ଦୁ ପର୍ଯ୍ୟଟକଙ୍କୁ ଧର୍ମ ପଚାରି ହତ୍ୟା କରାଯାଇଥିଲା। ପାକିସ୍ତାନ-ସମର୍ଥିତ ଆତଙ୍କବାଦୀମାନଙ୍କ ଏହି ବର୍ବରତାର ଜବାବରେ ମେ ୭ରେ ଅପରେସନ୍ ସିନ୍ଦୂର ଅଧୀନରେ ଲସ୍କର ଓ ଜୈସ୍ର ୯ଟି ଆତଙ୍କୀ ଶିବିର ଉପରେ କ୍ଷେପଣାସ୍ତ୍ର ଆକ୍ରମଣ କରିଥିଲା।
