ଭୁବନେଶ୍ଵର : ବଳ ଗୋଟାଉଛି ବାତ୍ୟା ମନ୍ଥା। ଘଣ୍ଟା ପ୍ରତି ୧୨ କିଲୋମିଟର ବେଗରେ ଗତି କରି ସ୍ଥଳଭାଗ ନିକଟତର ହେଉଛି। ମଚ୍ଛଲିପଟନମଠାରୁ ୧୪୦ ଏବଂ କାକିନାଡା ଠାରୁ ୨୪୦ କିମି ଦୂରରେ ରହିଛି। ଗୋପାଳପୁରଠାରୁ ୫୩୦ କିଲୋମିଟର ଦୂରରେ ରହିଛି ମନ୍ଥା। ଆଜି ସନ୍ଧ୍ୟା ୭ ଟାରୁ ରାତି ୯ଟା ମଧ୍ୟରେ କିମ୍ବା ରାତିରେ ସ୍ଥଳଭାଗ ଛୁଇଁବା ନେଇ ସୂଚନା ରହିଛି।
ସମ୍ଭାବ୍ୟ ବାତ୍ୟା ମୁକାବିଲା ଲାଗି ସରକାରଙ୍କ ପକ୍ଷରୁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଥିବା କହିଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ। ସେ କହିଛନ୍ତି,”ବାତ୍ୟା ସମୟରେ ବିଦ୍ୟୁତ୍ ସେବା ବାଧାପ୍ରାପ୍ତ ହୋଇଥାଏ । ଅନେକ ସ୍ଥାନରେ ବିଦ୍ୟୁତ୍ ଖୁଣ୍ଟ ଉପୁଡ଼ି ଯାଇଥାଏ । ଏସବୁକୁ ସଜାଡ଼ିବା ଲାଗି ବାତ୍ୟା ପ୍ରଭାବିତ ସମସ୍ତ ଜିଲ୍ଲାରେ ପର୍ଯ୍ୟାପ୍ତ ଯନ୍ତ୍ରପାତି ମହଜୁଦ୍ ରଖିଛୁ ।”ଯଦି ଅଧିକ ପବନ କିମ୍ବା ବର୍ଷା ଯୋଗୁଁ ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗିଯାଉଛି, ତୁରନ୍ତ ସେ ସବୁକୁ ଲଗାଇବା ପାଇଁ ବ୍ୟବସ୍ଥା ହୋଇଛି। ୯ଟି ଜିଲ୍ଲାରେ ତାର, ଟ୍ରାନ୍ସଫର୍ମର ଓ ବିଦ୍ୟୁତ୍ ଖୁଣ୍ଟ ମହଜୁଦ୍ ରଖାଯାଇଛି। ବାତ୍ୟା ଟଳିବାର ୪୮ ଘଣ୍ଟାରେ ବିଦ୍ୟୁତ୍ ପୁନଃସ୍ଥାପନ କରିବୁ। ଧାନ ଫସଲ ନଷ୍ଟ ହେବାର ଆଶଙ୍କା ରହିଛି। ତେଣୁ ଜିଲ୍ଲାପାଳ ମାନଙ୍କୁ ତୁରନ୍ତ ରିପୋର୍ଟ ଦେବାକୁ କୁହାଯାଇଛି। ଦାନା ସମୟରେ ୭ ଦିନରେ ଟଙ୍କା ଦିଆଯାଇଥିଲା। ଏବେ ମଧ୍ୟ ସେହି ଢଙ୍ଗରେ କ୍ଷତିପୂରଣ ଦିଆଯିବ।
