ପାଣିପାଗ ପୂର୍ବାନୁମାନର ନିଆରା ପରମ୍ପରା: ପଞ୍ଚୁ ଖେଳ ମଧ୍ୟମ ବର୍ଷା ସୂଚନା

ଲଇକେରା: ବିଜ୍ଞାନ ଯୁଗରେ ବି ଗ୍ରାମାଞ୍ଚଳରେ ବଞ୍ଚି ରହିଛି ପୁରାତନ ପରମ୍ପରା । ପବିତ୍ର ଅକ୍ଷୟ ତୃତୀୟା ତିଥିରେ ଆଗାମୀ ଖରିଫ ଋତୁରେ ଚାଷର ସ୍ଥିତି ଓ ପାଣିପାଗ ବିଷୟରେ ଜାଣିବାର ଏକ ନିଆରା ପରମ୍ପରା ରହିଛି ଝାରସୁଗୁଡ଼ା ଜିଲ୍ଲା ଲଇକେରାରେ । ୧୮୯୦ରୁ ପାଣିପାଗ ପୂର୍ବାନୁମାନ କରିବା ପାଇଁ ଧନୁର ପଞ୍ଚୁ (ବାଉଁଶ ପାତିଆ, ଯାହା ସାହାଯ୍ୟରେ ଶର ନିକ୍ଷେପ କରାଯାଏ) ପୂଜା କରାଯାଉଛି । ବହୁ ବର୍ଷ ପୂର୍ବରୁ ପୁନମ ଚନ୍ଦ୍ର ଅଗ୍ରୱାଲ ସମ୍ବଲପୁରରୁ ସାମଗ୍ରୀ ଆଣି ଲଇକେରା ଅଞ୍ଚଳରେ ବିକ୍ରୟ କରୁଥିଲେ । ଏକଦା ଦୁଇ ସହଯୋଗୀଙ୍କ ସହ ଜଙ୍ଗଲ ମଧ୍ୟ ଦେଇ ଯିବାବେଳେ ଏକ ବର ଗଛ ମୂଳରେ ଆଶ୍ରୟ ନେଇଥିଲେ । ସେ ସମୟରେ ହଠାତ ଜଣେ ସନ୍ନ୍ୟାସୀ ଆର୍ବିଭାବ ହୋଇଥିଲେ । ବ୍ୟବସାୟୀ ହୁକା ପିଉଥିବାରୁ ସନ୍ନ୍ୟରସୀ ତାଙ୍କୁ ହୁକା ମାଗିଥିଲେ । ପରେ ଜଙ୍ଗଲ ଭିତରକୁ ଡାକି ପୁନମଙ୍କୁ କିଛି ମାଗିବାକୁ କହିଥିଲେ । ମାତ୍ର ପୁନମ ଭୟରେ କିଛି ଦରକାର ନାହିଁ ବୋଲି କହିଥିଲେ । ହେଲେ ସନ୍ନ୍ୟାସୀ ତାଙ୍କୁ ଏକ ଗଛର ଚେର ଦେଖାଇ କହିଲେ ଯେ ସାପ କି ବିଛା କାମୁଡ଼ିଲେ ଏହାକୁ ବାଟି ପିଇଲେ ଆରୋଗ୍ୟ ହେବ । ମହିଳା ପ୍ରସବ ବେଦନା ପାଇଁ ମଧ୍ୟ ଏହି ଚେର କାମ ଦେବ ।

ସେହିପରି ଫସଲ ଓ ପାଣିପାଗର ପୂର୍ବାନୁମାନ ପାଇଁ ଏକ ଶିକ୍ଷା ଦେଇଥିଲେ । ୨ଟି ପଞ୍ଚୁକୁ ୨ ଜଣ ଲୋକ ସ୍ନାନ କରି ଓଦା ଲୁଗା ପିନ୍ଧି ୨ ପଟୁ ନାଭିରେ ଭିଡି ଧରିବା ପରେ ଉକ୍ତ ମନ୍ତ୍ର ଉଚ୍ଚାରଣ କରିବେ । ପୂର୍ବରୁ ଗୋଟିଏ ପଞ୍ଚୁ ଲାଲ ଓ ଅନ୍ୟଟିରେ କଳା ରଙ୍ଗ ବୋଳା ଯାଇଥାଏ । ଲାଲ ରଙ୍ଗର ପଞ୍ଚୁ ଧର୍ମ ଓ କଳା ରଙ୍ଗର ପଞ୍ଚୁ କାଳର ସୂଚକ । ଲାଲ ରଙ୍ଗର ପଞ୍ଚୁ ଉପରକୁ ଉଠିଲେ ଭଲ ବର୍ଷା ସହ ଭଲ ଫସଲ ଉତ୍ପାଦନର ସୂଚନା ଥାଏ । କଳା ରଙ୍ଗର ପଞ୍ଚୁ ଉପରକୁ ଉଠିଲେ ବର୍ଷଭାବ କିମ୍ଭା ଫସଲ ହାନି ହେବା ଜଣାଯାଏ । ସେହିପରି ଉଭୟ ପଞ୍ଚୁ ଉପରକୁ ଉଠିଲେ ବର୍ଷା ଓ ଫସଲ ଅମଳ ମିଶ୍ରିତ ଫଳ ହେବାର ଜଣାଯାଏ ।

ସେହିଦିନଠାରୁ ଅକ୍ଷୟ ତୃତୀୟା ତିଥିରେ ପ୍ରତିବର୍ଷ ଉକ୍ତ ପଞ୍ଚୁ ପୂଜା କରିଆସୁଛନ୍ତି ମହେନ୍ଦ୍ର ଅଗ୍ରୱାଲ । ଏବେ ତାଙ୍କ ପୁଅ ରାମେଶ୍ୱର ଅଗ୍ରୱାଲ ପୂଜାକାର୍ଯ୍ୟ ସମ୍ପାଦନ କରୁଛନ୍ତି । ମଙ୍ଗଳବାର ପୂଜାରେ ପ୍ରଥମେ ଲାଲ ପଞ୍ଚୁ ଉପରକୁ ଉଠି ବହୁ ସମୟ ରହିଥିଲା । କଳା ପଞ୍ଚୁ ନିମ୍ନଗାମୀ ଥିଲା । ପରେ ପୁନର୍ବାର କଳା ପଞ୍ଚୁ ଉପରକୁ ଉଠିଥିଲା । ଏଥିରୁ ଚଳିତବର୍ଷ ପ୍ରଥମରୁ ଭଲ ବର୍ଷା ହୋଇ ମଧ୍ୟ ଭାଗରେ ବର୍ଷାଭାବ ଓ ପରେ ପୁନର୍ବାର ଭଲ ବର୍ଷା ହେବାର ସୂଚନା ମିଳିଛି । ଏଥର ପଞ୍ଚୁକୁ ନାଭିରେ ଧରିଥିଲେ କୃଷ୍ଣଚନ୍ଦ୍ର ମିଶ୍ର ଓ ମନମୌଜି ସାହ । ପୂଜାରେ ଶତାଧିକ ଭକ୍ତ ଯୋଗ ଦେଇଥିଲେ ।

Govt

Comments are closed.