ବୌଦ୍ଧ : ବୌଦ୍ଧ ଏକ କୃଷି ପ୍ରଧାନ ଜିଲ୍ଲା ହୋଇଥିବା ବେଳେ ଜିଲ୍ଲାର ଚାଷୀ ଧାନଚାଷ ସହିତ ବିଭିନ୍ନ ଫଳ ପନିପରିବା, ଡାଲିଜାତୀୟ ଚାଷ କରିଥାନ୍ତି । ସେଥିମଧ୍ୟରୁ ତରଭୁଜ ଚାଷ ଅନ୍ୟତମ । ଜିଲ୍ଲାରେ ଚଳିତ ବର୍ଷ ଚାରିଶହ ଏକରରୁ ଉର୍ଦ୍ଧ୍ୱ ଜାଗାରେ ତରଭୁଜ ଚାଷ କରାଯାଉଥିବାର ଜଣାପଡିଛି । ହେଲେ ତରଭୁଜ ଚାଷୀ ପ୍ରକୃତ ଲାଭ ପାଇ ପାରୁନଥିବା ବେଳେ ବେପାରୀମାନେ ଚାଷୀଙ୍କଠାରୁ କମ ଦରରେ କିଣି ଅଧିକ ଲାଭବାନ ହେଉଛନ୍ତି ।

ବେପାରୀ ଚାଷୀଙ୍କଠାରୁ ବହୁ କମ ଦରରେ ଗୋଟାରେ କିଣି କିଲୋରେ ତରଭୁଜ ବିକ୍ରି କରି ମାଲେମାଲ୍ ହେଉଛନ୍ତି । ଜିଲ୍ଲାରେ ତରଭୁଜ ଚାଷ ପାଇଁ ପର୍ଯ୍ୟପ୍ତ ସୁବିଧା ଥିଲେ ମଧ୍ୟ ବିକ୍ରି ପାଇଁ ଆବଶ୍ୟକ ବଜାରର ଅଭାବ ଯୋଗୁଁ ଚାଷୀ ଉଚିତ ଦରରେ ବିକ୍ରି କରି ପାରୁନାହିଁ । ଯାହା ଫଳରେ ଆସ୍ତେ ଆସ୍ତେ ତରଭୁଜ ଚାଷୀ ତରଭୁଜ ଚାଷରୁ ବିମୁଖ ହେବାରେ ଲାଗିଲେଣି । ଚାଷୀ ତରଭୁଜ ଚାଷ କରି ଭଲ ଦି’ ପଇସା ରୋଜଗାର କରିବା ଆଶା କରିଥିବା ବେଳେ ପର୍ଯ୍ୟପ୍ତ ବଜାର ସୁବିଧାର ଅଭାବ ଯୋଗୁଁ ଚାଷୀ ବାଧ୍ୟ ହୋଇ କମ ଦରରେ ବେପାରୀଙ୍କୁ ବିକ୍ରି କରିବାକୁ ବାଧ୍ୟ ହୋଇଥାଏ । ଏପରିକି ଅନେକ ଚାଷୀ ତରଭୁଜ ଚାଷ ପାଇଁ ଋଣ ମଧ୍ୟ କରି ଚାଷ କରିଥାନ୍ତିି ।

ଯାହାକି ସେମାନଙ୍କ ପାଇଁ ମୁଣ୍ଡ ବିନ୍ଧାର କରଣ ହୋଇଛି । ଜିଲ୍ଲାରେ ମହାନଦୀ, ବାଘନଦୀ, ସାଲୁଙ୍କି, ତେଲନଦୀ ଆଦି ବୋହି ଯାଇଥିବା ବେଳେ ଏହି ନଦୀ କୂଳରେ ଚାଷୀମାନେ ଆଟ ଜମିଗୁଡିକରେ ତରଭୁଜ ଚାଷ କରୁଛନ୍ତିି । ଜଳସେଚନର ପର୍ଯ୍ୟାପ୍ତ ସୁବିଧା ନ ଥିବା ଯୋଗୁଁ ଚାଷୀ କୂଅ ଓ ମୋଟର ସାହାର୍ଯ୍ୟରେ ପାଣି ଉଠାଇ ଚାଷ କରିଥାଏ । ଦିନ ଥିଲା ଜିଲ୍ଲା ହରଭଙ୍ଗା ବ୍ଲକର କୃଷ୍ଣମୋହନପୁର ଠାରୁ ଆରମ୍ଭ କରି ହରଭଙ୍ଗା ପର୍ଯ୍ୟନ୍ତ ତରଭୁଜ ଚାଷ କରାଯାଉଥିଲା । ଜିଲ୍ଲାରେ ଏତେ ପରିମାଣରେ ଚାଷ ହେଉଥିଲା ଯେ ଜିଲ୍ଲାର ଚାହିଦା ମେଣ୍ଟାଇ ଚାଷୀ ତରଭୁଜକୁ ଜିଲ୍ଲା ବାହାରକୁ ପଠାଇ ଭଲ ଦି ପଇସା ରୋଜଗାର କରୁଥିଲା ।

ହେଲେ ଏବେ ଜିଲ୍ଲା ବାହାରୁ ଜିଲ୍ଲା ତରଭୁଜ ଆସୁଛି । ଉଦ୍ୟାନ ବିଭାଗ ପକ୍ଷରୁ ମିଳିଥିବା ସୁଚନା ଅନୁଯାଇ, ବୌଦ୍ଧ ଜିଲ୍ଲାରେ ସର୍ବାଧିକ ତରଭୁଜ ଚାଷ ହରଭଙ୍ଗା ବ୍ଲକରେ କରାଯାଇଥାଏ । ହରଭଙ୍ଗା ବ୍ଲକରେ ଦୁଇ ଶହରୁ ଅଧିକ ଜାଗାରେ ତରଭୁଜ ଚାଷ କରାଯାଉଥିବା ବେଳେ ବୌଦ୍ଧ ବ୍ଲକରେ ଶହେରୁ ଉର୍ଦ୍ଧ୍ୱ ଓ କଣ୍ଟାମାଳ ବ୍ଲକରେ ଶହେରୁ ଉର୍ଦ୍ଧ୍ୱ ଜମିରେ ତରଭୁଜ ଚାଷ କରାଯାଉଛି । ଏକରକୁ ପ୍ରାୟ ୨୫ ହଜାର ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଏକ ଏକରରେ ପ୍ରାୟ ୫୦ କ ୍ୱିଣ୍ଟାଲ ତରଭୁଜ ଅମଳ ହେଉଥିବାର ଜଣାପଡିଛି । ବେପାରୀ ଚାଷୀଙ୍କ ଠାରୁ ଗୋଟାଏ ତରଭୁଜକୁ ୫ରୁ୧୦ ଟଙ୍କାରେ କିଣି ବଜାରରେ କିଲୋ ୨୦ରୁ ୨୫ ଟଙ୍କା ଦରରେ ବିକ୍ରି କରୁଛନ୍ତିି ।

ଗୋଟିଏ ତରଭୁଜ ପ୍ରାୟ ୫ କିଲୋରୁ ଉର୍ଦ୍ଧ୍ୱ ହୋଇଥାଏ । ଜିଲ୍ଲାରେ ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଏପରି ସ୍ଥଳେ ଥଣ୍ଡା ପାନୀୟ ସହିତ ତରଭୁଜର ଚାହିଦା ଅଧିକ ରହିଛି । ଦୋକାନ ଗୁଡିକରେ ତରଭୁଜ ପାଇଁ ଲମ୍ବା ଧାଡି ମଧ୍ୟ ଦେଖିବାକୁ ମିଳୁଛି । ସେହିପରି ଜିଲ୍ଲାର ପ୍ରତ୍ୟକ ଗାଁ ଗୁଡିକରେ ଦଣ୍ଡଯାତ୍ରା ଚାଲୁ ରହିଛି । ଦଣ୍ଡୁଆମାନଙ୍କ ଠାରୁ ଆରମ୍ଭ କରି ଭକ୍ତ ମାନେ ସବୁଠି ତରଭୁଜ ଆବଶ୍ୟକତା ଦେଖାଦେଉଛି । ଏପରିସ୍ଥଳେ ଅଧିକ ଦରରେ ବେପାରୀ ଗ୍ରାହକମାନଙ୍କୁ ବିକ୍ରି କରୁଛି । କିନ୍ତୁ ଚାଷୀ ଖରାରେ ଖଟି ଖଟି ଚାଷ କରି କ୍ଷତି ସହୁଛି । ଯଦି ଜିଲ୍ଲାର ଚାଷୀଙ୍କ ପାଇଁ ପ୍ରଶାସନ ପକ୍ଷରୁ ପର୍ଯ୍ୟାପ୍ତ ସୁବିଧା କରାଇଦିଆଯାନ୍ତା ତାହେଲେ ଚାଷୀ ଉଚିତ ଦରରେ ତରଭୁଜ ବିକ୍ରି କରିପାରନ୍ତେ ।

Comments are closed.