ନୂଆଦିଲ୍ଲୀ: ଦିଲ୍ଲୀର ପ୍ରସିଦ୍ଧ ଲାଲକିଲ୍ଲା ପରିସରରୁ ରତ୍ନ ଖଚିତ କଳସ ଚୋରି ଘଟଣା । ଗିରଫ ହେଲା ଅଭିଯୁକ୍ତ । ଦିଲ୍ଲୀ କ୍ରାଇମବ୍ରାଞ୍ଚ ଉତ୍ତର ପ୍ରଦେଶର ହାପୁରରୁ ଭୂଷଣ ବର୍ମା ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ଏହି କଳସଟି ସୁନା ଏବଂ ବହୁ ମୂଲ୍ୟବାନ ହୀରା ମୋତି ମାଣିକ୍ୟରେ ନିର୍ମିତ ହୋଇଥିଲା ।
ସୂଚନା ଅନୁଯାୟୀ, ସେପ୍ଟେମ୍ବର ୩ରେ ଲାଲକିଲ୍ଲା ସମ୍ମୁଖ ପାର୍କରେ ଜୈନ ଧର୍ମାବଲମ୍ବୀ ମାନଙ୍କର ଏକ ପ୍ରାର୍ଥନା ସଭା ଚାଲୁଥିଲା । ଏହି ପ୍ରାର୍ଥନା ସଭାରେ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ। ଏହି ସମୟରେ କେହି ଜଣେ ଦୁର୍ବୃତ୍ତ ସୁବର୍ଣ୍ଣ କଳସକୁ ଚୋରି କରି ନେଇଥିଲା । ଉକ୍ତ କଳସରେ ୭୬୦ ଗ୍ରାମର ସୁନା ଓ ୧୫୦ ଗ୍ରାମର ହୀରା, ମାଣିକ୍ୟ, ଲାଗିଥିଲା । ଯାହାର ଆନୁମାନିକ ମୂଲୟ ପ୍ରାୟ ୧ କୋଟି ଟଙ୍କା ହେବ ।
ଦିଲ୍ଲୀ ପୁଲିସର କହିବାନୁସାରେ ଲାଲକିଲ୍ଲା ଗେଟ୍ ନମ୍ବର ୧୫ ନିକଟସ୍ଥ ପାର୍କରେ କାର୍ଯ୍ୟକ୍ରମ ଚାଲିଥିଲା । ଏହି ସମୟରେ କଳସ ଚୋରି ହୋଇଛି । ଲାଲ୍ କିଲ୍ଲା ଭିତରୁ କୌଣସି ଚୋରି ହୋଇନି ବରଂ ପାର୍କରୁ ଚୋରି ହୋଇଛି ବୋଲି ପୁଲିସ ସୂଚନା ଦେଇଛି । ସନ୍ଦିଗ୍ଧର ଗତିବିଧି ସିସିଟିଭି ଫୁଟେଜରେ କଏଦ ହୋଇଛି । ସିସିଟିଭି ଚିତ୍ର ଅନୁସାରେ ତଦନ୍ତ କରି ଦିଲ୍ଲୀ ପୋଲିସର କ୍ରାଇମବ୍ରାଞ୍ଚ ଉତ୍ତରପ୍ରଦେଶରୁ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ।
