ରାଜସ୍ଥାନରେ ୧୪୪ ଧାରା ଜାରି

ରାଜସ୍ଥାନ: ଜୁନ ୨୯: ରାଜସ୍ଥାନରେ ଲାଗୁ ହେଲା ୧୪୪ ଧାରା । ରାଜସ୍ଥାନ ଉଦୟପୁରରେ ଜଘନ୍ୟ ହତ୍ୟାକାଣ୍ଡ ପରେ ବିଭିନ୍ନ ସ୍ଥାନରେ ହିଂସାକାଣ୍ଡକୁ ଦୃଷ୍ଟିରେ ରଖି ରାଜ୍ୟରେ ୧୪୪ ଧାରା ଜାରି କରାଯାଇଛି । ଆସନ୍ତା ଏକ ମାସ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ । ସେଠାରେ ଇଣ୍ଟରନେଟ୍‌ ସେବା ବନ୍ଦ ରହିଥିବାବେଳେ ୬୦୦ ପୋଲିସ୍‌ କର୍ମୀଙ୍କୁ ମୁତୟନ କରାଯାଇଛି । ଘଟଣାର ତଦନ୍ତ ପାଇଁ ଟିମ୍‌ ଗଠନ କରାଯାଇଛି । ଟିମ୍‌ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍‌ ଆରମ୍ଭ କରିଛି । ଶାନ୍ତି ବଜାୟ ରଖିବାକୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଲୋକଙ୍କୁ ଅପିଲ୍‌ କରିଛନ୍ତି । ଅନ୍ୟପକ୍ଷେ, ମାମଲାରେ ୨ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ସୂଚନା ଅନୁସାରେ ନିଲମ୍ବିତ ହୋଇଥିବା ବିଜେପି ପ୍ରବକ୍ତା ନୁପୂର ଶର୍ମାଙ୍କ ସମର୍ଥନରେ ସୋସିଆଲ୍‌ ମିଡିଆରେ ପୋଷ୍ଟ କରିଥିବା ଜଣେ ଟେଲରକୁ ହତ୍ୟା କରାଯାଇଛି । ହତ୍ୟା ପରେ ଏହି ଭିଡିଓକୁ ୨ ଜଣ ଦୁର୍ବୃତ୍ତ ସୋସିଆଲ୍‌ ମିଡିଆରେ ପୋଷ୍ଟ କରିଥିଲେ । ଟେଲର୍‌ ଜଣକ ଲୁଗା ସିଲେଇ ପାଇଁ ମାପ ନେଉଥିବା ବେଳେ ହତ୍ୟାକାରୀ ଏକ ଧାରୁଆ ଅସ୍ତ୍ରରେ ତାଙ୍କୁ ଆକ୍ରମଣ କରୁଥିବା ଦେଖିବାକୁ ମିଳିଛି । ଆଉ ଏକ ଭିଡିଓରେ ୨ ଜଣ ଦୁର୍ବୃତ୍ତ ମାରଣାସ୍ତ୍ର ଦେଖାଇବା ସହିତ ନୁପୂର ଶର୍ମା ସମ୍ପର୍କିତ ସୋସିଆଲ୍‌ ମିଡିଆ ପୋଷ୍ଟ ପାଇଁ ଏହି ହତ୍ୟାକାଣ୍ଡ ସେମାନେ ଘଟାଇଥିବା ସ୍ୱୀକାର କରିଛନ୍ତି । ଏଥିସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ସେମାନେ ଧମକ ଦେଉଥିବା ଭିଡିଓରେ ଦେଖିବାକୁ ମିଳିଛି । ଏହି ଘଟଣା ପରେ ଉଦୟପୁରରେ ଉତ୍ତେଜନା ପ୍ରକାଶ ପାଇଥିଲା । ଦୋକାନ ବଜାର ବନ୍ଦ ରହିବା ସହ ଲୋକେ ରାଜରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

Govt

Comments are closed.