ଭୁବନେଶ୍ୱର: ଡିସେମ୍ବର ୦୬: ଆଜି ପୁଣି ବିଧାନସଭା ଗୃହ ମୁଲତବି ହୋଇଛି । କଳାହାଣ୍ଡି ଜିଲ୍ଲାର ମହାଲିଙ୍ଗ ପବ୍ଲିକ୍ ସ୍କୁଲର ଶିକ୍ଷୟିତ୍ରୀ ମମିତା ମେହେରଙ୍କ ହତ୍ୟା ପ୍ରସଙ୍ଗରେ ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିକୁ ନେଇ ବିଜେପି ବିଧାୟକ ସଭାଗୃହରେ ହୋହାଲ୍ଲା କରିଥିଲେ । ଫଳରେ ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ଯାଏଁ ମୁଲତବି ରଖିଛନ୍ତି ।
ଗୃହ ମୁଲତବି ପରେ ବିଜେପି ବିଧାୟକମାନେ ଗୃହ ବାହାରେ ପ୍ଲକାର୍ଡ ଧରି ପ୍ରତିବାଦ କରିଥିଲେ । ପ୍ରତିବାଦକୁ ଏକ ଭିନ୍ନ ରୂପ ଦେବା ପାଇଁ ସେମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପୋଷ୍ଟକାର୍ଡ ମାଧ୍ୟମରେ ଚିଠି ଲେଖିବା ପାଇଁ ନିଷ୍ପତ୍ତି ନେଇଥିଲେ । ଏଥିପାଇଁ ବିଜେପି ବିଧାୟକମାନେ ପିଏମଜି ଯାଇଛନ୍ତି । ଯେଉଁଠି ପୋଷ୍ଟ ଅଫିସରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଚିଠି ପଠାଇବେ ବିରୋଧୀ ବିଜେପି ସଦସ୍ୟ । ଏହାସହିତ ସେମାନେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତରକୁ ଅପେକ୍ଷା କରିବେ ବୋଲି କହିଛନ୍ତି ବିଜେପି ବିଧାୟକ ।
ଏହାଛଡ଼ା ଆଜି ଗୃହରେ ବିଜେପି ଏବଂ କଂଗ୍ରେସ ବିଧାୟକମାନେ ମୁଖ୍ୟମନ୍ତ୍ରୀ କାହିଁକି ବିଧାନସଭାକୁ ଆସୁନାହାନ୍ତି ବୋଲି ପ୍ରଶ୍ନ କରିଥିଲେ । ବିଭିନ୍ନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ଜିଲ୍ଲା ଗସ୍ତ କରୁଛନ୍ତି, ହେଲେ ବିଧାନସଭାକୁ କାହିଁକି ଆସୁନାହାନ୍ତି ତାହାକୁ ନେଇ ପ୍ରଶ୍ନ ଉଠାଇଛି ଦଳ । ବିଧାନସଭା ଶୀତ ଅଧିବେଶନ ଆରମ୍ଭରୁ ଗୃହ ଅଚଳ ହେଉଥିଲେ ମଧ୍ୟ ଏହାକୁ ସ୍ୱାଭାବିକ କରିବାକୁ ବାଚସ୍ପତି ଓ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ କୌଣସି ଉଦ୍ୟମ ହେଉନଥିବା କହିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ।
ଅନ୍ୟପକ୍ଷରେ, ଆଜି ଗୃହରେ ଜୟୀ ରାଜଗୁରୁଙ୍କ ମୁଖା ପିନ୍ଧି ଗୃହରେ ପ୍ରତିବାଦ କରିଛନ୍ତି ବିଜେଡି ବିଧାୟକ । ପାଇକ ବିଦ୍ରୋହକୁ ସ୍ୱାଧୀନତା ସଂଗ୍ରାମ ମାନ୍ୟତା ନ ମିଳିବା ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଏହାପରେ ସେମାନେ ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଇଛନ୍ତି ବିଜେଡି ବିଧାୟକ । ସୂଚନା ଥାଉଯେ, ଆଜି କୋର୍ଟରେ ମମିତା ମେହେର ହତ୍ୟାକାଣ୍ଡର ଅଭିଯୁକ୍ତ ଗୋବିନ୍ଦ ସାହୁର ଜାମିନ ଶୁଣାଣି ହେବ ।

Comments are closed.