ଉତ୍ତରପ୍ରଦେଶ : ପୁଣି ଚର୍ଚାରେ ଲକ୍ଷ୍ମୀପୁର ଖେରି I ଗଛରୁ ଝୁଲନ୍ତା ଅବସ୍ଥାରେ ମିଳିଲା ଦୁଇ ନାବାଳିକା ଭଉଣୀଙ୍କ ମୃତଦେହ । ଏହାକୁ ନେଇ ସ୍ଥାନୀୟ ଅଂଚଳରେ ତୀବ୍ର ଉତ୍ତେଜନା ଦେଖାଦେଇଛି । ଘଟଣାସ୍ଥଳରେ ପୁଲିସ୍ ପହଂଚି ଲୋକଙ୍କୁ ବୁଝାସୁଝା କରିବା ପରେ ଦୁଇ ଭଉଣୀଙ୍କ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି I ତେବେ ଏହା ଦୁଷ୍କର୍ମ ଜନିତ ହତ୍ୟାକାଣ୍ଡ ବୋଲି ଗ୍ରାମବାସୀ କ୍ଷୋଭ ପ୍ରକାଶ କରିଛନ୍ତି I
ଘଟନାନୁସାରେ ଗତକାଲି ଲକ୍ଷ୍ମୀପୁର ଥାନା ଅନ୍ତର୍ଗତ ନିଘାସନ ଅଞ୍ଚଳରୁ ଦୁଇ ଭଉଣୀଙ୍କୁ ନିଜ ଘରୁ ଅପହରଣ କରାଯାଇଥିଲା I ଅଭିଯୁକ୍ତ ମାନେ ଗୋଟିଏ ମୋଟର ସାଇକେଲ ରେ ଆସି ଦୁଇ ଭଉଣୀଙ୍କୁ ଘରୁ ଜୋର କରି ଘୋଷାରି ନେଇଥିଲେ I ଏ ନେଇ ତାଙ୍କ ମା’ ଥାନାରେ ଏଫଆଇଆର୍ ଦେଇଥିଲେ I ଏଫଆଇଆର୍ରେ ଜଣେ ଅଭିଯୁକ୍ତଙ୍କ ନାଁ ରହିଥିବା ବେଳେ ୩ ଜଣ ଅଜଣା ଦୁର୍ବୃତ୍ତ ବୋଲି ଉଲ୍ଲେଖ କରାଯାଇଛି। ସେ ଏହାକୁ ବିରୋଧ କରିବାରୁ ଅଭିଯୁକ୍ତମାନେ ତାଙ୍କୁ ମଧ୍ୟ ମାଡ଼ ମାରିଥିଲେ। ଦୁର୍ବୃତ୍ତମାନେ ଦୁଇ ଝିଅଙ୍କୁ ଉଠାଇ ନେଇଥିବାରୁ ପରିବାର ଲୋକ ସେମାନଙ୍କୁ ଖୋଜିବାରେ ଲାଗିଥିଲେ। ଶେଷରେ ବୁଧବାର ଅପରାହ୍ନରେ ଦୁଇ ଝିଅଙ୍କ ମୃତଦେହ ଗୋଟିଏ ଗଛରୁ ଝୁଲନ୍ତା ଅବସ୍ଥାରେ ମିଳିଥିଲା । ଏହି ଅଞ୍ଚଳଟି ଭାରତ -ନେପାଳ ସୀମାରେ ଅବସ୍ଥିତ I
ପୁଲିସ୍ ଅଭିଯୁକ୍ତମାନଙ୍କ ନାଁରେ ଦୁଷ୍କର୍ମ ଓ ହତ୍ୟା ସହ ଜଡ଼ିତ ଆଇପିସିର ବିଭିନ୍ନ ଦଫା ଓ ପୋକ୍ସୋ ଆକ୍ଟରେ ମାମଲା ରୁଜୁ କରିଛି। ଲକ୍ଷ୍ନୌ ରେଞ୍ଜର ଆଇଜିପି ଲକ୍ଷ୍ମୀ ସିଂହ କହିଛନ୍ତି, ଦୁଇ ନାବାଳିକା ନିଜ ନିଜର ଦୁପଟାରେ ଝୁଲି ରହିଥିଲେ। ସେମାନଙ୍କ ଶରୀରରେ କୌଣସି ପ୍ରକାରର କ୍ଷତ ଚିହ୍ନ ନାହିଁ।
ଘଟଣା ପ୍ରଚାରିତ ହେବାପରେ ସ୍ଥାନୀୟ ବାସିନ୍ଦା ଶବ ସହ ରାସ୍ତା ରୋକ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ରାଜି ହୋଇ ନଥିଲେ। ପୋଲିସ ପହଂଚି ବହୁ ବୁଝାସୁଝା ପରେ ସେମାନେ ରାସ୍ତାରୋକ ବନ୍ଦ କରିଥିଲେ ଓ ଶବ ବ୍ୟବଚ୍ଛେଦ ପାଇଁ ଅନୁମତି ଦେଇଥିଲେ। ଶବବ୍ୟବଛେଦ ରିପୋର୍ଟ ରୁ ଜଣାପଡିଥିଲା ଯେ ସେମାନଙ୍କୁ ପ୍ରଥମେ ତଣ୍ଟିଚିପି ହତ୍ୟା କରିବା ପରେ ,ଗଛରେ ଝୁଲାଇ ଦିଆଯାଇଥିଲା I ପୁଲିସ୍ ଘଟଣାର ସବୁ ଦିଗକୁ ଦୃଷ୍ଟିରେ ରଖି ତଦନ୍ତ କରୁଥିବା ସେ କହିଛନ୍ତି।
ଏହା ପୂର୍ବରୁ ୟୁପିର ବଦାଉଁରେ ୨୦୧୪ରେ ସମାନ ଘଟଣା ଘଟିଥିଲା। ଏଠାରେ ଦୁଇ ସମ୍ପର୍କୀୟ ଭଉଣୀଙ୍କ ମୃତଦେହ ଗଛରୁ ମିଳିବା ପରେ ଉତ୍ତେଜନା ଦେଖାଯାଇଥିଲା। ଏବେ ଲଖିମପୁର ଖେରିରେ ସମାନ ଘଟଣା ଘଟିବାରୁ ରାଜନୀତିକ ବୟାନବାଜୀ ଆରମ୍ଭ ହୋଇଯାଇଛି। ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ କ୍ଷମତାସୀନ ଯୋଗୀ ସରକାରଙ୍କୁ ବିରୋଧୀ ସମାଜବାଦୀ ପାର୍ଟି ଓ କଂଗ୍ରେସ ତୀବ୍ର ସମାଲୋଚନା କରିଛନ୍ତି।

Comments are closed.