ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍‌ସ: ୨ କୋଟି ୭୦ ଲକ୍ଷର ଆୟବର୍ହିଭୂତ ସମ୍ପତ୍ତି ଠାବ

ଭୁବନେଶ୍ୱର: ନଭେମ୍ବର ୧୯: ଆୟବର୍ହିଭୂତ ସମ୍ପତ୍ତି ଅଭିଯୋଗରେ ଭିଜିଲାନ୍‌ସ ନୟାଗଡ଼ ଜିଲ୍ଲାର ରଣପୁର ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଋଷିନାଥ ବରାଳଙ୍କ ଘର ଚଢ଼ାଛ କରିଛି । ଘର ସମେତ ଏକାସମୟରେ ଭିଜିଲାନ୍‌ସ ଦଳ ଦଳ ହୋଇ ୪ଟି ସ୍ଥାନରେ ଚଢ଼ାଉ କରିଛି ।
ଚଢ଼ାଉ ସମୟରେ ଋଷିନାଥଙ୍କର ସମ୍ପତ୍ତି ଦେଖି ଭିଜିଲାନ୍‌ସ ଅଧିକାରୀ ଆଶ୍ଚର୍ଯ୍ୟ ହେବା ସହିତ ତାଙ୍କୁ ଗିରଫ କରି ଆଜି କୋର୍ଟ ଚାଲଣ କରିଛନ୍ତି । ଏହାସହିତ ଭିଜିଲାନ୍‌ସ ଆୟବର୍ହିଭୂତ ସମ୍ପତ୍ତିର ତାଲିକା ଦେଇଛି । ସମ୍ପତ୍ତିର ଆନୁମାନିକ ମୂଲ୍ୟ ୨ କୋଟି ୭୦ ଲକ୍ଷ ଟଙ୍କାରୁ ଅଧିକ ବୋଲି ଜଣାଯାଇଛି । ଏହାବ୍ୟତୀତ ଘର ଖୋଜାଖୋଜି ସମୟରେ ୩୫ ହଜାର ମୂଲ୍ୟର ବିମୁଦ୍ରୀକରଣ ମୁଦ୍ରା ୫୦୦ ଟଙ୍କିଆ ନୋଟ୍‌ ଜବତ କରାଯାଇଛି । ନଗଦ ୧ ଲକ୍ଷ ୩୦ ହଜାର ଟଙ୍କା, ଗୋଟିଏ ୪ ଚକିଆ ଗାଡ଼ି ଓ ଗୋଟିଏ ଦୁଇ ଚକିଆ ଗାଡ଼ି ଜବତ ହୋଇଥିଲା । ଏନେଇ ଅଧିକ ତଦନ୍ତ ଜାରି ରହିଛି ।
ସୂଚନା ଅନୁସାରେ , ନୟାଗଡ଼, ଖୋର୍ଦ୍ଧା ଏବଂ ଢେଙ୍କାନାଳ ଜିଲ୍ଲାର ୪ ଟି ସ୍ଥାନରେ ଗତକାଲି ୪ଟି ଟିମ୍‌ ଏକକାଳୀନ ଭିଜିଲାନ୍‌ସ କରାଯାଇଥିଲା । ୪ ଜଣ ଡିଏସପି, ୮ଜଣ ଇନ୍‌ସପେକ୍‌ଟର ଏବଂ ଅନ୍ୟାନ୍ୟ କର୍ମଚାରୀଙ୍କ ନେତୃତ୍ୱରେ ଯାଞ୍ଚ ଚାଲିଥିଲା ।

Comments are closed.