ବାଜୁଛି ଉପରାଷ୍ଟ୍ରପତି ନିର୍ବାଚନ ବିଗୁଲ

ନୂଆଦିଲ୍ଲୀ: ଜୁଲାଇ ୦: ରାଷ୍ଟ୍ରପତି ନିର୍ବାଚନ ଜୁଲାଇ ୧୮ରେ ହେବାକୁ ଯାଉଛି । ଏହା ମଧ୍ୟରେ ଉପ ରାଷ୍ଟ୍ରପତି ନିର୍ବାଚନ ପାଇଁ ବିଗୁଲ୍‌ ବାଜି ସାରିଛି । ଶାସକ ଏନଡିଏ ଏବଂ ବିରୋଧୀ ପକ୍ଷରୁ କିଏ ହେବେ ପ୍ରାର୍ଥୀ ତାକୁ ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇ ଯାଇଛି ।ବିଜେପି ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କୁ ଉପ ରାଷ୍ଟ୍ରପତି ନିର୍ବାଚନ ପାଇଁ ଏନଡିଏ ପ୍ରାର୍ଥୀ କରିପାରେ । କ୍ୟାପଟେନ୍‌ ବିଧାନସଭା ନିର୍ବାଚନ ଠିକ୍‌ ପୂର୍ବରୁ କଂଗ୍ରେସ ପାର୍ଟି ଛାଡି ଥିଲେ । ସେ ନିଜର ପାର୍ଟି ପଞ୍ଜାବ ଲୋକ କଂଗ୍ରେସ ଗଠନ କରିଥିଲେ । ତେବେ ତାଙ୍କ ଦଳର ବିଜେପିରେ ବିଲୟ ଘଟିପାରେ ବୋଲି କୁହାଯାଉଛି । କ୍ୟାପଟେନ୍‌ ଅମରିନ୍ଦର ସିଂହ ବିଜେପି ଏବଂ ସୁଖଦେବ ସିଂହ ଢିଣ୍ଡସାଙ୍କ ନେତୃତ୍ୱାଧୀନ ଶିରୋମଣି ଅକାଳି ଦଳ ସହିତ ମେଣ୍ଟ କରି ୨୦୨୨ର ପଞ୍ଜାବ ବିଧାନସଭା ନିର୍ବାଚନ ଲଢିଥିଲେ । ହେଲେ ତାଙ୍କୁ ପରାଜୟର ସାମ୍ନା କରିବାକୁ ପଡିଥିଲା । ଆମ୍‌ ଆଦମୀ ପାର୍ଟି ପ୍ରଚଣ୍ଡ ବହୁମତ ସହ ସରକାର ଗଢିଥିଲା । ଉପ ରାଷ୍ଟ୍ରପତି ପ୍ରାର୍ଥୀ ପାଇଁ ଏବେ ଅନେକ ନାମ ଉପରେ ଚର୍ଚ୍ଚା ଚାଲିଛି । ଏଥିରେ ମଧ୍ୟ ପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଏବଂ ସଂଖ୍ୟାଲଘୁ ମନ୍ତ୍ରୀ ମୁଖତାର ଅବାସ ନକଭିଙ୍କ ନାମ ବି ସାମିଲ୍‌ । ଶୀଘ୍ର ଜଣଙ୍କ ନାମ ଉପରେ ବିଜେପିର ଶୀର୍ଷ ନେତୃତ୍ୱ ଏବଂ ସଂସଦୀୟ ବୋର୍ଡ ମୋହର ମାରି ମାରନ୍ତି । ବିଜେପି ସୂତ୍ର ଅନୁଯାୟୀ, ରାଷ୍ଟ୍ରପତି ପ୍ରାର୍ଥୀ ପରି ଏ ନାମ ମଧ୍ୟ ଆଶ୍ଚର୍ଯ୍ୟ ଚକିତ କରିପାରେ । ଅମରିନ୍ଦର ସିଂହ ବର୍ତ୍ତମାନ ଲଣ୍ଡନରେ ଅଛନ୍ତି । ସେ ନିଜ ମେରୁଦଣ୍ଡର ସର୍ଜରୀ ପରେ ସୁସ୍ଥ ଲାଭ କରୁଛନ୍ତି । ଉପ ରାଷ୍ଟ୍ରପତି ପଦ ପାଇଁ ଅଗଷ୍ଟ ୬ରେ ନିର୍ବାଚନ ହେବାକୁ ଯାଉଛି । ବର୍ତ୍ତମାନ ଉପ ରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କ କାର୍ଯ୍ୟକାଳ ଅଗଷ୍ଟ ୧୦ରେ ସମାପ୍ତ ହେଉଛି । ଏହି ନିର୍ବାଚନରେ ଲୋକସଭା ଏବଂ ରାଜ୍ୟସଭାର ସଦସ୍ୟ ଭୋଟ୍‌ ଦେଇଥାନ୍ତି ।

Govt

Comments are closed.