ନୂଆଦିଲ୍ଲୀ: ଅପ୍ରେଲ ୦୭: ଯୁକ୍ରେନରେ ଫେରନ୍ତା ମେଡିକାଲ ଛାତ୍ରଛାତ୍ରୀଙ୍କ ପାଇଁ ଆଶ୍ୱସ୍ତି । ମେଡିକାଲ କୋର୍ସ ପାଇଁ ନିୟମରେ କୋହଳ କରିବାକୁ ନିଷ୍ପତ୍ତି ନେଇଛନ୍ତି ୟୁକ୍ରେନ ସରକାର ।ଏ ନେଇ ସୂଚନା ଦେଇଛନ୍ତି କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର । ସେ କହିଛନ୍ତି, ୟୁକ୍ରେନ୍ ସରକାର ତୃତୀୟ ବର୍ଷର ମେଡିକାଲ ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ପରୀକ୍ଷା କ୍ରୋକ୍-ଓ୍ୱାନକୁ ସ୍ଥଗିତ ରଖିଛନ୍ତି ।ଚତୁର୍ଥ ବର୍ଷକୁ ଉନ୍ନୀତ ହେବା ଲାଗି ଏହି ପରୀକ୍ଷା ଦେବାକୁ ପଡିଥାଏ । ତେବେ ପାଠପଢାର ଆବଶ୍ୟକତାକୁ ପୂରଣ କରିବା ଆଧାରରେ ସେମାନଙ୍କୁ ଆସନ୍ତା ଶିକ୍ଷାବର୍ଷକୁ ଉନ୍ନୀତ କରାଯାଇଛି । ସେହିପରି ଷଷ୍ଠ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ଥିବା କ୍ରୋକ୍-ଟୁ ପରୀକ୍ଷା ହୋଇଥାଏ । ତେବେ ଏକାଡେମିକ୍ ଆସେସମେଣ୍ଟ ଅନୁସାରେ ଏହି ବର୍ଷର ଛାତ୍ରଛାତ୍ରୀମାନଙ୍କୁ ବିନା ପରୀକ୍ଷାରେ ମେଡିକାଲ ଡିଗ୍ରୀ ମିଳିବ । ଜୟଶଙ୍କର ଆହୁରି କହିଛନ୍ତି, ଭାରତୀୟ ଛାତ୍ରଛାତ୍ରୀମାନଙ୍କ ପାଠପଢା ଜାରି ରଖିବା ନେଇ କେନ୍ଦ୍ର ସରକାର ୟୁକ୍ରେନର ପଡ଼ୋଶୀ ରାଷ୍ଟ୍ର ହଙ୍ଗେରୀ, ରୋମାନିଆ, କାଜଖସ୍ଥାନ ଏବଂ ପୋଲାଣ୍ଡ ସରକାରଙ୍କ ସହ ଆଲୋଚନା କରୁଛନ୍ତି । ଏହି ଦେଶଗୁଡିକର ପାଠ ପଢ଼ାର ଢାଞ୍ଚା ପ୍ରାୟତଃ ୟୁକ୍ରେନ୍ ଭଳି । ତେଣୁ ଭାରତୀୟ ଛାତ୍ରଛାତ୍ରୀମାନେ ସେମାନଙ୍କ ଶିକ୍ଷା ଯେପରି ସମାପ୍ତ କରିବେ ସେନେଇ ସେଠାକାର ସରକାରଙ୍କ ସହ କେନ୍ଦ୍ର ସରକାର କଥାବାର୍ତ୍ତା କରୁଛନ୍ତି ।ରୁଷ-ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗରେ ଭାରତ ଆଭିମୁଖ୍ୟ କଣ ରହିଛି ବେଲି ଏକ ପ୍ରଶ୍ନର ଉତ୍ତରରେ ଏହି ବିବୃତି ରଖିଛନ୍ତି କେନ୍ଦ୍ରମନ୍ତ୍ରୀ । ରକ୍ତପାତ ଓ ନିରୀହ ଜୀବନ ନେଲେ କୌଣସି ବିବାଦର ସମାଧାନ ହୋଇପାରିବନି ବୋଲି କହିଛନ୍ତି ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର । ଆକ୍ରମଣକୁ ବିରୋଧ କରିବାରେ ଭାରତ ସବୁଠାରୁ ପ୍ରଥମ ବୋଲି ସେ କହିଛନ୍ତି ।

Comments are closed.