ଗଞ୍ଜାମ : ମନ୍ଦିର ଯାଇ ଠାକୁର ଦର୍ଶନ ପୂର୍ବରୁ ଦୁର୍ଘଟଣାରେ ଚାଲିଗଲା ମହିଳାଙ୍କ ଜୀବନ । ସ୍ୱାମୀ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତି । ଆଜି ସକାଳୁ ଗଞ୍ଜାମ ଜିଲ୍ଲାରେ ଏଭଳି ଏକ ଦୁଃଖଦ ଘଟଣା ଘଟିଯାଇଛି । ସ୍ୱାମୀ ସ୍ତ୍ରୀ ବାଇକ ଯୋଗେ ଚିକିଟିଗଡ ଜଗନ୍ନାଥ ମନ୍ଦିରକୁ ଯାଉଥିବାବେଳେ ଏକ ସାର ବୋଝେଇ ଟ୍ରାକ୍ଟର ଧକ୍କା ଦେଇଥିଲା । ମୃତକ ହେଲେ ପଦ୍ମା ସେଠୀ ଏବଂ ଗୁରୁତର ଆହତ ସ୍ୱାମୀ ହେଉଛନ୍ତି ପ୍ରଦୀପ ସେଠୀ ।
ସୂଚନାନୁସାରେ,ଆଜି ଏକାଦଶୀ ତିଥି ଥିବାରୁ ସକାଳ ପ୍ରାୟ ୮ ଟା ବେଳେ ଗପହଣ୍ଡି ବ୍ଲକ ଜକର ଗ୍ରାମର ପଦ୍ମା ସେଠୀ (୪୭)। ସ୍ବାମୀ ପ୍ରଦୀପଙ୍କ ସହ ବାଇକରେ ବସି ପଦ୍ମା ନିଜ ଗ୍ରାମରୁ ଚିକିଟିଗଡ଼ ଜଗନ୍ନାଥ ମନ୍ଦିରକୁ ଦର୍ଶନ କରିବା ପାଇଁ ଯାଉଥିଲେ । ଏହି ସମୟରେ ଚିକିଟି ବସଷ୍ଟାଣ୍ଡ ନିକଟେ ପଛପଟୁ ଆସୁଥିବା ଏକ ସାର ବୋଝେଇ ଟ୍ରାକ୍ଟର ତାଙ୍କ ବାଇକକୁ ଧକ୍କା ଦେଇଥିଲା । ଫଳରେ ଉଭୟେ ରାସ୍ତାରେ ଛିଟ୍କି ପଡ଼ିଥିଲେ। ଉଭୟଙ୍କୁ ଚିକିଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ପଦ୍ମାଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରଦୀପଙ୍କୁ ପ୍ରାଥମିକ ଚିକିତ୍ସାପରେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଚିକିଟି ଫାଣ୍ଡି ଅଧିକାରୀ ଗୌତମ ସାହୁ ଘଟଣାସ୍ଥଳରେ ପହଞ୍ଚି ଉଭୟ ଗାଡିକୁ ଜବତ କରିବା ସହ ଘଟଣାର ତଦନ୍ତ ଜାରି ରଖିଛନ୍ତି ।
