ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ, ବିନ୍ଦୁସାଗରେ ତିଳତର୍ପଣ

ଭୁବନେଶ୍ୱର: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ । ଏହି ଅବସରରେ ଭୁବନେଶ୍ୱର ବିନ୍ଦୁସାଗର କୂଳରେ ବିଜେଡି ପକ୍ଷରୁ ତିଳ ତର୍ପଣ କରାଯାଇଛି । ଆୟୋଜିତ ତିଳତର୍ପଣ କାର୍ଯ୍ୟକ୍ରମରେ ବିଜେଡିର ପ୍ରମୁଖ ନେତା, କାର୍ଯ୍ୟକର୍ତ୍ତାଙ୍କ ସମେତ ସାଧାରଣ ଲୋକେ ମଧ୍ୟ ସାମିଲ ହୋଇଥିଲେ । ରଘୁପତି ରାଘବ ରାଜରାମ ଧ୍ୱନିରେ ବିନ୍ଦୁସାଗର କୂଳରେ ବିଜୁ ବାବୁଙ୍କ ସ୍ମୃତିଚାରଣ କରାଯାଇଛି ।

ବିଜୁ ପଟ୍ଟନାୟକଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯିବା ସହ ତାଙ୍କ ଅବଦାନକୁ ସ୍ମରଣ କରାଯାଇଛି । ବରିଷ୍ଠ ବିଜେଡି ନେତା ଦେବୀ ପ୍ରସାଦ ମିଶ୍ରଙ୍କ ସମେତ ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡା, ବିଏମସି ମେୟର ସୁଲୋଚନା ଦାସ, ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ, ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଓ ଅନ୍ୟ ଉପସ୍ଥିତ ନେତା, କାର୍ଯ୍ୟକର୍ତ୍ତା ଓ ଲୋକେ ରୀତିନୀତି ଅନୁଯାୟୀ ବିନ୍ଦୁସାଗରରେ ତିଳତର୍ପଣ କରିଛନ୍ତି ।

ବିଜୁ ପଟ୍ଟନାୟକ ପାର୍କରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ନବୀନ ପଟ୍ଟନାୟକ । ଏହି ଅବସରରେ ନବୀନ ପଟ୍ଟନାୟକ ସୋସିଆଲ ମିଡିଆ ଏକ୍ସରେ କହିଛନ୍ତି, ଓଡ଼ିଆଙ୍କ ସ୍ୱାଭିମାନ, ମହାନ ଜନନାୟକ ବିଜୁ ବାବୁଙ୍କ ତିରୋଧାନ ଦିବସରେ ଶ୍ରଦ୍ଧାଞ୍ଜଳି। ତାଙ୍କ ନିର୍ଭୀକ ଜୀବନ, ଅଦମ୍ୟ ସାହସ କୋଟି କୋଟି ଓଡ଼ିଆଙ୍କ ପାଇଁ ପ୍ରେରଣା। ଲୋକଙ୍କ ସହ ରହିବା ଓ ଲୋକଙ୍କ ଲାଗି କାମ କରିବାକୁ ସେ ଦେଇଥିବା ମନ୍ତ୍ର ସାଢ଼େ ଚାରି କୋଟି ଓଡ଼ିଶାବାସୀଙ୍କ ସେବା ପାଇଁ ଆମକୁ ସର୍ବଦା ଅନୁପ୍ରାଣିତ କରିବ।

Govt

Comments are closed.