ନୂଆଦିଲ୍ଲୀ: ଜୁଲାଇ ୧୮: ଗତକାଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ ପଶ୍ଚିମବଙ୍ଗର ରାଜ୍ୟପାଳ ଜଗଦୀପ ଧନଖରଙ୍କ ଇସ୍ତଫା ପତ୍ର ଗ୍ରହଣ କରିବା ପରେ ମଣିପୁରର ରାଜ୍ୟପାଳ ଲା. ଗଣେଶନ୍ଙ୍କୁ ଦିଆଯାଇଛି କାର୍ଯ୍ୟ ସମ୍ପାଦନ ଦାୟିତ୍ୱ । ସ୍ଥାୟୀ ବ୍ୟବସ୍ଥା ହେବା ପର୍ଯ୍ୟନ୍ତ ଲା. ଗଣେଶନ୍ ଉଭୟ ମଣିପୁର ଏବଂ ପଶ୍ଚିମବଙ୍ଗର ରାଜ୍ୟପାଳ ଦାୟିତ୍ୱରେ ରହିବେ । ସୂଚନାଯୋଗ୍ୟ, ଅଗଷ୍ଟ ୬ ତାରିଖରେ ହେବାକୁ ଥିବା ଉପରାଷ୍ଟ୍ରପତି ନିର୍ବାଚନରେ ବିଜେପି ନେତୃତ୍ୱାଧୀନ ଏନଡିଏର ପ୍ରାର୍ଥୀ ଭାବେ ଜଗଦୀପ ଧନଖରଙ୍କୁ ଚୟନ କରାଯାଇଛି । ଗତ ବିଳମ୍ବିତ ରାତ୍ରରେ ରାଷ୍ଟ୍ରପତି ଭବନରୁ ଜାରି କରାଯାଇଥିବା ବୁଲେଟିନରେ ଉଲ୍ଲେଖ ଅଛି: ଭାରତର ରାଷ୍ଟ୍ରପତି ପଶ୍ଚିମବଙ୍ଗର ରାଜ୍ୟପାଳ ଜଗଦୀପ ଧନଖରଙ୍କ ଇସ୍ତଫାପତ୍ର ଗ୍ରହଣ କରିଛନ୍ତି । ଏଥିରେ ଆହୁରି ମଧ୍ୟ ଉଲ୍ଲେଖ ଅଛି: ସ୍ଥାୟୀ ବ୍ୟବସ୍ଥା ହେବା ପର୍ଯ୍ୟନ୍ତ ନିଜ ଦାୟିତ୍ୱ ତୁଲାଇବା ସହିତ ପଶ୍ଚିମବଙ୍ଗର ରାଜ୍ୟାପଳଙ୍କ କାର୍ଯ୍ୟ ନିର୍ବାହ କରିବା ଲାଗି ଭାରତର ରାଷ୍ଟ୍ରପତି ମଣିପୁରର ରାଜ୍ୟପାଳ ଲା. ଗଣେଶନ୍ଙ୍କୁ ଅତିରିକ୍ତ ଦାୟିତ୍ୱ ଦେଇଛନ୍ତି । ଏନଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ ଜଗଦୀପ ଧନଖର ଆଜି ପ୍ରାର୍ଥୀପତ୍ର ଦାଖଲ କରିବେ । ରବିବାର ପୂର୍ବାହ୍ନରେ ଧନଖର ଦିଲ୍ଲୀରେ ବିଜେପିର ଅଧ୍ୟକ୍ଷ ଜେ.ପି. ନzା ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଭେଟିଥିଲେ ।

Comments are closed.